ଭାରତ ବଜାରରେ ମାରୁତି ସୁଜୁକି ଅଲ୍ଟୋକୁ ୨୦ ବର୍ଷ ପୂରିଲା, ୪୦ ଲକ୍ଷ ବିକ୍ରି


ଭାରତର ଜଣାଶୁଣା ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକିର ଅଲ୍ଟୋ ମଡେଲ୍ ଇତିମଧ୍ୟରେ ଭାରତୀୟ ବଜାରରେ ୨୦ ବର୍ଷ ପୂରଣ କରିଛି। ପାଖାପାଖି ଦୁଇ ଦଶନ୍ଧି ତଳେ ଏହି ମଡେଲ୍ ଭାରତୀୟ ବଜାରରେ ପ୍ରବେଶ କରିଥିବା ବେଳେ ଇତିମଧ୍ୟରେ ୪୦ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିପାରିଛି। ୨୦୦୦ ମସିହାରେ ସର୍ବପ୍ରଥମେ ଭାରତୀୟଙ୍କ ନିକଟରେ ମାରୁତି ସୁଜୁକି ତା’ର ଅଲ୍ଟୋ ମଡେଲ୍ ପହଞ୍ଚାଇଥିଲା। ଏହି ମଡେଲ୍ ଗତ ୨୦ ବର୍ଷ ଭିତରେ ଭାରତୀୟଙ୍କ ପ୍ରମୁଖ ପସନ୍ଦ ରହିଆସିଥିବା ବେଳେ ଏହା ପ୍ରଥମ ଥର ଗାଡ଼ି ବ୍ୟବହାର କରୁଥିବା ଗ୍ରାହକମାନେ ଏହାକୁ ଅଧିକ ପସନ୍ଦ କରୁଥିବା ପରିଲକ୍ଷିତ ହୋଇଆସିଛି। ଏହି କାରଣରୁ ଗତ ୧୬ ବର୍ଷ ଧରି ଅଲ୍ଟୋ ଭାରତର ସର୍ବାଧିକ ବିକ୍ରି ହେଉଥିବା ଚାରିଚକିଆ ଯାନର ମର୍ଯ୍ୟାଦା ପାଇଆସିଛି। ସେହିପରି ଗତ ୨୦ ବର୍ଷ ମଧ୍ୟରେ ଏହି ମଡେଲରେ ଏକାଧିକ ବାର ପରିବର୍ତ୍ତନ କରାଯିବା ସହ ଏହାର ଆଧୁନିକୀକରଣ ମଧ୍ୟ କରାଯାଇ ସାରିଛି। ଫଳସ୍ବରୂପ କ୍ରମଶଃ ଏହି ମଡେଲରେ ପାରମ୍ପରିକ ସୁବିଧା ସହ ଅତ୍ୟାଧୁନିକ ଫିଚର୍ ମଧ୍ୟ ଉପଲବ୍ଦ ହୋଇପାରିଛି।

ମାରୁତି ସୁଜୁକି ଅଲ୍ଟୋକୁ ଭାରତର ଅଧିକାଂଶ ଗ୍ରାହକ ପସନ୍ଦ କରୁଥିବାର କେତେଗୁଡ଼ିଏ କାରଣ ରହିଛି। ସେଥି ମଧ୍ୟରେ ଚମତ୍କାର ଡିଜାଇନ୍, ସହଜ ଗତିଶୀଳତା, ଉତ୍ତମ ଇଞ୍ଜିନ୍ ଦକ୍ଷତା, ସମୟାନୁସାରେ ନିରାପତ୍ତା ଓ ଆରାମ ସହ ଜଡ଼ିତ ଫିଚରର ଉପଲବ୍ଧତା ଓ ସର୍ବୋପରି ସବୁ ବର୍ଗର ଗ୍ରାହକଙ୍କୁ ସୁହାଇବା ଭଳି ଦାମ୍ ପ୍ରମୁଖ। ବର୍ତ୍ତମାନ ସମୟରେ ମାରୁତି ସୁଜୁକି ଅଲ୍ଟୋ ମଡେଲରେ ଗ୍ରାହକମାନଙ୍କୁ ଟଚସ୍କ୍ରିନ୍ ସ୍ମାର୍ଟପ୍ଲେ ଇନଫୋଟେନମେଣ୍ଟ୍ ସିଷ୍ଟମ୍, ଇବିଡି ସହ ଏବିଏସ୍, ଡୁଆଲ୍ ଟୋନ୍ ଇଣ୍ଟେରିଅର୍ସ ଓ ଡୁଆଲ୍ ଏୟାରବ୍ୟାଗ୍ ପରି ଅତ୍ୟାଧୁନିକ ଫିଚର୍ ମଧ୍ୟ ଯୋଗାଇ ଦେଉଛି। ସେହିପରି ଏହି ମଡେଲ୍ ଭାରତର ପ୍ରଥମ ବିଏସ୍୬ ସମ୍ପନ୍ନ କାର୍ ଏବଂ ଏଥିରେ ମଧ୍ୟ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ରହିଛି। ଏହି କାରର ମାଇଲେଜ୍ ମଧ୍ୟ ଗ୍ରାହକମାନଙ୍କୁ ସୁହାଇ ଆସିଛି। ପେଟ୍ରୋଲ୍ ଭର୍ସନ୍ ଅଲ୍ଟୋ ଏକ ଲିଟର ପେଟ୍ରୋଲରେ ୨୨.୦୫ କିମି ଯାଉଥିବା ବେଳେ ସିଏନଜି ଭର୍ସନ୍ ଏକ କିଗ୍ରା ଗ୍ୟାସରେ ୩୧.୫୬ କିମି ପର୍ଯ୍ୟନ୍ତ ଯାଇପାରୁଛି। ଅଲ୍ଟୋ ମଡେଲରେ ମଧ୍ୟ ଉଭୟ ପେଟ୍ରୋଲ୍ ଓ ସିଏନଜି ଦ୍ବାରା ପରିଚାଳିତ ହେବାର ସୁବିଧା ଉପଲବ୍ଧ ରହିଛି। ଭାରତରେ ଏହି କାର୍‌ର ବିକ୍ରି ଗତ ୨୦୦୮ରେ ୧୦ ଲକ୍ଷରେ ପହଞ୍ଚିଥିଲା। ପରେ ୨୦୧୨ରେ ଏହି ସଂଖ୍ୟା ଦ୍ବିଗୁଣିତ ହୋଇଥିଲା। ସେହିପରି ଗତ ୨୦୧୬ରେ ଏହାର ଗ୍ରାହକ ସଂଖ୍ୟା ୩୦ ଲକ୍ଷରେ ଏବଂ ଗତ ଅଗଷ୍ଟରେ ଏହା ୪୦ ଲକ୍ଷରେ ପହଞ୍ଚିଯାଇଥିବା ମାରୁତି ସୁଜୁକି ଇଣ୍ଡିଆର ମାର୍କେଟିଂ ଓ ସେଲ୍ସ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି। ତାଙ୍କ କହିବାନୁସାରେ, ଗତ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ୮୪ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇସାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ