ଜାଣନ୍ତୁ ହେଲଦି ଡାଏଟର ରୂପରେଖ, ଜୀବନକୁ କରିବ ସନ୍ତୁଳିତ


ଶରୀର ପାଇଁ ଭିଟାମିନ ଓ ମିନେରାଲ୍ସର ବହୁତ ଆବଶ୍ୟକତା ରହିଛି। ଏଥିପାଇଁ ଏକ ବାଲାନ୍ସଡ ଡାଏଟ ବା ସନ୍ତୁଳିତ ଖାଦ୍ୟ ସେବନ କରିବା ଦରକାର। ଏକ ସନ୍ତୁଳିତ ଖାଦ୍ୟରେ ସବୁପ୍ରକାରର ପ୍ରୋଟିନ, କାର୍ବୋହାଇଡ୍ରେଟ, ଫ୍ୟାଟ ଓ ଭିଟାମିନ ରହିଥାଏ। ଏ ସମସ୍ତ ପୋଷକତତ୍ତ୍ବ ଫଳ, ପନିପରିବା, ଡାଲି, ମାଂସ, ଦୁଗ୍ଧ ଜାତୀୟ ପଦାର୍ଥ ଆଦିରୁ ମିଳିଥାଏ। ଏକ ସ୍ବାସ୍ଥ୍ୟକର ଜୀବନଶୈଳୀ ପାଇଁ ସନ୍ତୁଳିତ ଖାଦ୍ୟ ବହୁତ ଜରୁରୀ।

ସନ୍ତୁଳିତ ଖାଦ୍ୟ କ’ଣ
ସନ୍ତୁଳିତ ଖାଦ୍ୟରେ ସମସ୍ତ ପ୍ରକାରର ପୋଷକତତ୍ତ୍ବ ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ରହିଥାଏ। କାର୍ବୋହାଇଡ୍ରେଟ ସନ୍ତୁଳିତ ଖାଦ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। କାର୍ବୋହାଇଡ୍ରେଟରୁ ଶରୀରକୁ ଶକ୍ତି ମିଳିଥାଏ। କ୍ୟାଲୋରୀର ୭୦ରୁ ୮୦ ପ୍ରତିଶତ ବାଜରା ଓ ଡାଲି ଭଳି ଖାଦ୍ୟ ପଦାର୍ଥରେ ଥିବା କାର୍ବୋହାଇଡ୍ରେଟରୁ ମିଳିଥାଏ। ଡାଏଟିସିଆନଙ୍କ କହିବାନୁସାରେ ସାରା ଦିନର ମୋଟ କ୍ୟାଲୋରୀର ଅଧା ଭାଗ କାର୍ବୋହାଇଡ୍ରେଟରୁ ଆସିବା ଉଚିତ।

କାର୍ବୋହାଇଡ୍ରେଟ ଓ ଫାଇବର ଜରୁରୀ
ବ୍ରେଡ, ବିସ୍କୁଟ, ଚାଉଳ, ଗହମ, ଅଟା ବ୍ୟତୀତ କାର୍ବୋହାଇଡ୍ରେଟ ଅନେକ ସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥରୁ ମଧ୍ୟ ମିଳିଥାଏ। ବ୍ରାଉନ ରାଇସ, ବାଜରା ଓ ଓଟସ ଭଳି ଖାଦ୍ୟ ପଦାର୍ଥରେ ମଧ୍ୟ କାର୍ବୋହାଇଡ୍ରେଟ ରହିଛି। ଏସବୁ ଜିନିଷରେ ପୋଷକତତ୍ତ୍ବ ବ୍ୟତୀତ ଫାଇବର ମଧ୍ୟ ଉତ୍ତମ ମାତ୍ରାରେ ରହିଛି। ଫାଇବର ବିନା ଡାଏଟ ଅଧୁରା ବୋଲି କୁହାଯାଏ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଫଳରସ ପିଇବା ତୁଳନାରେ ଏହାକୁ ଖାଇବା ଅଧିକ ଭଲ।

ଡାଏଟିସିଆନମାନେ ସକାଳ ଜଳଖିଆରେ କଦଳୀ କିମ୍ବା ଶସ୍ୟ ଜାତୀୟ ଜିନିଷ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଫଳରେ ଶରୀରକୁ ପ୍ରଚୁର କାର୍ବୋହାଇଡ୍ରେଟ ମିଳିବ ଏବଂ ମଧ୍ୟାହ୍ନ ଭୋଜନ ପୂର୍ବରୁ ଆପଣଙ୍କୁ ଭୋକ ଲାଗିବ ନାହିଁ। କେତେକ ଲୋକ ଭାବନ୍ତି କାର୍ବୋହାଇଡ୍ରେଟ ଗ୍ରହଣ କରିବା ଫଳରେ ଓଜନ ବଢ଼ିଥାଏ। କିନ୍ତୁ ଡାଏଟିସିଆନ ମାନେ ଏହାକୁ ଅସ୍ବୀକାର କରନ୍ତି। ଆପଣ କ’ଣ ଓ କେତେ ମାତ୍ରାରେ ଖାଉଛନ୍ତି ଏହା ଉପରେ ଓଜନ ବୃଦ୍ଧି ନିର୍ଭର କରେ ବୋଲି ସେମାନେ ମତ ଦେଇଛନ୍ତି। ଗ୍ଲୁକୋଜ ଓ ଫ୍ରୁକ୍ଟୋଜ ଭଳି କାର୍ବୋହାଇଡ୍ରେଟ ଫଳ, ପନିପରିବା ଓ ମହୁରୁ ମିଳିଥାଏ।

ସନ୍ତୁଳିତ ଖାଦ୍ୟ ଚାର୍ଟରେ କେତେ ମାତ୍ରାରେ କ’ଣ ରହିବା ଉଚିତ
ସନ୍ତୁଳିତ ଖାଦ୍ୟ ଚାର୍ଟରୁ ଜଣାପଡ଼ିଥାଏ ଯେ ଗୋଟିଏ ଦିନରେ ଶରୀରକୁ ହାରାହାରି କେତେ ମାତ୍ରାରେ କ୍ୟାଲୋରୀ ଯିବା ଉଚିତ। ପୁରୁଷଙ୍କୁ ଦିନରେ ୨୩୨୦ କିଲୋ କ୍ୟାଲୋରୀର ଆବଶ୍ୟକତା ଥିବାବେଳେ ମହିଳାଙ୍କୁ ପ୍ରତିଦିନ ଅତିକମରେ ୧୯୦୦ କିଲୋ କ୍ୟାଲୋରୀ ଗ୍ରହଣ କରିବା ଉଚିତ। ଡାଏଟର ପାଖାପାଖି ୩୦ରୁ ୩୫ ପ୍ରତିଶତ ଅଂଶ ପ୍ରୋଟିନ ରହିବା ଉଚିତ। ଏହା ଆପଣଙ୍କୁ ଡାଲି, କ୍ଷୀର, ଶାଗ, ଅଣ୍ଡା, ମାଂସ, ଗଜା ଶସ୍ୟରୁ ମିଳିପାରିବ। ପୁରୁଷଙ୍କୁ ଦିନରେ ୬୦ ଗ୍ରାମ ଓ ମହିଳାଙ୍କୁ ୫୫ ଗ୍ରାମ ପ୍ରୋଟିନ ସେବନ କରିବା ଉଚିତ।

ଚର୍ବି ଶରୀରକୁ ଶକ୍ତି ଯୋଗାଏ। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁଟ୍ରିସନ ଅନୁସାରେ ଡାଏଟର ପାଖାପାଖି ଏକ ପଞ୍ଚମାଂଶ ଅର୍ଥାତ ୨୦ ପ୍ରତିଶତ ମନୋସ୍ୟାଚୁରେଟେଡ, ମନୋଅନସ୍ୟାଚୁରେଟେଡ ଓ ଓମେଗା-୩ ଫ୍ୟାଟି ଏସିଡର ଆବଶ୍ୟକତା ରହିଛି। ଏହାର ମୁଖ୍ୟ ଉତ୍ସ ଭେଜିଟେବଲ ଅଏଲ ଶରୀରକୁ ଭିଟାମିନ ଓ ମିନେରାଲ୍ସ ଯୋଗାଇବା ପାଇଁ ପ୍ରତ୍ୟେକ ଦିନ ୧୦୦ ଗ୍ରାମ ସବୁଜ ପନିପରିବା ଓ ୧୦୦ ଗ୍ରାମ ଫଳ ସେବନ କରିବା ଉଚିତ। ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରତ୍ୟେକ ଦିନ ୬୦୦ ମିଲିଗ୍ରାମ କ୍ୟାଲସିୟମ ସେବନ କରିବା ଉଚିତ। ସେହିପରି ପୁରୁଷଙ୍କୁ ପ୍ରତ୍ୟେକ ଦିନ ୧୭ ମିଲିଗ୍ରାମ ଓ ମହିଳାଙ୍କୁ ୨୧ ମିଲିଗ୍ରାମ ଆଇରନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ