୭୯ରେ ବିଗ୍ ବି’: ଜାଣନ୍ତୁ ମହାନାୟକଙ୍କ ଜୀବନର କେତୋଟି ଅଜଣା କଥା


ବଲିଉଡରେ ମହାନାୟକ ଭାବେ ପରିଚିତ ବିଗ୍ ବି’ ଅମିତାଭ ବଚ୍ଚନ ରବିବାର ତାଙ୍କର ୭୮ତମ ଜନ୍ମଦିନ ପାଳନ କରିଛନ୍ତି। ଉତ୍ତର ପ୍ରଦେଶର ଆହ୍ଲାବାଦ (ଏବେ ପ୍ରୟାଗରାଜ ଭାବେ ପରିଚିତ) ସହରରେ ୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିବା ଅମିତାଭ ଏକଦା ନିଜର ଓଜନଦାର କଣ୍ଠସ୍ବର ପାଇଁ ରେଡିଓ ଷ୍ଟେସନ୍‌ରୁ ପ୍ରତ୍ୟାଖ୍ୟାତ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହି କଣ୍ଠସ୍ବର ହିଁ ତାଙ୍କୁ ପ୍ରସିଦ୍ଧି ଦେଇଥିଲା। କୋଟି କୋଟି ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ସେ ପାଲଟିଥିଲେ ପ୍ରେରଣାର ଉତ୍ସ। ହିନ୍ଦୀ ଚଳଚ୍ଚିତ୍ର ପ୍ରେମୀଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସ୍‌ଷ୍ଟି କରିପାରିଥିବା ଅମିତାଭଙ୍କର ଏବେ ବି କ୍ରେଜ୍ କମିନାହିଁ। ଚଳଚ୍ଚିତ୍ର ସହ ଟିଭିରେ ମଧ୍ୟ ତାଙ୍କର ଦବଦବା କାଏମ ରହିଛି। ତେବେ ଏହି ମେଗାଷ୍ଟାରଙ୍କ ସମ୍ପର୍କରେ କିଛି ଅନାଲୋଚିତ ତଥ୍ୟ ଉପରେ ଏଠାରେ ଆଲୋକପାତ କରିବା।

  • ଅମିତାଭ ବଚ୍ଚନ ବଲିଉଡରେ ପ୍ରବେଶ ପାଇଁ ସଂଘର୍ଷ କରୁଥିବା ବେଳେ ତାଙ୍କୁ ଜଣାଶୁଣା ହାସ୍ୟ କଳାକାର ମେହମୁଦ୍ ବେଶ୍ ସହାୟତା କରିଥିଲେ। ତାଙ୍କ ପାଇଁ ମାର୍ଗଦର୍ଶକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ମେହମୁଦ୍ ତାଙ୍କୁ ନିଜ ଘରେ ରହିବାର ମଧ୍ୟ ସୁଯୋଗ ଦେଇଥିଲେ।
  • ଅମିତାଭଙ୍କ ଏକମାତ୍ର କନ୍ୟା ଶ୍ବେତା ଚଳଚ୍ଚିତ୍ର ଜଗତଠାରୁ ବେଶ୍ ଦୂରରେ ରହି ନିଜର ସାଂସାରିକ ଜୀବନ ଅତିବାହିତ କରିଛନ୍ତି। ତେବେ ଅନେକଙ୍କୁ ବୋଧହୁଏ ଜଣା ନ ଥିବ ଯେ ଶ୍ବେତାଙ୍କ ଶାଶୂ ବଲିଉଡର ଜଣେ ଖ୍ୟାତନାମା ଅଭିନେତା, ନିର୍ଦେଶକ, ପ୍ରଯୋଜକଙ୍କ କନ୍ୟା। ଶ୍ବେତାଙ୍କ ସ୍ବାମୀ ନିଖିଲ ନନ୍ଦାଙ୍କ ମା’ ଆଉ କେହି ନୁହନ୍ତି, ବରଂ ବଲିଉଡରେ ଶୋ’ମ୍ୟାନ୍ ଭାବେ ପରିଚିତ ରାଜ କପୁରଙ୍କ କନ୍ୟା।
  • ବିଗ୍ ବି’ ଶ୍ବାସଜନିତ ରୋଗରେ ପୀଡ଼ିତ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ତାଙ୍କର ଆହୁରି ମଧ୍ୟ ସ୍ନାୟୁଜନିତ ସମସ୍ୟା ରହିଛି, ଯାହାର ନାମ ମ୍ୟାସ୍ଥେନିଆ ଗ୍ରେଭିସ୍।
  • ଅମିତାଭଙ୍କ ନାଁ ଆଜି ଆବାଳବ୍‌ଦ୍ଧବନିତାଙ୍କ ନିକଟରେ ବେଶ୍ ପରିଚିତ। କିନ୍ତୁ ଆପଣ ଜାଣନ୍ତି କି ପିତା ହରିବଂଶରାଏ ବଚ୍ଚନ ପ୍ରଥମେ ତାଙ୍କ ପୁଅର ନାଁ ଅମିତାଭ ନୁହେଁ, ବରଂ ଇନକ୍ବିଲାବ୍ ରଖିବାକୁ ଚିନ୍ତା କରିଥିଲେ।
  • ଅଭିନୟରେ ପାରଦର୍ଶିତା ହାସଲ କରିଥିବା ଅମିତାଭ ଅନେକ ଫିଲ୍ମରେ ବାମହାତରେ ଲେଖାଲେଖି କରିବା ସହ ଅଧିକାଂଶ କାର୍ଯ୍ୟ ଏହି ହାତରେ ହିଁ ସମ୍ପାଦନ କରୁଥିବା ଦେଖାଯାଇଆସିଛି। ତେବେ ଏହି ଅଭିନେତା ଜଣକ ଉଭୟ ବାମ ଓ ଡାହାଣ ହାତରେ ବେଶ୍ ଆରାମରେ ଲେଖାଲେଖି କରିପାରନ୍ତି, ଏହା ବୋଧହୁଏ ଅନେକ ଜାଣି ନ ଥିବେ।
  • ଅମିତାଭ ସର୍ବପ୍ରଥମେ ବଲିଉଡ୍ ସହ କଣ୍ଠଦାନ କରି ଯୋଡ଼ିହୋଇଥିଲେ। ମୃଣାଳ ସେନ୍‌ଙ୍କ ‘ଭୁବନ ସୋମ’ ଚଳଚ୍ଚିତ୍ରରେ ସେ ବର୍ଣ୍ଣନାକାରୀ (ନାରେଟର୍) ଭାବେ କାର୍ଯ୍ୟ କରିଥିଲେ। ସେହିପରି ନିର୍ଦେଶକ ସତ୍ୟଜିତ୍ ରାୟ ମଧ୍ୟ ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ଶତରଞ୍ଜ କେ ଖିଲାଡି’ରେ ମଧ୍ୟ ତାଙ୍କ କଣ୍ଠସ୍ବରର ଉପଯୁକ୍ତ ବିନିଯୋଗ କରିପାରିଥିଲେ।
  • ବାଲ୍ୟ ଜୀବନରେ ଅମିତାଭ ବଚ୍ଚନ ଅଭିନେତା ହେବାକୁ ଆଦୌ ଚାହୁଁ ନ ଥିଲେ। ବରଂ ପେସାରେ ଜଣେ ଇଞ୍ଜିନିୟର୍ ହେବା ପାଇଁ ଲକ୍ଷ୍ୟ ରଖିଥିଲେ। ଏପରିକି ଏକଦା ଭାରତୀୟ ବାୟୁସେନାରେ ବି ପାଇଲଟ୍ ହେବା ସକାଶେ ମନ ବଳାଇଥିଲେ। କିନ୍ତୁ ତାଙ୍କ ଭାଗ୍ୟରେ ଅଲଗା କିଛି ଲେଖା ଥିଲା ଓ ସେ ବଲିଉଡରେ ସଂଘର୍ଷମୟ ଜୀବନ ପରେ ଅପାର ସଫଳତା ପାଇଛନ୍ତି।
  • ମେଗାଷ୍ଟର୍ ଭାବେ ଅମିତାଭ ବଚ୍ଚନଙ୍କ ପାରିଶ୍ରମିକ ଢେର୍ ଅଧିକ। କିନ୍ତୁ ଏହି ମହାନାୟକ ଏକଦା ମାତ୍ର ୩ ଶହ ଟଙ୍କାରେ କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କହିଲେ କେହି ବି ବିଶ୍ବାସ କରି ନ ପାରନ୍ତି। କିନ୍ତୁ ଏହା ନିରାଟ ସତ୍ୟ।
  • ନିଜର ଫିଲ୍ମ କ୍ୟାରିଅର୍ ‘ସାତ୍ ହିନ୍ଦୁସ୍ତାନୀ’ରୁ  ଆରମ୍ଭ କରିଥିବା ଅମିତାଭ ଲଗାତର ୧୨ଟି ଫ୍ଲପ୍ ଫିଲ୍ମ ଦେଇଥିଲେ। କିନ୍ତୁ ଶେଷରେ ପ୍ରକାଶ ମେହରାଙ୍କ ‘ଜଞ୍ଜିର୍’ ତାଙ୍କୁ ପ୍ରସିଦ୍ଧି ଦେଇଥିଲା ଓ ସେ ଇଣ୍ଡଷ୍ଟ୍ରୀରେ ଆଙ୍ଗ୍ରି ୟଙ୍ଗମ୍ୟାନର ପରିଚିତି ହାସଲ କରିଥିଲେ।
  • ବାସ୍ତବରେ ଅମିତାଭଙ୍କ ଟାଇଟଲ୍ (ସାଙ୍ଗିଆ) ବଚ୍ଚନ ନ ଥିଲା, ବରଂ ତାହା ଶ୍ରୀବାସ୍ତବ ଥିଲା। କିନ୍ତୁ ପିତା ହରିବଂଶରାଏ ଏହି ଟାଇଟଲ୍ ବଦଳରେ ବଚ୍ଚନ ଟାଇଟଲ୍‌କୁ ଆପଣାଇଥିଲେ। ଏହା ପରଠାରୁ ଅମିତାଭଙ୍କ ସହ ଏହି ଟାଇଟଲ୍ ରହିଆସିଛି।
  • ଅମିତାଭଙ୍କୁ ସୁନୀଲ ଦତ୍ତ ‘ରେଶମା ଓ ଶେରା’ ପାଇଁ ଜଣେ ମୂକ ଭୂମିକାରେ ଅଭିନୟ କରିବା ସକାଶେ ଅମିତାଭଙ୍କୁ ନେଇଥିଲେ। କିନ୍ତୁ ଏଥିପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସୁପାରିସ୍ ଆବଶ୍ୟକ ପଡ଼ିଥିଲା। ସେତେବେଳେ ତାଙ୍କ ଅଭିନେତ୍ରୀ ବାନ୍ଧବୀ ନର୍ଗିସ୍‌ଙ୍କୁ ଇନ୍ଦିରା ଏକ ସୁପାରିସ୍ ପତ୍ର ପଠାଇଥିଲେ।
  • ବଲିଉଡ୍‌ରେ ଅମିତାଭ ସବୁଠାରୁ ଅଧିକ ଚଳଚ୍ଚିତ୍ରରେ ଡବଲ୍ ରୋଲ୍ କରିଛନ୍ତି। ସେ ‘ମହାନ୍’ ଫିଲ୍ମରେ ଏକକାଳୀନ ତିନିଟି ରୋଲ୍ କରିଥିଲେ। ସେହିପରି ଅମିତାଭ ୧୯୯୫ରେ ଭାରତରେ ଆୟୋଜିତ ମିସ୍ ୱାର୍ଲ୍ଡ ବିଉଟି କଣ୍ଟେଷ୍ଟରେ ଅନ୍ୟତମ ବିଚାରକ ଭାବେ ଯୋଗ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ