ଓଡ଼ିଶାର ଗୌରବ ସୋୟେବ ଅଫତାବ୍‌: ୧୦୦ ପ୍ରତିଶତ ମାର୍କ ରଖି ନିଟ୍‌ ଟପ୍ପର

ରଚିଲେ ଇତିହାସ, ଶତ ପ୍ରତିଶତ ନମ୍ବର ରଖିବାରେ ପ୍ରଥମ ଛାତ୍ର


ଭୁବନେଶ୍ବର: କୁହାଯାଏ ଯେ କଠିନ ପରିଶ୍ରମର ଫଳ ସର୍ବଦା ମିଠା ହୋଇଥାଏ। ଆଉ କଠିନ ପରିଶ୍ରମ ଦ୍ବାରା ହିଁ ଲକ୍ଷ୍ୟ ପ୍ରାପ୍ତି ହୋଇଥାଏ। ଆଉ ଯେତେବେଳେ ଆପଣ କୌଣସି ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତି ଏବଂ ସଫଳତା ହାସଲ ହୁଏ ତେବେ ଖୁସିର କୌଣସି ଠିକଣା ରହି ନ ଥାଏ। ଏହି କ୍ରମରେ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି ଓଡ଼ିଶାର ସୋୟେବ ଅଫତାବ୍‌। ନିଟ୍ ପରୀକ୍ଷାରେ ଏଭଳି ପ୍ରଦର୍ଶନ କରିବାରେ ସେ ଓଡ଼ିଶାର ପ୍ରଥମ ଛାତ୍ର ହୋଇ ଓଡ଼ିଶାକୁ ଗୌରାବାନ୍ବିତ କରିଛନ୍ତି। ରାଉରକେଲାର ଛାତ୍ର ସୋୟେବ  ୭୨୦ରୁ ୭୨୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ନିଟ୍ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିବାରେ ମଧ୍ୟ ମଧ୍ୟ ପ୍ରଥମ ଛାତ୍ର ହୋଇଛନ୍ତି।

ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି ଦ୍ଵାରା ଆୟୋଜିତ ନିଟ୍‌ ପରୀକ୍ଷାର ଫଳାଫଳ ଅକ୍ଟୋବର ୧୬ରେ ପ୍ରକାଶ ପାଇଛି। ୧୦୦ ପ୍ରତିଶତ ମାର୍କ ରଖିଥିବା ସୋଏବଙ୍କ ପରିବାର ଲୋକ ନିଜ ପୁଅର ଏହି ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି। ରାଉରକେଲା ଆଜାଦ୍‌ ମୋହଲାରେ ରହୁଥିବା ମହମ୍ମଦ ଆବାସଙ୍କ ପୁଅ ସୋଏବ ରାଉରକେଲା ଡିସୁଜା ସ୍କୁଲରେ ପାଠ ପଢୁଥିଲେ। ସୋଏବ୍‌ଙ୍କ ବାପା ଓଡ଼ିଶାରେ ନିର୍ମାଣ ବ୍ୟବସାୟରେ ଅଛନ୍ତି। ତେବେ ତାଙ୍କର ପାଠପଢ଼ା ପାଇଁ ତାଙ୍କ ମା’ ତାଙ୍କୁ ନେଇ ରାଜସ୍ଥାନର କୋଟାଠାରେ ରହୁଛନ୍ତି। ଡିସୁଜାରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ରାଜସ୍ଥାନର କୋଟାରେ ଯୁକ୍ତ ୨ ଅଧ୍ୟୟନ କରୁଥିଲେ। କୋଟାର ଏକ କୋଚିଂ ସେଣ୍ଟର୍‌ରେ ସେ ନାମ ଲେଖାଇ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ଆଉ ତାଙ୍କ ପରିଶ୍ରମର ଫଳ ଆଜି ତାଙ୍କୁ ମିଳିଛି। ସୋଏବଙ୍କ ସଫଳତାରେ ରାଉରକେଲା ସମେତ ଓଡ଼ିଶାରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ନିଟ୍‌ ୨୦୨୦ ପରୀକ୍ଷା ସେପ୍ଟେମ୍ବର ୧୩ରେ କୋଭିଡ୍-୧୯ ମହାମାରୀ ମଧ୍ୟରେ ଆୟୋଜିତ ହୋଇଥିଲା। ଏହା ବ୍ୟତୀତ ନିଟ୍ ୟୁଜି ଉତ୍ତରାବଳୀ ସେପ୍ଟେମ୍ବର ୨୬ରେ ଜାରି କରାଯାଇଥିଲା। ଚଳିତ ବର୍ଷ କୋରୋନା ସଂକ୍ରମଣ ଯୋଗୁଁ ବହୁତ ସତର୍କତା ଏବଂ ବ୍ୟବସ୍ଥା ମଧ୍ୟରେ ଆୟୋଜନ ହୋଇଥିଲା। ନିଟ୍ ପରୀକ୍ଷା ଜରିଆରେ ସମଗ୍ର ଦେଶର ମେଡିକାଲ କଲେଜ୍‌ରେ ଏମବିବିଏସ ଓ ବିଡିଏସ୍‌ରେ ପ୍ରବେଶ ମିଳିଥାଏ। ଏଥିରେ ଅଲ୍‌ଇଣ୍ଡିଆ ମାନ୍ୟତା ହିସାବରେ ଦେଶର ଶୀର୍ଷ ମେଡିକାଲ ସଂସ୍ଥାନରେ ନାମ ଲେଖାଯିବାର ସୁଯୋଗ ମିଳେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ବିଟ୍‌ କରି ସଫଳ ପରୀକ୍ଷା ପରିଚାଳନା ପାଇଁ ଏନ୍‌ଟିଏ ମହାନିର୍ଦେଶକ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସଫଳ ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଯେଉଁମାନେ ସଫଳ ହୋଇପାରିନାହାନ୍ତି ସେମାନଙ୍କୁ ନିରାଶ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଗୋଟିଏ ପରୀକ୍ଷାରେ ବିଫଳତା ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ପରୀକ୍ଷା ଫଳ ଦେଖିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ http://ntaneet.nic.in/ ରେ ଲଗ୍‌ଇନ୍ କରି ନିଜ ପରୀକ୍ଷା ଫଳ ଜାଣିପାରିବେ।

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସମସ୍ତଙ୍କ ଉଜ୍ଜ୍ଵଳମୟ ଭବିଷ୍ୟତ କାମନା କରିଛନ୍ତି। ସେହିପରି ଜାତୀୟ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଶତ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିବା ଓଡ଼ିଶାର ସୋୟେବ ଅଫତାବଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ତାଙ୍କର ସଫଳତା କାମନା କରିବା ସହ ଆଗାମୀ ଦିନରେ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ