ବିଡେନ୍ ଓ ହ୍ୟାରିସଙ୍କ ପାଇଁ ପ୍ରଚାର କରିବେ ଓବାମା


ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଦେଶର ସର୍ବପ୍ରଥମ ଅଣଶ୍ବେତାଙ୍ଗ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିସାରିଛନ୍ତି। ଦେଶର ଏହି ୪୪ତମ ରାଷ୍ଟ୍ରପତି ନିଜର କାର୍ଯ୍ୟକାଳ ଶେଷ ହେବା ପରେ ନିଜ ପରିବାର ସହ ଅତି ସାମାନ୍ୟ ଜୀବନଯାପନ କରୁଥିବା ବେଳେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସକାଶେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ସେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ଭାରତ ଜନ୍ମିତ କମଲା ହ୍ୟାରିସ୍‌ଙ୍କ ସକାଶେ ପ୍ରଚାର କରିବେ। ଆସନ୍ତା ସପ୍ତାହରେ ସେ ତାଙ୍କର ଏହି ଅଭିଯାନ ଆରମ୍ଭ କରିବେ ବୋଲି ବିଡେନ୍ କ୍ୟାମ୍ପେନ୍ ପକ୍ଷରୁ ସୂଚନା ଦିଆଯାଇଛି। ଅବଶ୍ୟ ଏହି ସୂଚନା ପାଇବା ପରେ ବିଡେନ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କୁ ଜଣେ ପ୍ରଭାବହୀନ ପ୍ରଚାରକ ବୋଲି କହିବା ସହ ଏହା ତାଙ୍କ ପାଇଁ ଏକ ଭଲ ଖବର ବୋଲି କହିଛନ୍ତି। ୨୦୧୬ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନ ସମୟରେ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ଏହିପରି କିଛି ଭୁଲ୍ କରିଥିଲା, ଯାହାର ସୁଫଳ ମୋତେ ମିଳିଥିଲା ଓ ମୁଁ ଆମେରିକାବାସୀଙ୍କ ରାଷ୍ଟ୍ରପତି ଭାବେ କାର୍ଯ୍ୟ ଆରମ୍ଭ କରିପାରିଥିଲି ବୋଲି ଟ୍ରମ୍ପ୍ କହିସାରିଛନ୍ତି।

ଓବାମା ଦୁଇ ଥର ଦେଶର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବା ସମୟରେ ୭୭ ବର୍ଷୀୟ ବିଡେନ୍ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ବିଡେନ୍ ଓ ସିନେଟର୍ ତଥା ଉପରାଷ୍ଟ୍ରପତି ନିର୍ବାଚନ ଲଢ଼ୁଥିବା ହ୍ୟାରିସ୍‌ଙ୍କ ସପକ୍ଷରେ ଅନଲାଇନ୍ କ୍ୟାମ୍ପେନ୍ ଚଳାଇଆସିଥିଲେ ହେଁ ପ୍ରଥମ ଥର ପାଇଁ ନିଜେ ପ୍ରଚାରରେ ଯୋଗ ଦେବେ ବୋଲି କହିଛନ୍ତି। ଏଥିସହ ୫୯ ବର୍ଷୀୟ ଏହି ପୂର୍ବତନ ରାଷ୍ଟ୍ରପତି ପ୍ରଥମ ଥର ପାଇଁ କାହା ସପକ୍ଷରେ ବ୍ୟକ୍ତିଗତ ଭାବେ ପ୍ରଚାର କରିବେ। ଓବାମା ସଫଳତା ପୂର୍ବକ ରାଷ୍ଟ୍ରପତି ପଦ ତୁଲାଇଥିବାରୁ ଏହି ପଦ ଛାଡ଼ିବାର ୪ ବର୍ଷ ପରେ ବି ତାଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଛି ଓ ସେ ପ୍ରଚାର ଅଭିଯାନରେ ଯୋଗଦେବା ପରେ ବିଡେନ୍ ଓ ହ୍ୟାରିସଙ୍କ ପ୍ରତି ଜନସମର୍ଥନ ବଢ଼ିବାର ଯଥେଷ୍ଟ ଆଶା ରହିଛି। ଓବାମାଙ୍କ ପ୍ରଚାର ସମ୍ପର୍କରେ ବିଡେନ୍ କ୍ୟାମ୍ପେନ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଆସନ୍ତା ଅକ୍ଟୋବର ୨୧ ତାରିଖରେ ପୂର୍ବତନ ରାଷ୍ଟ୍ରପତି ଓବାମା ପେନସିଲଭାନିଆ ଓ ଫିଲାଡେଲଫିଆ ଗସ୍ତ କରି ସେଠାରେ ବିଡେନ୍ ଓ ହ୍ୟାରିସ୍‌ଙ୍କ ସପକ୍ଷରେ ପ୍ରଚାର କରିବେ। ସୂଚନାଯୋଗ୍ୟ ଯେ ଅଦ୍ୟାବଧି ରାଷ୍ଟ୍ରପତି ଦୌଡ଼ରେ ସାମିଲ୍ ଥିବା ଦୁଇ ପ୍ରାର୍ଥୀ ବିଡେନ୍ ଓ ଟ୍ରମ୍ପ୍‌ଙ୍କ ସଂକ୍ରାନ୍ତରେ ଆସିଥିବା ଓପିନିୟନ୍ ପୋଲରେ ବିଡେନ୍ ୯ ପଏଣ୍ଟ୍ ଆଗରେ ଅଛନ୍ତି। କିନ୍ତୁ ନଭେମ୍ବର ୩ ତାରିଖରେ ନିଶ୍ଚିତ ଭାବେ ଉଭୟ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ହେବ, ଏହା ନିଶ୍ଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ