ୟୁପିରେ ବସ୍-ଏସ୍‌ୟୁଭି ଧକ୍କା: ୩୯ ମୃତାହତ, ୫ ଲକ୍ଷ ଟଙ୍କା କ୍ଷତିପୂରଣ


ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପିଲିଭିତ୍‌ ଜିଲ୍ଲାର ପୁରନପୁରଠାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୯ ଜଣ ଯାତ୍ରୀଙ୍କ ଜୀବନ ଯାଇଛି ଓ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଲକ୍ଷ୍ନୌରୁ ପିଲିଭିତ୍ ଆସୁଥିବା ଏକ ବସ୍ ପୁରାଇପୁରଠାରୁ ଆସୁଥିବା ଏକ ଏସୟୁଭିକୁ ସମ୍ମୁଖରୁ ଧକ୍କା ଦେଇଥିଲା। ପୁରନପୁରର ସୀମାବର୍ତ୍ତୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ୍‌ଟି ଓଲଟି ପଡ଼ିଥିବା ବେଳେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ମୃତାହତ ହୋଇଥିଲେ। ଏହାଛଡ଼ା ପିକଅପ୍ ଭ୍ୟାନରେ ବସିଥିବା ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁରନପୁର୍ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇଥିଲା। ଏହି ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ସମସ୍ତ ଆହତମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ସକାଶେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

ସେହିପରି ଦୁର୍ଘଟଣାରେ ମୃତାହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପିଲିଭିତ୍ ଅଞ୍ଚଳର ବୋଲି ପିଲିଭିତ୍ ଏସପି ଜୟପ୍ରକାଶ ଯାଦବ ସୂଚନା ଦେଇଛି। ଦୁର୍ଘଟଣାଟି ଶନିବାର ଭୋର୍ ସମୟରେ ଘଟିଛି। ଦୁର୍ଘଟଣାସ୍ଥଳରେ ହିଁ ୭ ଜଣ ଯାତ୍ରୀଙ୍କର ପ୍ରାଣ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣା ଘଟିଥିବା ସ୍ଥାନଟି ଜିଲ୍ଲା ମୁଖ୍ୟାଳୟ ନିକଟରୁ ପାଖାପାଖି ୪୦ କିମି ଦୂରରେ ବୋଲି ଜୟପ୍ରକାଶ କହିଛନ୍ତି। ପୋଲିସ୍ ପକ୍ଷରୁ ଆହୁରି କୁହାଯାଇଛି ଯେ ଶନିବାର ଭୋର୍ ପ୍ରାୟ ୪ଟା ବେଳେ ପୁରନପୁର ଥାନାଞ୍ଚଳ ଅନ୍ତର୍ଗତ ଶେହରାମାଉ ଅଞ୍ଚଳରେ ଏକ ଟର୍ଣ୍ଣିଂରେ ଦୁର୍ଘଟଣା ଘଟିଥିବା ବେଳେ ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ପିଲିଭିତସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସଙ୍କଟାପନ୍ନ ଥିବା ଆହତଙ୍କୁ ନିକଟସ୍ଥ ବରେଲି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପୋଲିସ୍ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ