ଷଷ୍ଠ ବିଜୟ ସହ ଦିଲ୍ଲୀ ପ୍ଲେ-ଅଫର ନିକଟତର


ଆଇପିଏଲର ୩୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏଥିସହ ଦିଲ୍ଲୀ ଅଷ୍ଟମ ମ୍ୟାଚରେ ଷଷ୍ଠ ବିଜୟ ହାସଲ କରି ପଏଣ୍ଟ ଟେବଲରେ ୧୨ ପଏଣ୍ଟ ସହ ଶୀର୍ଷକୁ ଉନ୍ନୀତ ହୋଇ ପ୍ଲେ-ଅଫ ଯୋଗ୍ୟତାର ନିକଟତର ହୋଇଛି। ଆଉ ଗୋଟିଏ କିମ୍ବା ୨ଟି ବିଜୟ ଦିଲ୍ଲୀର ପ୍ଲେ-ଅଫ ଖେଳିବା ନିଶ୍ଚିତ କରିବ। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଅଷ୍ଟମ ମ୍ୟାଚରେ ପଞ୍ଚମ ପରାଜୟ ବରଣ କରି ୬ ପଏଣ୍ଟରେ ସୀମିତ ରହି ଟେବଲ ସପ୍ତମ ସ୍ଥାନକୁ ଖସିଛି। ଫଳରେ ଦଳର ପ୍ଲେ-ଅଫ୍ ଯୋଗତା ନେଇ ସଂଶୟ ସଷ୍ଟି ହୋଇଛି।

ବୁଧବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ପ୍ରଥମ ବଲରେ ଓପନର ପୃଥ୍ବୀ ଶ’ଙ୍କ ୱିକେଟ ହରାଇଥିଲା। ଜୋଫ୍ରା ଆର୍ଚର ତାଙ୍କୁ ବୋଲ୍ଡ କରି ବଡ଼ ସଫଳତା ଆଣିଥିଲେ। ପରେ ଅଜିଙ୍କ୍ୟ ରାହାଣେ ମଧ୍ୟ ୨ ରନ କରିଥିଲା ବେଳେ ଆର୍ଚର ତାଙ୍କୁ ଆଉଟ କରି ରାଜସ୍ଥାନ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ୩ୟ ୱିକେଟରେ ଅଭିଜ୍ଞ ଶିଖର ଧୱନ ଓ ଅଧିନାୟକ ଶ୍ରେୟସ ଆୟର ଲଢ଼ୁଆ ବ୍ୟାଟିଂ ଜରିଆରେ ବିପର୍ଯ୍ୟୟ ଏଡ଼ାଇଥିଲେ। ଧୱନ ୩୩ଟି ବଲରୁ ୫୭ ରନ ଓ ଆୟର ୪୩ଟି ବଲରୁ ୫୩ ରନ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଫଳରେ ଦିଲ୍ଲୀ ୭ ୱିକେଟ ହରାଇ ୧୬୧ ରନ ପର୍ଯ୍ୟନ୍ତ ଯାଇପାରିଥିଲା। ଆର୍ଚର ୧୯ ରନ ଦେଇ ୩ଟି, ଜୟଦେବ ଉନାଦକତ ୩୨ ରନ ଦେଇ ୨ଟି ୱିକେଟ ପାଇଥିଲେ।

ଏହାର ଜବାବରେ ଜୋସ ବଟଲର ଓ ବେନ ଷ୍ଟୋକ୍ସ ଭଲ ଆରମ୍ଭ କରିଥିଲେ ବି ବେଶି ସମୟ ତିଷ୍ଠି ପାରି ନଥିଲେ। ବଟଲର ୯ ବଲରୁ ୨୨ ଓ ଷ୍ଟୋକ୍ସ ୩୫ଟି ବଲରୁ ୪୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଷ୍ଟିଭ ସ୍ମିଥ ମାତ୍ର ୧ ରନରେ ଆଉଟ ହୋଇଥିଲେ। ମଧ୍ୟ ଭାଗରେ ସଞ୍ଜୁ ସାମସନ ୨୫ ଓ ରବିନ ଉଥାପ୍ପା ୩୨ ରନ କରି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ମାତ୍ର ସଫଳ ବୋଲର କାଗିସୋ ରବାଡ଼ା ଓ ନବାଗତ ତୁଷାର ଦେଶପାଣ୍ଡେଙ୍କ ଶେଷ ଓଭର ବୋଲିଂ ଦିଲ୍ଲୀକୁ ବିଜୟୀ କରିଥିଲା। ୨ଟି ମ୍ୟାଚରେ ଦଳକୁ ବିଜୟୀ କରାଇଥିବା ରାହୁଲ ଟେୱାଟିଆଙ୍କୁ ଶେଷ ଓଭରରେ ଦେଶପାଣ୍ଡେ ବାନ୍ଧି ରଖି ବଡ଼ ଶଟ ଖେଳିବା ପାଇଁ ସୁଯୋଗ ଦେଇ ନ ଥିଲେ। ଫଳରେ ରାଜସ୍ଥାନ ୮ ୱିକେଟ ହରାଇ ୧୪୮ ରନ କରି ପରାଜିତ ହୋଇଥିଲା। ଦିଲ୍ଲୀର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆନରିକ ନୋର୍ଟଜୀ (୨/୩୩) ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ହାସଲ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ