ଭାରତର ପ୍ରଥମ ଓସ୍କାର ବିଜେତା ଭାନୁ ଅଥୈୟାଙ୍କ ପରଲୋକ


ପ୍ରଖ୍ୟାତ ଭାରତୀୟ କଷ୍ଟ୍ୟୁମ ଡିଜାଇନର ଭାନୁ ଅଥୈୟାଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୮୩ରେ ସେ ରିଚାର୍ଡ ଆଟେନବରୋଫଙ୍କ କାଳଜୟୀ ସିନେମା ‘ଗାନ୍ଧି’ର କଷ୍ଟ୍ୟୁମ ଡିଜାଇନ ପାଇଁ ଏକାଡେମୀ ସମାରୋହରେ ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ କ୍ୟାଟିଗୋରିରେ ଆୱାର୍ଡ ପାଇଥିଲେ। ପରେ ୨୦୧୨ରେ ଭାନୁ ନିଜ ଓସ୍କାର ଆୱାର୍ଡକୁ ସୁରକ୍ଷିତ ରଖିବା ଲାଗି ମୋସନ ପିକଚର ଆର୍ଟସ ଏଣ୍ଡ ସାଇନ୍ସର ଏକାଡେମୀକୁ ପୁରସ୍କାର ଫେରାଇ ଦେଇଥିଲେ। ୫ ଦଶକ ଓ ୧୦୦ରୁ ଅଧିକ ସିନେମା କ୍ୟାରିଅରରେ ଭାନୁ ଦୁଇଟି ଜାତୀୟ ପୁରସ୍କାର ଜିତିଥିଲେ। ସେ ସିନେମା ଦୁଇଟି ହେଉଛି ଗୁଲଜାରଙ୍କ ରହସ୍ୟ ଡ୍ରାମା ‘ଲେକିନ’ ଓ ଆଶୁତୋଷ ଗୋୱାରିକରଙ୍କ ନିର୍ଦେଶିତ ଫିଲ୍ମ ‘ଲଗାନ’।

ଏହି ଫିଲ୍ମ ପାଇଁ ଭାନୁଙ୍କୁ ବାଫଟା ଆୱାର୍ଡ ମଧ୍ୟ ମିଳିଥିଲା। ତାଙ୍କ ଝିଅ ରାଧିକା ଗୁପ୍ତା ଭାନୁଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଧିକା ମିଡିଆ ସମ୍ମୁଖରେ କହିଛନ୍ତି ଯେ ତାଙ୍କ ମା’ଙ୍କ ଗୁରୁବାର ସକାଳେ ଦେହାନ୍ତ ହୋଇଯାଇଛି। ଆଠ ବର୍ଷ ପୂର୍ବେ ତାଙ୍କ ମସ୍ତିଷ୍କରେ ଏକ ଟ୍ୟୁମର ଚିହ୍ନଟ ହୋଇଥିଲା। ପକ୍ଷାଘାତ କାରଣରୁ ଗତ ୩ ବର୍ଷ ହେଲା ସେ ବିଛଣାରେ ପଡ଼ିଥିଲେ। ତାଙ୍କର ଅନ୍ତିମ ସଂସ୍କାର ମୁମ୍ବାଇର ଚନ୍ଦନବାଡ଼ି ଶ୍ମଶାନ ଘାଟରେ ହୋଇଥିବା ରାଧିକା କହିଛନ୍ତି। କୋହ୍ଲାପୁରରେ ଜନ୍ମିତ ଭାନୁ ହିନ୍ଦୀ ସିନେମାରେ କଷ୍ଟ୍ୟୁମ ଡିଜାଇନର ଭାବେ ୧୯୫୬ରେ ରିଲିଜ ହୋଇଥିବା ଗୁରୁ ଦତ୍ତଙ୍କ ସିନେମା ‘ସିଆଇଡି’ରୁ କ୍ୟାରିଅର ଆରମ୍ଭ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ