ନାରୀ ଚାହୁଁଛି ନ୍ୟାୟ

ସ୍ବପ୍ନ ଆଡ଼କୁ ଉଡ଼ାଣ ପାଇଁ ଝିଅଟିକୁ ସହଯୋଗ କର

ଅକ୍ଟୋବର ୧୧ରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଛି। ଲୋକେ ମିଠା ମିଠା କଥା ସୋସାଲ ମିଡିଆ ପ୍ଲାଟଫର୍ମରେ ଲେଖୁଛନ୍ତି। କିନ୍ତୁ ଦୁଇଦିନ ତଳେ କ’ଣ ଘଟିଥିଲା, ଆଜିକାଲି କିଏ ମନେରଖିଛି? ଦୁଇଦିନ ତଳେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ କୁନିଝିଅଟିକୁ ସୋସାଲ ମିଡିଆରେ ଦୁଷ୍କର୍ମର ଧମକ ଦିଆଯାଇଥିଲା। ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସର ପ୍ରଦର୍ଶନ ଖରାପ ହେବାରୁ କେତେକ ଉତ୍ସାହୀ ଖେଳପ୍ରେମୀ ଅଭଦ୍ର ଓ ଅଶ୍ଳୀଳତାର ସବୁ ସୀମା ଲଂଘନ କରିଥିଲେ।

ଅକ୍ଟୋବର ୧୧ର ଯଦି ଆପଣ ଟ୍ବିଟର ଦେଖନ୍ତି ତେବେ ଆଶ୍ଚର୍ଯ୍ୟ ହୋଇଯିବେ। ଅନ୍ତର୍ଜାତୀୟ ବାଳିକା ଦିବସ ପାଇଁ ନାନା ଉପଦେଶ, ସ୍ନେହ, ପରାମର୍ଶ ଅଜଡ଼ା ଯାଇଛି। ସତେ ଯେମିତି ସମାଜ କନ୍ୟାରତ୍ନଙ୍କ ଯତ୍ନ ନେବାରେ କାଣିଚାଏ ତ୍ରୁଟି କରିନାହିଁ। କିନ୍ତୁ ସୋସାଲ ମିଡିଆରେ ବାଳିକା ଏବଂ ମହିଳାଙ୍କ ସହିତ ହେଉଥିବା ବ୍ୟବହାର ପାଇଁ ‘ଭୟଙ୍କର’ ଠାରୁ ଆଉ ନରମ ଶବ୍ଦ ଖୋଜିବା କଷ୍ଟକର ବ୍ୟାପାର।

ଜଣାଶୁଣା ସଂଗଠନ ‘ପ୍ଲାନ ଇଣ୍ଟରନ୍ୟାସନାଲ’ର ନୂଆ ରିପୋର୍ଟ ଆସିଛି। ଦର୍ଶାଯାଇଛି ଯେ ବିଶ୍ବରେ ୬୦ ପ୍ରତିଶତ ଯୁବତୀ ଓ ମହିଳା ଅନଲାଇନ ନିର୍ଯାତନାର ଶିକାର ହୋଇଥାନ୍ତି। ଏହି ରିପୋର୍ଟ ଅନୁଯାୟୀ ପ୍ରତି ୫ମ ମହିଳା ପୁରୁଷଙ୍କ ଠାରୁ ଗାଳି, ଅଶ୍ଳୀଳ ଟିପ୍ପଣୀ, ଅଭଦ୍ର ବ୍ୟବହାର କାରଣରୁ ସୋସାଲ ମିଡିଆ ଠାରୁ ଦୂରେଇ ଯାଇଛନ୍ତି। ଏହି ତାଲିକାର ଶୀର୍ଷରେ ଅଛି ଫେସବୁକ। ଯେଉଁଠି ୩୯ ପ୍ରତିଶତ ମହିଳା ଅଭଦ୍ର ଟିପ୍ପଣୀ ଶୁଣିଥାନ୍ତି। ୨୩ ପ୍ରତିଶତ ଗାଳି ଓ ଅଶ୍ଳୀଳ ମନ୍ତବ୍ୟ ଇନଷ୍ଟାଗ୍ରାମରୁ ମିଳୁଥିବା ବେଳେ ୯ ପ୍ରତିଶତ ଟ୍ବିଟର ନମ୍ବରରୁ ଆସିଥାଏ।

ଥମସନ ରଏଟର୍ସର ଏକ ସର୍ଭେ ଅନୁଯାୟୀ ସଡ଼କ ଏବଂ ସର୍ବସାଧାରଣ ସ୍ଥାନ ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ। ଜାତିସଂଘର ଏକ ରିପୋର୍ଟ ସୂଚିତ କରାଏ ଯେ ବିଶ୍ବରେ ମହିଳାଙ୍କ ପ୍ରତି ସବୁଠୁ ବେଶି ହିଂସା ଏବଂ ଦୁଷ୍କର୍ମ ମାମଲା ନିଜ ଘର ଓ ସମ୍ପର୍କୀୟ ତଥା ଜଣାଶୁଣା ଲୋକଙ୍କ ଦ୍ବାରା ହୋଇଥାଏ। ଏସବୁରୁ ଗୋଟିଏ କଥା ସ୍ପଷ୍ଟ ଯେ ସଡ଼କ, ଘର ଓ ସାଇବର ଦୁନିଆ ଏପରି କୌଣସି ସ୍ଥାନ ନାହିଁ, ଯାହା ମହିଳାମାନଙ୍କ ପାଇଁ ସୁରକ୍ଷିତ।

ଗାଳି, ଧମକ ଓ ଅଭଦ୍ରାମୀ
ନ୍ୟୁୟର୍କ ଟାଇମ୍ସର ଏକ ସଦ୍ୟ ରିପୋର୍ଟ ଅନୁଯାୟୀ ମହିଳାଙ୍କ ଉପସ୍ଥିତି ଓ ସ୍ବର ବହୁତ କ୍ଷୀଣ। ରାଜନୀତି, ମିଡିଆ, ସାଇବର ଦୁନିଆରେ ମହିଳାଙ୍କ ଯୋଗଦାନ ଚିରନ୍ତନତା ବଜାୟ ରଖିପାରୁନି। ଆମ ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରେ ବଡ଼ ଧରଣର ଲିଙ୍ଗୀୟ ବ୍ୟବଧାନ ରହିଛି। ୭୨ ପ୍ରତିଶତ ପୁରୁଷ ଇଣ୍ଟରନେଟ ବ୍ୟବହାର କରୁଥିବା ବେଳେ ୨୮ ପ୍ରତିଶତ ମହିଳା ଇଣ୍ଟରନେଟ ବ୍ୟବହାର କରନ୍ତି। କିନ୍ତୁ ଏହି ୨୮ ପ୍ରତିଶତ ପବ୍ଲିକ ଡିବେଟରେ ଅଂଶଗ୍ରହଣ କରନ୍ତିନି। ଏହାର କାରଣ ହେଉଛି ପୁରୁଷଙ୍କ ଗାଳିଗୁଲଜ ଏବଂ ଅଭଦ୍ର ବ୍ୟବହାରର ଡର। ୟୁନିଭରସିଟି ଅଫ ମିସୁରୀ-କଲମ୍ବିଆ ପକ୍ଷରୁ ୪୦ ହଜାରରୁ ଅଧିକ ବ୍ଲଗସକୁ ଅଧ୍ୟୟନ କରି ନିଜର ଏକ ଲମ୍ବା ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ କହିଛି ଯେ ପୁରୁଷ ତୁଳନାରେ ମହିଳାମାନେ ଲେଖୁଥିବା ବ୍ଲଗସ ଏବଂ ଆର୍ଟିକଲ ଉପରେ ଅଧିକ କଡ଼ା ସମାଲୋଚନା ହୋଇଥାଏ। ଏଥିରୁ ଅଧିକାଂଶ ମହିଳା ଲେଖକଙ୍କର ବ୍ୟକ୍ତିଗତ ଚରିତ୍ର ଓ ଯୌନଜୀବନକୁ ସିଧାସଳଖ ଆକ୍ଷେପ କରାଯାଇଥାଏ।

ୟୁନେସ୍କୋ ମଧ୍ୟ ଅନଲାଇନ ନିର୍ଯାତନାକୁ ନେଇ ନିଜର ଏକ ରିପୋର୍ଟରେ କହିଛନ୍ତି ଯେ ମହିଳାମାନେ ଲେଖୁଥିବା ଲେଖା ଉପରେ ପୁରୁଷ ଲେଖକଙ୍କ ଲେଖା ତୁଳନାରେ ୫୬ ପ୍ରତିଶତ ଅଧିକ ଅଭଦ୍ର ମତ ଓ ମନ୍ତବ୍ୟ ଦିଆଯାଉଛି। ଏସବୁ କାରଣରୁ ମୁଖର ଯୁବତୀଙ୍କ ତୁଳନାରେ ଏଠି ମୂକ ପାଲଟିଥିବା ଯୁବତୀଙ୍କ ସଂଖ୍ୟା ଅଧିକ। ଯଦି ଜଣେ ମହିଳା କେଉଁଠି ଅଭଦ୍ର ଆଚରଣର ଶିକାର ହୋଇ କିଛି ଲେଖା ଲେଖିଲା, ତେବେ ତାକୁ ଗଣଦୁଷ୍କର୍ମର ଧମକ ମିଳିବା ଭଳି ଘଟଣା ଘଟୁଥିବାରୁ ମହିଳାଟି ପରେ ପରେ ଇନବକ୍ସକୁ ଆସି ପ୍ରକାଶ କରିଥିବା ସତକୁ ଘୋଡ଼ାଇ ପକାଉଛି। କହୁଛି, ମୋ ସ୍ବାମୀ ଏୟା କରିଥିଲେ, ଚାଚା ଏୟା କରିଥିଲେ ଏପରି। ସମାଜର ବିଭିନ୍ନ କ୍ଷେତ୍ରରେ ନାରୀଟିଏ ପୁରୁଷ ସହ ପାଦ ମିଳାଇ ଆଗକୁ ବଢ଼ୁଛି, କିନ୍ତୁ କିଛି କମ ବାଧା ତାକୁ ସହ୍ୟ କରିବାକୁ ପଡ଼ୁନି। ବାଳିକାଙ୍କୁ ସାହାଯ୍ୟ କର, ସେମାନଙ୍କର ସ୍ବପ୍ନ ଓ ସମ୍ଭାବନାକୁ ବାସ୍ତବ ରୂପ ଦେବାରେ ସହାୟତା କର, ସେମାନଙ୍କର କଥା ଶୁଣ ବୋଲି ଅକ୍ଟୋବର ୧୧ ଇଣ୍ଟରନ୍ୟାସନାଲ ଡେ ଅଫ ଗାର୍ଲ ଚାଇଲ୍ଡ ପାଳନ ଅବସରରେ ଟ୍ବିଟ କରି ବିଶ୍ବବାସୀଙ୍କୁ ପୁଣିଥରେ ଅନୁରୋଧ କରିଛନ୍ତି ୟୁନିସେଫର କାର୍ଯ୍ୟକାରୀ ନିର୍ଦେଶକ। କିନ୍ତୁ ଏହା ସତକରେ କ’ଣ ପୁରୁଷ କୈନ୍ଦ୍ରିକ ବ୍ୟବସ୍ଥାରେ ସମ୍ଭବ ହୋଇପାରିବ? ବର୍ଷ ବର୍ଷର ରୁଢ଼ିବାଦୀ ପୁରୁଷପଣିଆ କ’ଣ ମହିଳାଙ୍କ ପାଇଁ ସମାନ ନ୍ୟାୟ କଥା ଶୁଣିପାରିବ? ସମୟକୁ ଅପେକ୍ଷା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ