ଦମ୍ପତିଙ୍କ ଦମ: ୩୦ ଗାଁର ୧୬ ଚା’ବଗିଚାର ଶ୍ରମିକଙ୍କ ପିଲାଙ୍କୁ ପଢ଼ାନ୍ତି

ପିଲାଙ୍କୁ ଲୁଭାଉଛି ମୋବାଇଲ ଲାଇବ୍ରେରୀ ଓ ୧୦ ଟଙ୍କିଆ ଟ୍ୟୁସନର ଯାଦୁ

ଉତ୍ତର ବଙ୍ଗ ଦାର୍ଜିଲିଂ ଜିଲାର ସିଲିଗୁଡ଼ିକୁ ଲାଗିଥିବା ଚା’ବଗିଚା ଅଞ୍ଚଳର ଶ୍ରମିକଙ୍କ ପିଲାମାନେ ଉତ୍କଣ୍ଠାର ସହିତ ଏକ ଲାଲ ରଙ୍ଗର କାରକୁ ପ୍ରତିଦିନ ଅପେକ୍ଷା କରିଥାନ୍ତି। ବାସ୍ତବ କଥା ହେଲା ଏହି କାରରେ ଆସୁଥିବା ଏକ ଦମ୍ପତି ସେମାନଙ୍କୁ ପଢ଼ିବା ପାଇଁ ମାଗଣାରେ ବହି ଦିଅନ୍ତି ଏବଂ ୧୦ ଟଙ୍କା ବିନିମୟରେ ମାସ ସାରା ଟ୍ୟୁସନ କରାନ୍ତି।

ଏହି ଦମ୍ପତି ହେଉଛନ୍ତି ଅନିର୍ବାଣ ନନ୍ଦୀ ଓ ତାଙ୍କ ପତ୍ନୀ ପୋଲମୀ ଚାକି ନନ୍ଦୀ। ଅନିର୍ବାଣ ଆଇଆଇଟି ଖଡ଼ଗପୁରରେ ସିନିଅର ରିସର୍ଚ୍ଚ ଫେଲୋ ଏବଂ ପୋଲମୀ ସୋସାଲ ସାଇନ୍ସ ଓ ଇକୋନୋମିରେ ରିସର୍ଚ ଆସୋସିଏଟ। କିନ୍ତୁ କୋରୋନା ମହାମାରୀ ପାଇଁ କଲେଜ ବନ୍ଦ ଥିବାରୁ ଦୁହେଁ ଏବେ ନିଜ ଘରେ ଅଛନ୍ତି। ବିଗତ ୬ ମାସ ହେଲା କୋରୋନା କଟକଣା ବେଳେ ପିଲାଙ୍କ ପାଠପଢ଼ା ପାଇଁ ଦାୟିତ୍ବ ନେଇଛନ୍ତି। ଲକଡାଉନ ସମୟରେ ଦୁହେଁ ମିଶି ଚା’ବଗିଚା ଶ୍ରମିକମାନଙ୍କ ଜୀବନକୁ ସଜାଡ଼ିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। ଅସଲ କଥା ହେଲା ଲକଡାଉନ ସମୟରେ ଚା’ବଗିଚା ଶ୍ରମିକମାନଙ୍କ ପିଲାମାନଙ୍କ ପାଠପଢ଼ା ପୂରା ଠପ ହୋଇଯାଇଥିଲା। ଏଭଳି ସ୍ଥିତି ଦେଖିବା ପରେ ନନ୍ଦୀ ଦମ୍ପତି ଏକ ମୋବାଇଲ ଲାଇବ୍ରେରୀ ବ୍ୟବସ୍ଥା ଆରମ୍ଭ କଲେ। ନିଜ ଗାଡ଼ିରେ ପୁସ୍ତକ ଲୋଡ଼ କରି ପିଲାମାନଙ୍କ ନିକଟରେ ପହଞ୍ଚାଇବା ଭଳି ଉଦ୍ୟମ କଲେ।

ସେମାନଙ୍କ କହିବା କଥା ହେଲା ଗରିବ ପିଲାଙ୍କ ପାଖରେ ସ୍ମାର୍ଟଫୋନ, ଲାପଟପ ଓ ଇଣ୍ଟରନେଟ ସଂଯୋଗ ନ ଥିବାରୁ ଅନଲାଇନରେ ପଢ଼ି ପାରୁ ନ ଥିଲେ। ଏଥିପାଇଁ ସେମାନେ ଭ୍ରାମ୍ୟମାଣ ପାଠାଗାରର ପରିକଳ୍ପନା କଲେ। ସେମାନେ ଏହି ଲାଇବ୍ରେରୀ ପାଇଁ ମାଗିଯାଚି ଓ ନିଜ ଅନୁଦାନ ମିଶାଇ ୬ ହଜାର ପୁସ୍ତକ କିଣିଲେ। ଆବଶ୍ୟକ କରୁଥିବା ପିଲାମାନଙ୍କ ତାଲିକା କରି ସେମାନଙ୍କୁ ୩ ମାସ ଯାଏ ସମସ୍ତ ପ୍ରକାର ପାଠ୍ୟପୁସ୍ତକ ଉଧାରରେ ଦେଲେ।

ଏହି ପିଲାମାନଙ୍କ ମଧ୍ୟରୁ କେତେକ ପିଲାଙ୍କୁ ଚିହ୍ନଟ କରି ଇଂରାଜୀ, କମ୍ପ୍ୟୁଟର ସାଇନ୍ସ, ଅର୍ଥଶାସ୍ତ୍ର, ଭୂଗୋଳ ଓ ରାଜନୀତି ବିଜ୍ଞାନ ପଢ଼ାଇବା ପାଇଁ ସେମାନଙ୍କ ଠାରୁ ମାସିକ ୧୦ ଟଙ୍କା ଶୁଳକ ସଂଗ୍ରହ କରି ଟ୍ୟୁସନ କରାଇବା ଆରମ୍ଭ କରିଥିଲେ। ଶିକ୍ଷାଦାନ ସମୟରେ ସାମାଜିକ ଦୂରତା ରଖି ଶିକ୍ଷାଦାନର ବ୍ୟବସ୍ଥା କରାଇଥିଲେ।

କିଭଳି ଆସିଲା ଏ ପ୍ରକାର ଆଇଡିଆ
ଅନିର୍ବାଣଙ୍କ ନିଜ ଘର ଏ ଅଞ୍ଚଳରେ। ପିଲାଦିନୁ ସେ ପାଠପଢ଼ାର ବାଧାକୁ ସାମ୍ନା କରିଥିଲେ। ସେ କହନ୍ତି ଯେ ସ୍କୁଲ ଅଧିକ ଦୂରରେ ଥିଲା। ନଦୀ ଉପରେ ସେତୁ ନ ଥିଲା। ଆଖପାଖରେ ଭଲ ଟ୍ୟୁସନ ମିଳୁ ନ ଥିଲା। ମୁଁ ଭାବିଲି ଯେ ଯାହା ମୋତେ ମିଳି ନ ଥିଲା, ସେଥିରୁ ଚା’ବଗିଚାର ଶ୍ରମିକଙ୍କ ପିଲାମାନେ ବଞ୍ଚିତ ନ ହୁଅନ୍ତୁ। ଗ୍ରାମାଞ୍ଚଳର ଅର୍ଥବ୍ୟବସ୍ଥା ଉପରେ ନିଜର ଗବେଷଣା କାଳରେ ଏ ଅଞ୍ଚଳର ବାସ୍ତବ ସ୍ଥିତି କ’ଣ ବେଶ ଭଲ ଭାବେ ଜାଣିଥିଲି। ଏଭଳି ସମୟରେ ମନେହେଲା ଯେ ସ୍କୁଲ ପିଲାଙ୍କ ପାଇଁ କରିବାକୁ ବହୁତ କିଛି ଅଛି। ସାମାନ୍ୟ ସହାୟତା ଏବଂ ପ୍ରୋତ୍ସାହନ ମିଳିଲେ ଅନେକ ପିଲା ବହୁତ ଆଗକୁ ଆସି ପାରନ୍ତେ ବୋଲି ଅନିର୍ବାଣ କହିଥିଲେ।

ଆଦିବାସୀ ଝିଅଙ୍କ ନିଆରା ଉତ୍ସାହ
ପ୍ରଥମେ ମୁଁ ମାଗଣାରେ ପୁସ୍ତକ ଦେବା ଆରମ୍ଭ କଲି। କିନ୍ତୁ ପରେ ଅନୁଭବ ହେଲା ଯେ ମୋର ଯାହା ସକ୍ଷମ ସେଥିରେ ସମସ୍ତଙ୍କୁ ମାଗଣାରେ ଦେଇ ହେବନି। ତେଣୁ ଭ୍ରାମ୍ୟମାଣ ପାଠାଗାର ପରିକଳ୍ପନା କଲି। ଏହି ଲାଇବ୍ରେରୀ ପ୍ରତି ପିଲାକୁ ମାଗଣାରେ ତିନିମାସ ପାଇଁ ବହି ଉଧାର ଦେଲା। ପରେ ପରେ ଆରମ୍ଭ ହେଲା ୧୦ ଟଙ୍କାରେ ଟ୍ୟୁସନ ଯୋଜନା। ମାଗଣାରେ ଟ୍ୟୁସନ ହେଲେ କାଳେ ପିଲା ଆସିବେନି, ଏଥିପାଇଁ ୧୦ ଟଙ୍କା ରଖାଗଲା। ୧୦ ଟଙ୍କା ଦେଉଥିବାରୁ ଶ୍ରମିକମାନେ ନିଜ ପିଲାକୁ ନିୟମିତ ଟ୍ୟୁସନ ଆସିବା ପାଇଁ କହିବେ। ଏହି ଉଦ୍ଦେଶ୍ୟରେ ୧୦ ଟଙ୍କିଆ ଟ୍ୟୁସନ ବ୍ୟବସ୍ଥା ଆରମ୍ଭ ହୋଇଥିଲା ବୋଲି ଅନିର୍ବାଣ କହନ୍ତି। ଏହି ଯୋଜନାରେ ଚା’ବଗିଚାରେ ଝିଅମାନଙ୍କ ପାଠପଢ଼ିବାରେ ଏକ ନିଆରା ଉତ୍ସାହ ଦେଖିବାକୁ ମିଳିଲା। ଏବେ ପୁଅଙ୍କ ତୁଳନାରେ ଅଧିକ ଆଦିବାସୀ ଝିଅ ପାଠ ପଢ଼ୁଛନ୍ତି। ମେରି ଭ୍ୟୁ ଚା’ବଗିଚା, ଗଙ୍ଗାରାମ ଚା’ବଗିଚାର ଅଧିକାରୀମାନେ କହନ୍ତି ଯେ ଏ ଅଞ୍ଚଳରେ ଏକମାତ୍ର ସ୍କୁଲ ଥିଲା। କୋରୋନା ପାଇଁ ତାହା ବନ୍ଦ ହୋଇଗଲା। କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ ସୁବିଧା ନ ଥିବାରୁ କେହି ଜଣେ ବି ଅନଲାଇନରେ ପଢ଼ିପାରିଲେ ନାହିଁ। ପାଠପଢ଼ା ଠପ ହୋଇଯାଇଥିବା ବେଳେ ନନ୍ଦୀ ଅଙ୍କଲଙ୍କ ଲାଲଗାଡ଼ି ଏବେ ସ୍ବପ୍ନ ଦେଖାଇଛି। ମାଗଣାରେ ପଢ଼ିବାକୁ ବହି ମିଳୁଛି ଏବଂ ତା’ ସହିତ ୧୦ ଟଙ୍କାରେ ଟ୍ୟୁସନ ବି। ଲୋୟର ବାଗଡୋଗରା ପଞ୍ଚାୟତ ପ୍ରଧାନ ବିଭା ବିଶ୍ବକର୍ମା କହନ୍ତି, ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷାରେ ସଫଳତାର ଆଶା ବଢ଼ାଇ ଦେଇଛି ଏହି ମୋବାଇଲ ଲାଇବ୍ରେରୀ। ଏହାଦ୍ବାରା ଏହି ଶ୍ରମିକଙ୍କ ସନ୍ତାନମାନେ ଜୀବନରେ କିଛି ଗୋଟେ କରିପାରିବେ ବୋଲି ଧାରଣା ସ୍‌ଷ୍ଟି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ