ବାଙ୍ଗାଲୋର ବିଜୟରେ ରୋକ ଲଗାଇଲା ପଞ୍ଜାବ


ଆଇପିଏଲର ୩୧ତମ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ୮ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ଏଥିସହ ପଞ୍ଜାବ ୮ମ ମ୍ୟାଚରେ ଦ୍ବିତୀୟ ବିଜୟ ହାସଲ କରି ପରାଜୟ ଧାରା ଭାଙ୍ଗିବା ସହ ବାଙ୍ଗାଲୋରର ବିଜୟରେ ବ୍ରେକ ଦେବାରେ ସଫଳ ହୋଇଛି। ଫଳରେ ୮ମ ମ୍ୟାଚରେ ବାଙ୍ଗାଲୋର ୩ୟ ପରାଜୟ ବରଣ କରି ୧୦ ପଏଣ୍ଟରେ ସୀମିତ ରହିଛି। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ପକ୍ଷରୁ ଓପନର ଆରୋନ ଫିଞ୍ଚ ୨୦ ଓ ଦେବଦତ୍ତ ପାଡିକଲ ୧୮ ରନ କରି ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ଗୋଟିଏ ପଟେ ୱିକେଟ ବଞ୍ଚାଇ ଅନ୍ୟମାନଙ୍କୁ ଶଟ ଖେଳିବା ପାଇଁ ସୁଯୋଗ ଦେଇଥିଲେ। କୋହଲି ୩୯ଟି ବଲରୁ ୪୮ ରନ କରି ଆଉଟ ହୋଇଥିଲେ। ୬ ନଂରେ ବ୍ୟାଟି ପାଇଁ ଆସିଥିବା ଡି’ ଭିଲିୟର୍ସ ମାତ୍ର ୨ ରନ କରି ଆଉଟ ହୋଇଥିଲେ। ମାତ୍ର ଶେଷ ଓଭରରେ କ୍ରିସ ମୋରିସ ୩ଟି ଛକା ଜରିଆରେ ୨୫ ରନ କରିବାରୁ ବାଙ୍ଗାଲୋର ୬ ୱିକେଟ ହରାଇ ୧୭୧ ରନ କରିପାରିଥିଲା।

ଏହାର ଜବାବରେ ପଞ୍ଜାବ ପକ୍ଷରୁ ଦୁଇ ନିୟମିତ ଓପନର ମୟଙ୍କ ଅଗ୍ରୱାଲ ଓ ଅଧିନାୟକ ଲୋକେଶ ରାହୁଲ ୮ ଓଭରରେ ୭୮ ରନ କରି ଦଳ ପାଇଁ ବିଜୟ ରାସ୍ତା ପରିଷ୍କାର କରିଥିଲେ। ମୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଜରିଆରେ ୨୫ଟି ବଲରୁ ୪ଟି ଚୌକା ଓ ୩ଟି ଛକା ଜରିଆରେ ୪୫ ରନ କରି ଆଉଟ ହୋଇଥିଲେ। ଏହାପରେ ରାହୁଲଙ୍କ ସହ କ୍ରିସ ଗେଲ ଯୋଗ ଦେଇ ଦଳକୁ ବିଜୟୀ କରିବାରେ ସହାୟକ ହୋଇଥିଲେ। ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୪୯ଟି ବଲରୁ ୫ଟି ଛକା ଓ ଗୋଟିଏ ଚୌକ ଜରିଆରେ ୬୧ ରନ କରିଥିଲେ। ଗେଲ୍ ୪୫ଟି ବଲରୁ ୫ଟି ଛକା ଓ ଗୋଟିଏ ଚୌକା ଜରିଆରେ ୫୩ ରନ କରି ଶେଷ ଭାଗରେ ଆଉଟ ହୋଇଥିଲେ। ନିକୋଲାସ ପୁରନ ଶେଷ ବଲରେ ଛକା ମାରି ଦଳକୁ ୧୭୭/୨ରେ ପହଞ୍ଚାଇ ଦଳକୁ ୮ ୱିକେଟରେ ବିଜୟୀ କରାଇଥିଲେ। ରାହୁଲ ତାଙ୍କ ମାଚ ବିଜୟୀ ଇନିଂସ ପାଇଁ ମ୍ୟାନ ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ