ଧୱନଙ୍କ ଧମାଲ୍‌: ଚେନ୍ନାଇକୁ ହରାଇ ପୁଣି ଶୀର୍ଷରେ ଦିଲ୍ଲୀ


ଶାରଜାହ: ଶନିବାର ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣର ୩୪ତମ ମ୍ୟାଚ୍ ଶାରଜାହ କ୍ରିକେଟ ଷ୍ଟାଡିୟମଠାରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଛି। ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଓପନର ଶିଖର ଧୱନଙ୍କ ବିସ୍ଫୋରକ ଶତକ ବଳରେ ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି।  ଦିଲ୍ଲୀ ୧୪ ପଏଣ୍ଟ ସହ ପୁଣି ଥରେ ଟେବଲର ଶୀର୍ଷକୁ ଉନ୍ନୀତ ହୋଇଛି। ଚେନ୍ନାଇ ୬ ପଏଣ୍ଟ ସହ ଟେବଲର ଷଷ୍ଠ ସ୍ଥାନରେ ରହିଛି। ଦିଲ୍ଲୀ ଧାର୍ଯ୍ୟ ୧୮୦ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୫ ଓଭର୍‌ରେ ହାତରେ ୫ଟି ଓ୍ୱିକେଟ୍ ଥାଇ ହାସଲ କରିନେବା ଫଳରେ ସଂସ୍କରଣରେ ଦଳ ତା’ର ସପ୍ତମ ବିଜୟ ହାସଲ କରିଛି। ମାତ୍ର ୫୮ଟି ବଲ୍‌ରେ ଅପରାଜିତ ୧୦୧ ରନ୍ କରିଥିବା ଧୱନଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୦ ଓଭରରେ ୪ ଓ୍ୱିକେଟ୍ ହରାଇ ୧୭୯ ରନ୍ କରିଥିଲା। ତେବେ ଦଳ ପ୍ରଥମ ଓଭର୍‌ର ତୃତୀୟ ବଲ୍‌ରେ ସାମ କୁରାନଙ୍କ ଓ୍ଵିକେଟ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ଫାଫ୍‌ ଡୁ ପ୍ଲେସି ଓ ଶେନ୍ ଓ୍ଵାଟସନ ଲଢୁଆ ବ୍ୟାଟିଂ କରି ଦଳକୁ ଉଦ୍ଧାର କରିଥିଲେ। ଡୁ ପ୍ଲେସି ୪୭ଟି ବଲ୍‌ରେ ୬ଟି ଚୌକା ଓ ୨ଟି ଛକା ସହ ୫୮ ରନ୍ କରିଥିବା ବେଳେ ଓ ଓ୍ଵାଟସନ ୨୮ଟି ବଲ୍‌ରେ ୬ଟି ଚୌକା ସହ ୩୬ ରନ କରିଥିଲେ। ଅମ୍ବାତି ରାୟୁଡୁ ୨୫ଟି ବଲ୍‌ରେ ଗୋଟିଏ ଚୌକା ଓ ୪ଟି ଛକା ସହ ୪୫ ରନ ଓ ରବୀନ୍ଦ୍ର ଜାଦେଜା ମାତ୍ର ୧୩ଟି ବଲ୍‌ରେ ୪ଟି ଛକା ସହ ୩୩ ରନ କରିଥିଲେ। ଦିଲ୍ଲୀ ପକ୍ଷରୁ ଆନରିକ ନୋର୍ଟଜେ ୨ଟି ଓ୍ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡ଼ା ଓ ନବାଗତ ତୁଷାର ଦେଶପାଣ୍ଡେ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ।

ଜବାବରେ ଦିଲ୍ଲୀ ଟିମ୍ ଓପନର ପୃଥ୍ବୀ ଶ’ଙ୍କୁ ଦଳୀୟ ସ୍କୋର୍ ଶୂନ ଥିବା ବେଳେ ହରାଇଥିଲା। କିନ୍ତୁ ଅନ୍ୟତମ ଓପନର ତଥା ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍  ଶିଖର ଧୱନ ୫୮ଟି ବଲ୍‌ରେ ୧୪ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୧୦୧ ରନ୍ କରିଥିବା ବେଳେ ଶ୍ରେୟସ୍ ଆୟର ୨୩ ବଲରେ ୨୩ ରନ୍‌ ଓ ମାର୍କସ୍ ଷ୍ଟୋଇନିସ୍ ୧୪ ବଲରେ ୨୪ ରନ୍‌ କରିଥିଲେ। ଶେଷ ଓଭରରେ ଅକ୍ଷର ପଟେଲ ୩ଟି ଛକା ମାରି ଦିଲ୍ଲୀକୁ ବିଜୟ ଦେଇଥିଲେ। ଦ୍ବିତୀୟ ପାଳିରେ ଦିଲ୍ଲୀ ୧୮୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ତମ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍‌ କରି ବିଜୟ ହାସଲ କରିଛି। ଚେନ୍ନାଇ ପକ୍ଷରୁ ଦୀପକ ଚହର ୨ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର, ବ୍ରାଭୋ, ସାମ୍ କୁରାନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ