ଖୁବଶୀଘ୍ର ଆସିବ କନ୍ୟା ବିବାହ ବୟସ ପରିବର୍ତ୍ତନ ସଂକ୍ରାନ୍ତ ନିଷ୍ପତ୍ତି: ମୋଦି


ନୂଆଦିଲ୍ଲୀ: ଦେଶର କୋଟି କୋଟି କନ୍ୟାଙ୍କୁ ଶୁକ୍ରବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଖୁବଶୀଘ୍ର ଦେଶରେ କନ୍ୟା ବିବାହ ବୟସ ପରିବର୍ତ୍ତନ ସଂକ୍ରାନ୍ତ ନିଷ୍ପତ୍ତି ନେଇ ଘୋଷଣା କରାଯିବ। ଏହି ନିଷ୍ପତ୍ତି ନେବା ସକାଶେ ଗଠିତ କମିଟି ଆଗାମୀ ଦିନରେ କିପରି ତୁରନ୍ତ ରିପୋର୍ଟ ଦାଖଲ କରିବ, ସେନେଇ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଶୁକ୍ରବାର ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ସହ ଭାରତର ସମ୍ପର୍କକୁ ୭୫ ବର୍ଷ ପୂରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୭୫ ଟଙ୍କିଆ ମୁଦ୍ରା ପ୍ରଚଳନର ଶୁଭାରମ୍ଭ କରିବା ଅବସରରେ ଉପରୋକ୍ତ ମତ ଦେଇଛନ୍ତି। ସେହିପରି କେନ୍ଦ୍ର ସରକାର ଦେଶର ମହିଳାମାନଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ନିଶ୍ଚିତ କରିବା ସକାଶେ ଢେର୍ ପଦକ୍ଷେପ ନେଇଛନ୍ତି। ବିଶେଷକରି କନ୍ୟାସନ୍ତାନମାନଙ୍କ ମଙ୍ଗଳ ପାଇଁ ସରକାର ବେଶ୍ ସଜାଗ ରହିଛନ୍ତି। ଜଳ ଜୀବନ ମିଶନ୍ ମାଧ୍ୟମରେ ଦେଶର ସବୁ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ସକାଶେ ଲକ୍ଷ୍ୟ ରହିଛି। ଏହାଦ୍ବାରା ମହିଳାମାନେ ଜଳକଷ୍ଟ ସମସ୍ୟାରୁ ମୁକ୍ତି ପାଇପାରିବେ। ଏହାଛଡ଼ା ମହିଳାମାନଙ୍କୁ ଏକ ଟଙ୍କାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଉଛି ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୨ ତାରିଖରେ କନ୍ୟା ସନ୍ତାନଙ୍କ ବିବାହ ପାଇଁ ବୟସ ୧୮ ବର୍ଷ ଧାର୍ଯ୍ୟ ରହିଥିଲେ ହେଁ ଏହାର ଯଥାର୍ଥତା ଓ ଉପଯୋଗିତାର ତଦାରଖ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିବା ନେଇ ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭା ସାଂସଦ ସୁଶୀଲ କୁମାର ଗୁପ୍ତା ସୂଚନା ଦେଇଥିଲେ। କନ୍ୟା ସନ୍ତାନମାନେ ୧୮ ବର୍ଷରେ ବିବାହ କଲେ ସେମାନଙ୍କ ମାତୃତ୍ବ ଲାଭ କ୍ଷେତ୍ରରେ ରହୁଥିବା ବିଭିନ୍ନ ସମସ୍ୟାର ଯାଞ୍ଚ୍ ପାଇଁ କମିଟିକୁ କୁହାଯାଇଛି। ବିଶେଷକରି ଦେଶରେ ଶିଶୁ ଓ ମାତୃ ମୃତ୍ୟୁହାର, ପ୍ରସବଜନିତ ମୃତ୍ୟୁ ଓ ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଏହି ଟାସ୍କ ଫୋର୍ସ ଫୋକସ୍ କରିବ ବୋଲି ରାଜ୍ୟସଭାରେ ଗୁପ୍ତା ସୂଚନା ଦେଇଥିଲେ। ସେହିପରି କେନ୍ଦ୍ର ସରକାର କନ୍ୟା ବିବାହ ବୟସର ପୁନର୍ବିଚାର ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି ବୋଲି ଗୁପ୍ତା କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ