ମାନ୍ଦାବସ୍ଥାର ଅନ୍ଧାରରେ ଆଲୋକର ସ୍ଫୁଲିଙ୍ଗ

ସଜଡ଼ା ଯାଇପାରିବ କି ଦେଶର ଅର୍ଥ ବ୍ୟବସ୍ଥା?

ଦେଶର ଅର୍ଥ ବ୍ୟବସ୍ଥା ସବୁଠୁ ଖରାପ ସମୟ ଦେଇ ଗତିକରୁଛି। ପାର୍ବଣ ଋତୁରେ ଅଫର ଜରିଆରେ ଉପଭୋକ୍ତାଙ୍କୁ ଆକର୍ଷିତ କରାଯିବାର ପ୍ରୟାସ କ’ଣ ମାନ୍ଦାବସ୍ଥାକୁ ସଜାଡ଼ି ପାରିବ? ଡୁବୁଥିବା ଅର୍ଥନୀତିକୁ ବଞ୍ଚାଇବା ପାଇଁ ଶେଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେତେକ ପଦକ୍ଷେପ ନେଇଛନ୍ତି। ପର୍ବପର୍ବାଣୀରେ ଚାହିଦା ବଢ଼ାଇବା ପାଇଁ ସରକାରୀ କର୍ମଚାରୀମାନଙ୍କୁ ୧୦ ହଜାର ଟଙ୍କାର ସୁଧମୁକ୍ତ ଋଣ ଦେବା ଓ ଏଲଟିସିର ନଗଦ ଅଗ୍ରୀମରେ ଦେବା ଘୋଷଣା କରିଛନ୍ତି। ନୋବେଲ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ଏଷ୍ଟର ଯେଉଁ ଦାବି କରୁଥିଲେ, ତାହା କରିଛନ୍ତି ନିର୍ମଳା। ଉଭୟଙ୍କ ଦାବି ଥିଲା ସରକାର ସିଧାସଳଖ ଲୋକଙ୍କ ପକେଟକୁ ପଇସା ଦିଅନ୍ତୁ, ତେବେ ଯାଇ ଅର୍ଥ ବ୍ୟବସ୍ଥାକୁ ଗତି ମିଳିବ। ଏବେ ୪୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପକେଟକୁ ପଇସା ଦେଇ ଅର୍ଥନୀତି ଆଗକୁ ଯିବାର ପରିକଳ୍ପନା କରାଯାଇଛି।

କିନ୍ତୁ ଏହା କେତେଦୂର ବଜାର ସ୍ଥିତିକୁ ସଜାଡ଼ି ପାରିବ, ତାହା ଏକ ପ୍ରଶ୍ନ। କାରଣ ଲକଡାଉନ ସମୟରେ ଯେଉଁ ୧୦ କୋଟି ଲୋକଙ୍କ ଚାକିରି ଚାଲିଯାଇଥିଲା ଏବଂ ଲକ୍ଷାଧିକ ଲୋକଙ୍କ ଦରମା ଅଧା କଟାଯାଇଥିଲା ସେମାନଙ୍କ ସ୍ଥିତି ଏବେ ଠିକ ନାହିଁ। ଏବେ ବଜାରରେ କ୍ରେତାଙ୍କ ସଂଖ୍ୟା କମ। ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ଆକାଶଛୁଆଁ। ଚାହିଦା ଥିବା ସତ୍ତ୍ବେ ଆୟ ନ ଥିବାରୁ ଖର୍ଚ୍ଚ ପାଇଁ ଡରୁଛି ଉପଭୋକ୍ତା। କଳକାରଖାନା ଗୁଡ଼ିକ ଚାହିଦାନ ଥିବାରୁ ଉତ୍ପାଦନ କରୁନାହାନ୍ତି। ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମହଙ୍ଗା ହେବାରେ ଲାଗିଛି। ଏଫଏମସିଜି, ଅଟୋମୋବାଇଲ, ଜୁଏଲାରୀ ଏବଂ ଗାର୍ମେଣ୍ଟସ କମ୍ପାନୀ ଗୁଡ଼ିକର ବର୍ଷସାରା ରୋଜଗାରର ୩୦-୪୦ ପ୍ରତିଶତ ରୋଜଗାର ପାର୍ବଣ ଋତୁରେ ହୋଇଥାଏ। ଏଥିପାଇଁ ଏସବୁ ବ୍ୟବସାୟିକ ସଂସ୍ଥାଗୁଡ଼ିକରେ ଏବେ ଭଳିକି ଭଳି ଅଫର ଘୋଷଣା ହୋଇଛି।

ଅଟୋମୋବାଇଲ ସେକ୍ଟର
ଶାରଦୀୟ ନବରାତ୍ର ଆରମ୍ଭରୁ ଏହି ସେକ୍ଟର ଭଲ ବିକ୍ରିର ଆଶା ବାନ୍ଧି ବସିଛି। ଅନଲକ ପର୍ଯ୍ୟାୟରେ କାର ଗୁଡ଼ିକର ବିକ୍ରିରେ ଲଗାତର ବ୍‌ଦ୍ଧି ହୋଇଛି। ଅଗଷ୍ଟରେ କମର୍ସିଆଲ କାରର ବିକ୍ରି ୧୪.୧୬ ପ୍ରତିଶତ ବଢ଼ିଛି। ଦୁଇଚକିଆ ଯାନର ବିକ୍ରି ମଧ୍ୟ ୩ ପ୍ରତିଶତ ଅଧିକ ବଢ଼ିଛି। ଏହି ଆଶାରେ କମ୍ପାନୀଗୁଡ଼ିକ ଗ୍ରାହକମାନଙ୍କୁ ପ୍ରଲୁବ୍ଧ କରିବା ପାଇଁ ସ୍ବତନ୍ତ୍ର ଅଫର ଘୋଷଣା କରିଛନ୍ତି। ଯେଉଁଥିରେ ଡିସକାଉଣ୍ଟ ଠାରୁ ଆରମ୍ଭ କରି ଶତ ପ୍ରତିଶତ ଫାଇନାନ୍ସ ସୁବିଧାମାନ ରହିଛି। ୱାରେଣ୍ଟି ଅବଧି ବ୍‌ଦ୍ଧି, ଶସ୍ତା ଋଣ, ଏକ୍ସଚେଞ୍ଜ ବୋନସ ଭଳି ଅଫର ଘୋଷଣା କରାଯାଇଛି। ହୋଣ୍ଡା ଏହାର ବିଭିନ୍ନ ମଡେଲ ଗୁଡ଼ିକରେ ୪୭ ହଜାରରୁ ଆରମ୍ଭ କରି ୨.୫୦ ଲକ୍ଷ ଟଙ୍କାଯାଏ ରିହାତି ଘୋଷଣା କରିଛି।

କଞ୍ଜୁମର ଡ୍ୟୁରେବଲ
ଆଇଆଇପି ପରିସଂଖ୍ୟାନ ଅନୁଯାୟୀ ଅଗଷ୍ଟ ମାସରେ ଇଲେକ୍ଟ୍ରୋନିକ୍ସ ଏବଂ ଅପ୍ଟିକାଲ୍ସ ଉପକରଣ ଉତ୍ପାଦନରେ ୧୨.୨ ପ୍ରତିଶତ ହ୍ରାସ ଘଟିଥିଲା। ଯାହାକି ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ୪୩-୪୭ ପ୍ରତିଶତ ଖସିଯାଇଥିଲା। ଏବେ ପାର୍ବଣ ଋତୁରେ ଏଗୁଡ଼ିକର ହଠାତ ଯେ ଚାହିଦା ଓ ବିକ୍ରି ବଢ଼ିଯିବ କହିହେଉନି। ଫିକିର ଅଧ୍ୟକ୍ଷ ଡ.ସଙ୍ଗୀତା ରେଡି କହନ୍ତି ଯେ ପାର୍ବଣ ଋତୁ ପୂର୍ବରୁ ଚାହିଦା ବଢ଼ାଇବା ପାଇଁ ଏଭଳି କରିଥିବା ଘୋଷଣାରୁ ବୁଷ୍ଟ ମିଳିବ। ଏଥର ୬ରୁ ୯ ପ୍ରତିଶତ ଅଭିବ୍‌ଦ୍ଧି ଘଟିବାର ଆଶା କରାଯାଉଛି।

ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଇଣ୍ଡିଆ ଫାଇନାନ୍ସ ସ୍କିମ, ଏକ୍ଚଚେଞ୍ଜ ଅଫର, ୨ ହଜାର ଟଙ୍କାର କ୍ୟାସବ୍ୟାକ ଭଳି ଅଫର ଫ୍ଲିପକାର୍ଟର ବିଗ ବିଲିଅନ ଡେ ସେଲ ଏବଂ ଆମାଜନର ଗ୍ରେଟ ଇଣ୍ଡିଆ ଫେଷ୍ଟିଭାଲ ସହିତ ଭାଗିଦାରି ହୋଇଛି। ଏସବୁ ଦେଖିଲେ ମନେହେଉଛି ଲୋକେ କୋରୋନାକୁ ଛାଡ଼ି ଆଗକୁ ବଢ଼ିବେ। ଘରୋଇ ଉତ୍ପାଦ ଗୁଡ଼ିକର ଚାହିଦା ଆସ୍ତେ ଆସ୍ତେ ବଢ଼ିବା ଲକ୍ଷ୍ୟ କରାଯାଉଛି।

ପ୍ରପର୍ଟି
ଲକଡାଉନ ସମୟରେ ଠପ ହୋଇ ଯାଇଥିବା ପ୍ରପର୍ଟି ବିଜନେସ ପୂଜା ବଜାରକୁ ଆଶା ବାନ୍ଧି ଅପେକ୍ଷା କରିଛି। ଦେଶବ୍ୟାପୀ ବିଲଡରମାନେ ଅନେକ ଲୋଭନୀୟ ଅଫରର ଘୋଷଣା କଲେଣି। ୧୦ ପ୍ରତିଶତ ଦେୟ ଦେଇ ପ୍ରପର୍ଟି ବୁକ କରାଯିବାର ସୁବିଧା ଦିଆଯାଉଛି। ଏପ୍ରିଲ-ଜୁନ ମଧ୍ୟରେ ଏ ବ୍ୟବସାୟ ୧୩ ପ୍ରତିଶତ ତଳକୁ ଖସିଥିଲା।

ବ୍ୟାଙ୍କ
ନିଜ ନିଜ ଉପଭୋକ୍ତା ମାନଙ୍କୁ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି ବ୍ୟାଙ୍କ। ଋଣ ଉପରେ ପ୍ରୋସେସିଂ ଫିସକୁ କିଏଛାଡ଼ କରିଛି ତ କିଏ କମ ସୁଧରେ ଦେଉଛି ଋଣ। ମହିଳାଙ୍କ ପାଇଁ କିଏ ସୁଧ ଦର କମାଇଛି ତ କିଏ କ୍ରେଡିଟ କାର୍ଡରେ କ୍ରେଡିଟ କ୍ଷମତା ବଢ଼ାଇ ଦେଇଛି। କ୍ରେଡିଟ ଓ ଡେବିଟ କାର୍ଡ ଉପରେ କ୍ୟାସ ବ୍ୟାକ ଅଫର ସାଙ୍ଗକୁ ନୋ କଷ୍ଟ ଇଏମଆଇ ଉପଭୋକ୍ତାଙ୍କୁ ବ୍ୟାଙ୍କ ପ୍ରତି ଆକର୍ଷିତ କରିଛି।

ଜୁଏଲାରୀ
ଲକଡାଉନ ପୂର୍ବରୁ ୧୦ ଗ୍ରାମ ପ୍ରତି ୪୨ ହଜାର ଟଙ୍କା ଥିବା ସୁନା ସେପ୍ଟେମ୍ବର ଶେଷ ବେଳକୁ ୫୨ ହଜାର ଛୁଇଁଥିଲା। ଏବେ ଦର ଟିକେ କମିଥିବା ବେଳେ ଦୀପାବଳି ବେଳକୁ ଏହା ପୁଣି ତାର ଚମକ ଦେଖାଇବ। ପ୍ରତିବର୍ଷ ପାର୍ବଣରେ ଚାହିଦା ରଖୁଥିବା ସୁନା ଚଳିତ ବର୍ଷ ବଜାରରେ ପୂର୍ବସ୍ଥିତି କାଏମ ରଖିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ