ନୂଆ ୨୧୯୬ ଆକ୍ରାନ୍ତଙ୍କୁ ମିଶାଇ ୨.୬୬ ଲକ୍ଷରେ ପହଞ୍ଚିଲା ସଂକ୍ରମଣ


ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଏବେ କିଛିଟା କମିଛି। ଜାତୀୟ ସ୍ତରରେ ୮୮ ପ୍ରତିଶତ ଆରୋଗ୍ୟ ହାର ଥିବାବେଳେ ଓଡ଼ିଶାରେ ଏହା ୯୦ ପ୍ରତିଶତ ପାଖାପାଖି ରହିଛି। ସେପ୍ଟେମ୍ବରରେ ଓଡ଼ିଶାରେ ଦୈନିକ ସଂକ୍ରମଣ ୪ ହଜାର ଉପରେ ରହୁଥିବା ବେଳେ ଅକ୍ଟୋବର ମାସରେ ଏହା ୨ ହଜାରକୁ ଖସି ଆସିଛି। ଏଥିସହ ଖୋର୍ଦ୍ଧା ଓ କଟକରେ ଦୈନିକ ସଂକ୍ରମଣ ମଧ୍ୟ କମିବାରେ ଲାଗିଛି। ଗତକାଲି ରାଜ୍ୟରୁ ୨୧୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨୧୯୬ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଏହି ୧୭ ଦିନରେ ୪୭ ହଜାର ୨୨୬ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ସଂକ୍ରମଣ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଗତକାଲି ୨୮୫୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାରକୁ ଚାଲି ଆସିଛି। ସେହିପରି ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ମଧ୍ୟ ୨.୬୬ ଲକ୍ଷ ଟପିଛି। ଅନ୍ୟପକ୍ଷରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮ଟି ଜିଲ୍ଲାରୁ ଶତାଧିକ ଆକ୍ରାନ୍ତ ରହିଛନ୍ତି। ସେହିପରି କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ରୁ ୧୨୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୯୨୨ ରହିଛି।

୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ ହଜାର ୧୯୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୪ ଜଣ, ବରଗଡ଼ ଜିଲ୍ଲାରୁ ୮୦ ଜଣ, ଭଦ୍ରକ ଜିଲ୍ଲାରୁ ୧୬ ଜଣ, ବଲାଙ୍ଗିର ଜିଲ୍ଲାରୁ ୭୧ ଜଣ, ବୌଦ୍ଧ ଜିଲ୍ଲାରୁ ୩୨ ଜଣ, କଟକ ଜିଲ୍ଲାରୁ ୧୭୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ ଜଣ, ଗଜପତି ଜିଲ୍ଲାରୁ ୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୮୬ ଜଣ, ଯାଜପୁର ଜିଲ୍ଲାରୁ ୧୧୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୯୪ ଜଣ, କନ୍ଧମାଳ ଜିଲ୍ଲାରୁ ୩୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୨ ଜଣ, କେନ୍ଦୁଝର ଜିଲ୍ଲାରୁ ୬୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୫୯ ଜଣ, କୋରାପୁଟ ଜିଲ୍ଲାରୁ ୨୯ ଜଣ, ମାଲକାନଗିରି ଜିଲ୍ଲାରୁ ୩୮ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୧୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୦ ଜଣ, ନୟାଗଡ଼ ଜିଲ୍ଲାରୁ ୨୦ ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୮ ଜଣ, ପୁରୀ ଜିଲ୍ଲାରୁ ୭୭ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩୭ ଜଣ, ସୋନପୁର ଜିଲ୍ଲାରୁ ୭୦ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୦ ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍‌ ପୁଲ୍‌ରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ‌ରେ ୪୦ ଲକ୍ଷ ଅତିକ୍ରମ କରିଛନ୍ତି ନମୁନା ପରୀକ୍ଷଣ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୦ ଲକ୍ଷ ୧ ହଜାର ୬୫ ଟି ନମୁନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୬୬ ହଜାର ୩୪୫ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୧ ହଜାର ୩୮୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୩ ହଜାର ୭୮୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୧୭ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କୋରୋନା ମୃତକଙ୍କ ସଂଖ୍ୟା ୧୧୨୧ ରେ ପହଞ୍ଚିଯାଇଛି। ସେହିପରି ଆଉ ୫୩ କୋରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ସେମାନଙ୍କର ମୃତ୍ୟୁ କୋରୋନା ଯୋଗୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ