ଅଡ଼ୁଆରେ ମିଥୁନ୍: ପୁଅଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ


ବଲିଉଡରେ ଏକଦା ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିବା ମିଥୁନ୍ ଚକ୍ରବର୍ତ୍ତୀଙ୍କ ପାଇଁ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ତାଙ୍କ ପୁଅ ମହାକ୍ଷୟଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ଜନୈକା ୩୮ ବର୍ଷୀୟ ବିବାହିତା ମହିଳା ମହାକ୍ଷୟଙ୍କ ବିରୋଧରେ ଏପରି ଅଭିଯୋଗ ଆଣିବା ସହ ମୁମ୍ବାଇ ପୋଲିସରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି। ସେ ‘ହଣ୍ଟେଡ୍ ଥ୍ରୀଡି’ ଓ ‘ଲୁଟ୍’ ପରି ଚଳଚ୍ଚିତ୍ରରେ ଅଭିନୟ କରିଥିବା ମହାକ୍ଷୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହ ତାଙ୍କୁ ଠକିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଗତ ଗୁରୁବାର ରାତିରେ ଏହି ଅଭିଯୋଗକୁ ଓଶିୱାରା ପୋଲିସ୍ ଷ୍ଟେସନରେ ଦାଏର୍ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଦାଏର୍ କରିଥିବା ମହିଳା ଜଣକ ଗତ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ମହାକ୍ଷୟଙ୍କ ସହ ସମ୍ପର୍କ ରଖିଥିଲେ। ସେତେବେଳେ ମହାକ୍ଷୟ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ମହିଳା ଜଣକ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ମହିଳା ଜଣକ ଅନ୍ଧେରୀ ୱେଷ୍ଟ୍ ଅଞ୍ଚଳର ଆଦର୍ଶ ନଗରରେ ଥିବା ମହାକ୍ଷୟଙ୍କ ଫ୍ଲାଟ ଦେଖିବା ସକାଶେ ଯାଇଥିଲେ। ସେତେବେଳେ ମହାକ୍ଷୟ ତାଙ୍କୁ ପିଇବା ପାଇଁ ମୃଦୁ ପାନୀୟ ଦେଇଥିଲେ। ସେଥିରେ ମହାକ୍ଷୟ ନିଶା ଔଷଧ ମିଶାଇବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସକାଶେ ତାଙ୍କୁ ବାଧ୍ୟ କରିଥିଲେ ବୋଲି ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଥିବା ସ୍ଥାନୀୟ ପୋଲିସ୍ ପକ୍ଷରୁ କୁହାଯାଇଛି।

ମହିଳା ଜଣକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମହାକ୍ଷୟଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ସେ ଗର୍ଭବତୀ ହୋଇଥିଲେ। ଏ ସମ୍ପର୍କରେ ମହାକ୍ଷୟ ଜାଣିବା ପରେ ତାଙ୍କୁ ଗର୍ଭପାତ କରାଇନେବାକୁ କହିବା ସହ ତାଙ୍କୁ ଔଷଧ ମଧ୍ୟ ଦେଇଥିଲେ। କିନ୍ତୁ ସେ ତାଙ୍କୁ ବାରମ୍ବାର ବିବାହ ନେଇ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇଚାଲିଥିଲେ। ତେବେ ଗତ ୨୦୧୮ ଜାନୁଆରୀରେ ତାଙ୍କୁ ବିବାହ କରିବାକୁ ମହାକ୍ଷୟ ମନା କରିଦେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଉଚ୍ଚବାଚ ହୋଇଥିଲା। ଏପରିକି ମହାକ୍ଷୟଙ୍କୁ ଫୋନ୍ କରିବା ବେଳେ ତାଙ୍କ ମା’ ଯୋଗିତା ବାଲି ତାଙ୍କୁ ମଧ୍ୟ ଧମକ ଦେଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ସେତେବେଳେ ମହିଳା ଜଣକ ଦିଲ୍ଲୀର ବେଗମପୁର ଥାନାରେ ମହାକ୍ଷୟ ଓ ତାଙ୍କ ମା’ ଯୋଗିତାଙ୍କ ବିରୋଧରେ ମଧ୍ୟ ଏତଲା ଦେଇଥିଲେ। ତେବେ ଉକ୍ତ ବର୍ଷ ମହିଳା ଜଣକ ନିଜ ପରିବାର ସହ ରହିବା ସକାଶେ ମୁମ୍ବାଇ ଚାଲିଆସିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ମହାକ୍ଷୟଙ୍କ ବିରୋଧରେ ଦୁଷ୍କର୍ମ ପାଇଁ ଆଇପିସିର ଧାରା ୩୭୬ ଓ ମହିଳାଙ୍କ ବିନାନୁମତିରେ ତାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ ପାଇଁ ଧାରା ୩୧୩ରେ ମାମଲା ରୁଜୁ କରାଯାଇଛି। ଏଥିସହ ମାମଲାର ତଦନ୍ତ ଦାୟିତ୍ବ ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ୍ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ମାମଲାରେ ପୂର୍ବରୁ ଦିଲ୍ଲୀ କୋର୍ଟ ମହାକ୍ଷୟ ଓ ତାଙ୍କ ମା’ଙ୍କୁ ଆଗୁଆ ଜାମିନ୍ ଦେଇଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ଦିଲ୍ଲୀ ହାଇକୋର୍ଟ ମହିଳା ଜଣଙ୍କୁ ଘଟଣା ଘଟିଥିବା ଅଞ୍ଚଳର କୋର୍ଟରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଥିଲେ। ଏହାକୁ ଭିତ୍ତି କରି ମହିଳା ଜଣକ ଗତ ଜୁଲାଇ ମାସରେ ଓଶିୱାରା ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ