ମାନସିକ ରୋଗର ମାଡ଼: ଧନୀ ବେହାଲ, ଗରିବ କରିବେ କ’ଣ?

ଦେଶର ସରକାରୀ ହସ୍ପିଟାଲରେ ମିଳୁନି ଚିକିତ୍ସା, ଲୁଟୁଛନ୍ତି ଘରୋଇ ଡାକ୍ତର

ମୁଁ ମୋର ମାନସିକ ସ୍ବାସ୍ଥ୍ୟର ଯତ୍ନ ରଖିବା ପ୍ରୟାସରେ ବର୍ତ୍ତମାନ ସୁଦ୍ଧା ୧,୬୧,୮୦୦ ଟଙ୍କା ଖର୍ଚ୍ଚ କରିଛି। ମାନସିକ ସ୍ବାସ୍ଥ୍ୟ ପ୍ରତି ସଚେତିତ ହେବା ଜରୁରୀ ଏବଂ ଏହା ବହୁତ ମହଙ୍ଗା ମଧ୍ୟ। କାହିଁକି? କାରଣ ଭାରତର ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମିରେ ମାନସିକ ସ୍ବାସ୍ଥ୍ୟକୁ ଯେତିକି ଗୁରୁତ୍ବ ଦେବା କଥା ଦିଆଯାଉ ନାହିଁ। ଏକ ମିଡିଆ ସଂସ୍ଥାରେ କାମ କରୁଥିବା କର୍ଣ୍ଣିକା କୋହଲି ଗତ ଜୁଲାଇ ୨୧ରେ ଟ୍ବିଟ କରି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ରାଜଧାନୀ ଦିଲ୍ଲୀରେ ରହୁଥିବା କର୍ଣ୍ଣିକା ଜଣେ ସାମ୍ବାଦିକା। ତାଙ୍କର ଆୟ ମଧ୍ୟ ଠିକଠାକ। ଏସବୁ ସତ୍ତ୍ବେ ତାଙ୍କୁ ମନେହେଉଛି ଯେ ଡିପ୍ରେସନ ଏବଂ ଆଙ୍ଗଜାଇଟିର ଚିକିତ୍ସାରେ ଅତ୍ୟଧିକ ଅର୍ଥ ଖର୍ଚ୍ଚ ହେଉଛି। ମୌଲଶ୍ରୀ କୁଲକର୍ଣ୍ଣିଙ୍କୁ ମଧ୍ୟ ଏଭଳି ମନେହେଉଛି। କାଉନସେଲିଂ ଏବଂ ଥେରାପିରେ ବର୍ତ୍ତମାନ ସୁଦ୍ଧା ୫୦-୬୦ ହଜାର ଟଙ୍କା ସେ ଖର୍ଚ୍ଚ କରିସାରିଲେଣି।

ପାଣି ପରି ଖର୍ଚ୍ଚ ହେଉଛି ପଇସା
ଦିଲ୍ଲୀରେ ରହୁଥିବା ଓ ଭଲ ଆୟ କରୁଥିବା ଲୋକଙ୍କର ମାନସିକ ଚିକିତ୍ସାକୁ ନେଇ ଯଦି ଏଭଳି ଦୁଃଖ ତେବେ ଦେଶର ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ହାଲତ କିଭଳି ଏଥିରୁ ଅନୁମାନ କରିହେଉଥିବ। ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ସହରରେ ପ୍ରଥମ ଥର ଜଣେ ସାଇକିଆଟ୍ରିକ ଓ ସାଇକୋଲୋଜିଷ୍ଟଙ୍କ ପରାମର୍ଶ ନେବାକୁ ହେଲେ ୧ ହଜାରରୁ ୩ ହଜାର ଟଙ୍କା ଯାଏ ଫିସ ଦେବାକୁ ପଡ଼ିଥାଏ। ମାନସିକ ସମସ୍ୟା ପ୍ରସଙ୍ଗରେ ଏସବୁ ପରାମର୍ଶ ଲମ୍ବା ସମୟ ଚାଲିଥାଏ। କାଉନସେଲିଂ ଓ ଚିକିତ୍ସାର ପ୍ରଭାବ ୨୦-୩୦ ଥର ଡାକ୍ତରଙ୍କୁ ଭେଟିବା ପରେ ପଡ଼େ। ଏଥିରୁ ଏକଥା ସ୍ପଷ୍ଟ ଯେ ମାନସିକ ଅସୁସ୍ଥତା ଭୋଗୁଥିବା ରୋଗୀଟିଏ ଡାକ୍ତରଙ୍କୁ ଭେଟି ଚିକିତ୍ସା ହୋଇ ଭଲ ହେବା ବେଳକୁ ପାଣି ଭଳି କିଭଳି ଟଙ୍କା ଭାସି ଯାଇଥାଏ।

ସ୍ବାସ୍ଥ୍ୟ ବୀମା ମଧ୍ୟ ନାହିଁ

କର୍ଣ୍ଣିକା ଏବଂ ମୌଲଶ୍ରୀଙ୍କ ନିକଟରେ ସ୍ବାସ୍ଥ୍ୟ ବୀମା ପଲିସି ରହିଛି, କିନ୍ତୁ ମାନସିକ ସ୍ବାସ୍ଥ୍ୟ ଏଥିରେ କଭର ହୋଇ ନ ଥାଏ। ସ୍ଥିତି କେତେ ଜଟିଳ ଅନୁମାନ କରନ୍ତୁ। ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ସାରା ଦେଶରେ ମାନସିକ ଅବସାଦକୁ ନେଇ ବ୍ୟାପକ ଚର୍ଚ୍ଚା ଆଲୋଚନା ହେବା ପରେ ସୁପ୍ରିମକୋର୍ଟଙ୍କୁ ପଚାରିବାକୁ ପଡ଼ିଲା କାହିଁକି ବୀମା କମ୍ପାନୀ ଗୁଡ଼ିକ ମାନସିକ ସ୍ବାସ୍ଥ୍ୟକୁ ବୀମାରେ ଆଚ୍ଛାଦିତ କରୁନାହାନ୍ତି। ଜଷ୍ଟିସ ନରିମନ, ନବୀନ ସିହ୍ନା, ଜଷ୍ଟିସ ଗବଇ ଏକ ଅଭିଯୋଗର ଶୁଣାଣି କରି ଏବଂ ଇନସ୍ୟୁରାନ୍ସ ରେଗୁଲେଟୋରୀ ଆଣ୍ଡ ଅଥରିଟି ଅଫ ଇଣ୍ଡିଆକୁ ନୋଟିସ ଦେଇ ମେଣ୍ଟାଲ ହେଲଥକୁ ସ୍ବାସ୍ଥ୍ୟବୀମା କ୍ଷେତ୍ରରେ କାହିଁକି ଯୋଡ଼ାଯାଇ ନାହିଁ ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦେଶ ଦେଇଛନ୍ତି।

ମାନସିକ ରୋଗ ଗୁଡ଼ିକର ଚିକିତ୍ସା ଏତେ ବ୍ୟୟବହୁଳ କାହିଁକି? କ’ଣ ରହିଛି ଏହାର କାରଣ? ଏଭଳି ପ୍ରଶ୍ନର ଉତ୍ତରରେ ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ବିହେଭିଅର ଆଣ୍ଡ ଆଲାଏଡ ସାଇନସେସରେ ସିନିଅର ସାଇକିଆଟ୍ରିକ ଡାକ୍ତର ଓମପ୍ରକାଶ କହନ୍ତି, ମାନସିକ ରୋଗ ଗୁଡ଼ିକର ଚିକିତ୍ସା ବ୍ୟୟବହୁଳ ନୁହେଁ। ଅସଲ କଥା ହେଉଛି ଦେଶର ସରକାରୀ ଡାକ୍ତରଖାନା ଗୁଡ଼ିକରେ ମାନସିକ ରୋଗ ବିଶେଷଜ୍ଞ ଓ ଡାକ୍ତର ନାହାନ୍ତି। ବର୍ଷ ବର୍ଷ ଧରି ସରକାରୀ ହସ୍ପିଟାଲ ଗୁଡ଼ିକରେ ଯେ ମେଣ୍ଟାଲ ୱାର୍ଡ ଖୋଲିବା ଜରୁରୀ, ଏହା ସରକାର ଉପଲବ୍ଧି କରୁନାହାନ୍ତି। ଅପରପାର୍ଶ୍ବରେ ଘରୋଇ ଡାକ୍ତରଖାନା ଗୁଡ଼ିକରେ ଉଭୟ ସାଇକୋଲୋଜିଷ୍ଟ ଏବଂ ସାଇକିଆଟ୍ରିଷ୍ଟଙ୍କୁ ଭଲଦରମା ଓ ଆକର୍ଷଣୀୟ ସୁବିଧା ସୁଯୋଗ ଦିଆଯାଏ। ଏଭଳି ସ୍ଥିତିରେ ଯେଉଁ ଡାକ୍ତର ବାହାରନ୍ତି, ସେମାନେ ଠିକାରେ ସରକାରୀ ନିଯୁକ୍ତିକୁ ଅପେକ୍ଷା ନ କରି ଘରୋଇ ଡାକ୍ତରଖାନାରେ ଯୋଗଦିଅନ୍ତି। ଖୁବ କମ ସରକାରୀ ହସ୍ପିଟାଲରେ ମାନସିକ ରୋଗ ଚିକିତ୍ସା ହୋଇଥାଏ। ସରକାରୀ ଡାକ୍ତରଖାନାରେ ଏହି ରୋଗର ଚିକିତ୍ସା ହେଉ ନ ଥିବାରୁ ଘରୋଇ ମେଡିକାଲ ଏବଂ ଡାକ୍ତର ରୋଗୀଙ୍କୁ ଲୁଟନ୍ତି। ଅଧିକ ଫିସ ଦାବି କରନ୍ତି।

ଲକ୍ଷେ ଲୋକରେ ନାହାନ୍ତି ଜଣେ ଡାକ୍ତର
ସରକାର ନିଜ ହସ୍ପିଟାଲ ଗୁଡ଼ିକରେ ମେଣ୍ଟାଲ ୱାର୍ଡ ଓ ଡାକ୍ତର ନିଯୁକ୍ତ ନ କରି ଘରୋଇ ହସ୍ପିଟାଲ ଗୁଡ଼ିକର ବିକାଶ ପାଇଁ ବାଟ ଖୋଲି ଦେଇଛନ୍ତି। ମୁଷ୍ଟିମେୟ ବ୍ୟବସାୟୀ ଏବଂ କମ୍ପାନୀ ଲାଭବାନ ହେବା ବେଳକୁ ସାଧାରଣ ଜନଗଣଙ୍କ ଏକ ବଡ଼ ଭାଗ ସ୍ବାସ୍ଥ୍ୟସେବାରୁ ବାଦ ପଡ଼ିଯାଇଥାନ୍ତି। ଡିପ୍ରେସନ, ଆବେଗ, ଓସିଡି, ବାଇପୋଲାର ଡିଜଅର୍ଡରର ଚିକିତ୍ସା ଦୀର୍ଘଦିନ ଧରି ଚାଲେ। ରୋଗୀକୁ ଡାକ୍ତରଙ୍କୁ ଫଲୋଅପ ନିୟମିତ ଭାବେ କରିବାର ଆବଶ୍ୟକତା ପଡ଼େ। ଏଥିପାଇଁ ମୋଟ ଚିକିତ୍ସା ଖର୍ଚ୍ଚ ବହୁତ ବଢ଼ିଯାଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁଯାୟୀ ୨୦୧୪-୧୬ ଯାଏ ଦେଶରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ମଧ୍ୟ ଜଣେ ମାନସିକ ରୋଗ ବିଶେଷଜ୍ଞ ନ ଥିଲେ। ଡବ୍ଲ୍ୟୁଏଚଓ (ହୁ) ମାନଦଣ୍ଡ ଅନୁସାରେ ଏହା ପ୍ରତି ୧ ଲକ୍ଷରେ ୩ ରହିବା କଥା। ମାନସିକ ସ୍ବାସ୍ଥ୍ୟ ପାଇଁ ବଜେଟର ୧ ପ୍ରତିଶତ ବି ବ୍ୟୟ ବରାଦ ହୁଏନି। ଯେଉଁମାନଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ଅଛି ସେମାନେ ବି ନିଜ ଜିଲା ତଥା ଆଖପାଖ ଜିଲାରେ ଜଣେ ଭଲ ଡାକ୍ତରଙ୍କୁ ଖୋଜି ପାଆନ୍ତିନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ