ଅର୍ଥନୀତିରେ ନୋବେଲ୍ ପାଇଁ ମିଲଗ୍ରୋମ୍ ଓ ୱିଲସନ୍ ମନୋନୀତ


୨୦୨୦ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇବା ସକାଶେ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିର ଦୁଇ ଅର୍ଥନୀତିଜ୍ଞ ପଲ୍ ଆର ମିଲଗ୍ରୋମ୍ ଓ ରବର୍ଟ ବି ୱିଲସନ୍ ମନୋନୀତ ହୋଇଛନ୍ତି। ଏହି ଦୁଇ ବିଶିଷ୍ଟ ଅର୍ଥନୀତିକ ଅକ୍ସନ୍ ଥିଓରୀର ବିକାଶ ଓ ନୂଆ ଅକ୍ସନ୍ ଫର୍ମାଟର ଉଦ୍ଭାବନ କରିଥିବାରୁ ସେମାନଙ୍କୁ ଅର୍ଥନୀତି ବିଜ୍ଞାନରେ ୨୦୨୦ ସ୍ବେରିଜେସ୍ ରିକ୍ସବ୍ୟାଙ୍କ୍ ପୁରସ୍କାର ପ୍ରଦାନ ସକାଶେ ମନୋନୀତ କରାଯାଇଛି। ଏହି ପୁରସ୍କାର ବାବଦରେ ଦୁଇ ବିଜେତାଙ୍କୁ ୧୦ ନିୟୁତ ସ୍ବେଡିଶ୍ ନୋନୋର୍ ପ୍ରଦାନ କରାଯିବ। ଏହି ଦୁଇ ଅର୍ଥନୀତିଜ୍ଞ କିପରି ଭାବେ ଅକ୍ସନ୍ ପ୍ରକ୍ରିୟା ହୋଇଥାଏ ତାହା ଉପରେ ଗବେଷଣା କରିଛନ୍ତି। ସେହିପରି ପାରମ୍ପରିକ ତରିକାରେ ବିକ୍ରି ହେବା ଦିଗରେ ସମସ୍ୟାର ସମ୍ମୁଖୀନ ହେଉଥିବା ସାମଗ୍ରୀ ଓ ସେବାର ଉପଯୁକ୍ତ ଅକ୍ସନ୍ ପାଇଁ ମଧ୍ୟ ସେମାନେ ନୂଆ ତରିକା ଉଦ୍ଭାବନ କରିଛନ୍ତି। ଏଥି ମଧ୍ୟରେ ରେଡିଓ ଫ୍ରିକ୍ବେନ୍ସିଜ୍ ଅନ୍ୟତମ। ସେମାନଙ୍କର ଏହି ଉଦ୍ଭାବନ ଦ୍ବାରା ବିଶ୍ବର ବିକ୍ରେତା, କ୍ରେତା ଓ ଟିକସଦାତାମାନେ ଲାଭବାନ ହୋଇପାରିଛନ୍ତି।

ସାଧାରଣତଃ ଅକ୍ସନରେ କୌଣସି ବ୍ୟକ୍ତି ସର୍ବାଧିକ ମୂଲ୍ୟ ଦେଇ ଉକ୍ତ ସାମଗ୍ରୀକୁ ହାସଲ କରିଥାଏ। ଅନ୍ୟପକ୍ଷରେ ସବୁଠାରୁ କମ୍ ଦାମ୍ ଅଫର୍ କରିଥିବା ବ୍ୟକ୍ତି ମଧ୍ୟ ଅକ୍ସନରେ ବିଜେତା ହୋଇଥାଏ। କିନ୍ତୁ ବର୍ତ୍ତମାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ବିଭିନ୍ନ ଚିତ୍ରକଳା ଓ ଆଣ୍ଟିକ୍ ସାମଗ୍ରୀର ମଧ୍ୟ ଅକସନ୍ ହେଉଛି। ତା’ଛଡ଼ା ସିକ୍ୟୁରିଟିଜ୍, ଖଣିଜ ପଦାର୍ଥ ଓ ଶକ୍ତି କ୍ଷେତ୍ର ସହ ଜଡ଼ିତ ସାମଗ୍ରୀର ମଧ୍ୟ ଅକ୍ସନ୍ କରାଯାଉଛି। ଏହାଛଡ଼ା ଅକ୍ସନ୍ ମାଧ୍ୟମରେ ମଧ୍ୟ ସାର୍ବଜନିକ ଖରିଦାରୀ ମଧ୍ୟ ହେଉଛି। ଉପରୋକ୍ତ ଦୁଇ ଅର୍ଥନୀତିଜ୍ଞ ଉଦ୍ଭାବନ କରିଥିବା ଅକ୍ସନ୍ ଥିଓରିର ଉପଯୋଗ ମାଧ୍ୟମରେ ବିଭିନ୍ନ ପ୍ରକାର ବିଡିଂ, ଚୂଡ଼ାନ୍ତ ମୂଲ୍ୟ ଓ ଅକ୍ସନ୍ ଫର୍ମାଟ୍ ଆଦି ସହ ଜଡ଼ିତ ନାନାଦି ନିୟମକୁ ବୁଝିହୋଇଥାଏ। ଅବଶ୍ୟ ଏହାର ବିଶ୍ଳେଷଣ ସାମାନ୍ୟ କଷ୍ଟସାଧ୍ୟ। କାରଣ ବିଭିନ୍ନ ସାମଗ୍ରୀ ଖରିଦ୍ ପାଇଁ ବିଡ୍ ଦାଖଲ କରିଥିବା ବ୍ୟକ୍ତିବିଶେଷ ଉପଲବ୍ଧ ସୂଚନା ଆଧାରରେ ବିଚିତ୍ର ଆଚରଣ ପ୍ରକାଶ କରିଥାନ୍ତି। ସେମାନେ ବିଡ୍ ଦାଖଲ କରିବା ବେଳେ ନିଜର ଜ୍ଞାନର ଉପଯୋଗ କରିବା ସହ ପ୍ରତିଦ୍ବନ୍ଦ୍ବୀ ବିଡର୍ କ’ଣ ଚିନ୍ତା କରୁଛି, ତାକୁ ମଧ୍ୟ ଆକଳନ କରିବାକୁ ଉଦ୍ୟମ କରିଥାନ୍ତି। ୧୯୪୮ ମସିହାରେ ମିଲଗ୍ରୋମ୍ ଆମେରିକାର ଡେଟ୍ରଏଟ୍‌ଠାରେ ଜନ୍ମଗ୍ରହଣ କରିଥିବା ବେଳେ ୧୯୭୯ରେ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ପିଏଚଡି ହାସଲ କରିଥିଲେ। ବର୍ତ୍ତମାନ ସେ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ମାନବିକତା ଓ ବିଜ୍ଞାନ ବିଭାଗରେ ଜୁନିୟର୍ ପ୍ରଫେସର ଭାବେ କାର୍ଯ୍ୟରତ। ସେହିପରି ୧୯୩୭ରେ ଆମେରିକାର ଜେନେଭାଠାରେ ଜନ୍ମଗ୍ରହଣ କରିଥିବା ୱିଲସନ୍ ୧୯୬୩ରେ ହାର୍ଭାର୍ଡ ୟୁନିଭର୍ସିଟିରୁ ଡକ୍ଟରେଟ୍ ଲାଭ କରିଥିଲେ। ବର୍ତ୍ତମାନ ସେ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ମ୍ୟାନେଜମେଣ୍ଟ୍ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ