ମୋଦି @ ନନ୍‌ଷ୍ଟପ୍ ୨୦: ଆଉ ଏକ ମାଇଲଖୁଣ୍ଟ

ରାଜ୍ୟମୁଖ୍ୟରୁ ରାଷ୍ଟ୍ରମୁଖ୍ୟ ପର୍ଯ୍ୟନ୍ତ ଅବିରତ ଯାତ୍ରାରେ ବାଧାବିଘ୍ନ ସତ୍ତ୍ବେ ପାଇଛନ୍ତି ସଫଳତା

ଭାରତୀୟ ରାଜନୀତିର ଲମ୍ବା ଇତିହାସରେ ଅନେକ ରାଜନେତା ସେମାନଙ୍କର ସଫଳତାର ସ୍ବାକ୍ଷର ଛାଡ଼ିଯାଇଛନ୍ତି। କେଉଁ ରାଜନୈତିକ ଦଳ ଭାରତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରି ବର୍ଷ ବର୍ଷ ଧରି କ୍ଷମତା ଭାର ସମ୍ଭାଳିଆସିଛି ତ ଆଉ କେଉଁଠି ବ୍ୟକ୍ତିବିଶେଷ ନିଜ ଦମରେ ରାଜନୈତିକ ଦଳକୁ ଆଗକୁ ବଢ଼ାଇ କ୍ଷମତା ଉପଭୋଗ କରିଆସିଛନ୍ତି। ସେମାନଙ୍କ ମଧ୍ୟରେ ଏପରି ମଧ୍ୟ କେତେକ ରାଜନେତା ଅଛନ୍ତି, ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ରାଜ୍ୟ ରାଜନୀତିରେ ସେମାନଙ୍କ ଗୋଟି ଚାଳନାରେ ବେଶ୍ ସଫଳ ରହିଛନ୍ତି। ସେମାନଙ୍କୁ ବିରୋଧୀମାନେ କ୍ଷମତାଚ୍ୟୁତ କରିବା ସକାଶେ ନାନାଦି କୌଶଳ ପ୍ରୟୋଗ କରିଥିଲେ ମଧ୍ୟ ତାହା ଫସର ଫାଟିଯାଇଛି। କିନ୍ତୁ ଏହିସବୁ ରାଜନେତାଙ୍କ ମଧ୍ୟରେ ଆଉ ଜଣେ ରାଜନେତା ନିଜର ଏପରି ଏକ ଭାବମୂର୍ତ୍ତି ତିଆରି କରିଛନ୍ତି, ଯାହାର ମୂଳଦୁଆ ବେଶ୍ ସଶକ୍ତ ରହିଛି। ରାଜ୍ୟ ମୁଖ୍ୟଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ମଧ୍ୟ ନିଜର ଦବଦବା କାଏମ ରଖିପାରିଛନ୍ତି। ଅଧିକନ୍ତୁ ବିଦେଶରେ ବି ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିଚାଲିଛି। ଆମେ ଏଠାରେ ଯାହାଙ୍କ ବିଷୟରେ ଆଲୋଚନା କରୁଛୁ, ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଭାବେ ୭ ବର୍ଷ ଧରି ଶାସନ କରିଆସିଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି। ଅବିରତ ଭାବେ ୨୦ ବର୍ଷ ଧରି କ୍ଷମତା ଉପଭୋଗ କରିଆସିଥିବା ଏହି ନେତା ଜଣକ ନିଜର ଅପୂର୍ବ ସ୍ଫୂର୍ତ୍ତି ଓ ବିଚକ୍ଷଣ ବୁଦ୍ଧିମତା ପାଇଁ ଦେଶର ଆବାଳବୃଦ୍ଧବନିତାଙ୍କ ନିକଟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

ବାଧକ ହୋଇପାରି ନ ଥିଲା ବାଧାବିଘ୍ନ
୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିବା ପୂର୍ବରୁ ମୋଦିଙ୍କ ସଂଘର୍ଷମୟ ଜୀବନ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ଥିଲା। ଦାରିଦ୍ୟ୍ରର କଷାଘାତରେ ତାଙ୍କ ବାଲ୍ୟକାଳ ପେଷି ହୋଇଥିଲେ ମଧ୍ୟ ଯାବତୀୟ କଷ୍ଟ ତାଙ୍କର ପ୍ରତିଭାକୁ ଅଧିକ ଶାଣିତ କରିପାରିଥିଲା। ସୁନା ନିଆଁରେ ଜଳି ଏହାର ଶୁଦ୍ଧତାର ପରିଚୟ ଦେବା ଭଳି ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବା ଫଳରେ ମୋଦିଙ୍କ ବ୍ୟକ୍ତିତ୍ବ ଆହୁରି ପରିସ୍ଫୁଟିତ ହୋଇଥିଲା। ନିକଟରେ ୭୦ତମ ଜନ୍ମଦିନ ପାଳିଥିବା ମୋଦି ପିଲାବେଳେ ଭାଦନଗର ରେଳଷ୍ଟେସନରେ ପିତାଙ୍କ ସହ ଚା’ ବିକୁଥିଲେ। ପରେ ଭାଇଙ୍କ ସହ ମଧ୍ୟ ସେ ଚା’ ବିକି ନିଜ ପରିବାରର ଆର୍ଥିକ ବୋଝ ଲାଘବ କରିବାକୁ ଉଦ୍ୟମ କରିଥିଲେ। ପଢ଼ାପଢ଼ିରେ ବିଶେଷ ଆଗୁଆ ନ ଥିଲେ ହେଁ ମୋଦିଙ୍କଠାରେ ବାଲ୍ୟକାଳରୁ ହିଁ ତର୍କ ବିତର୍କରେ ବିଶେଷ ରୁଚି ଥିବା ତାଙ୍କ ଶିକ୍ଷକମାନେ କହିଆସିଛନ୍ତି। ମାତ୍ର ୮ ବର୍ଷ ବୟସରେ ଦେଶସେବାରେ ବ୍ରତୀ ହେବା ସକାଶେ ମୋଦି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘରେ ଯୋଗ ଦେଇଥିଲେ। ପରେ ଯଦିଓ ସେ ଯଶୋଦା ବେନ୍‌ଙ୍କୁ ବିବାହ କରି ସାଂସାରିକ ଜୀବନରେ ସାମିଲ୍ ହୋଇଥିଲେ, କିନ୍ତୁ ଏହି ବନ୍ଧନ ତାଙ୍କୁ ବେଶି ଦିନ ଘରେ ରଖିପାରି ନ ଥିଲା। ଶେଷରେ ସେ ଘର ଛାଡ଼ି ଆରଏସଏସର ଜଣେ ସକ୍ରିୟ ସଦସ୍ୟ ଭାବେ ଉତ୍ତର ଓ ଉତ୍ତର-ପୂର୍ବାଞ୍ଚଳ ଭାରତରେ ବିଚରଣ କରିଥିଲେ।

ସ୍ବୟଂସେବକରୁ ମୁଖ୍ୟମନ୍ତ୍ରୀ
୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ପରେ ମୋଦିଙ୍କୁ ଗିରଫଦାରୀ ଭୟରେ ଲୁଚିବାକୁ ପଡ଼ିଥିଲା। ଆରଏସଏସକୁ ବାସନ୍ଦ କରାଯାଇଥିଲେ ମଧ୍ୟ ମୋଦି ସରକାରଙ୍କ ବିରୋଧରେ ପ୍ରଚାରପତ୍ର ଛପାଇ ଦିଲ୍ଲୀ ପଠାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ୧୯୯୦ରେ ବିଜେପି ଜାତୀୟ ନିର୍ବାଚନ କମିଟିରେ ସ୍ଥାନ ପାଇଥିବା ମୋଦିଙ୍କ ବିଚାରବୁଦ୍ଧି ଓ ରଣନୀତି ବଳରେ ୧୯୯୫ରେ ବିଜେପି ଗୁଜରାଟରେ କ୍ଷମତା ହାସଲ କରିଥିଲା। ପରେ ୨୦୦୧ରେ କେଶୁଭାଇ ପଟେଲଙ୍କ ଅସୁସ୍ଥତା ଓ ଭୁଜ ଭୂମିକମ୍ପ ପରବର୍ତ୍ତୀ ପରିସ୍ଥିତି ପରିଚାଳନାରେ ତାଙ୍କର ବିଫଳତା ପରିପ୍ରେକ୍ଷୀରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ପାଇଥିଲେ। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ୨୦୦୨ରେ ଗୁଜରାଟ ଦଙ୍ଗାରେ ମୋଦିଙ୍କର ଭୂମିକା ରହିଥିବା ନେଇ ନ୍ୟାୟାଳୟରେ ମାମଲା ପହଞ୍ଚିଥିଲେ ମଧ୍ୟ ସେ ନିର୍ଦୋଷରେ ଖଲାସ ହୋଇଥିଲେ। ତାଙ୍କ ବିରୋଧରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) କୌଣସି ପ୍ରମାଣ ପାଇ ନ ଥିଲା। ଭୁଜରେ ସଂଘଟିତ ଭୂମିକମ୍ପ ପରବର୍ତ୍ତୀ ସମୟରେ ଦକ୍ଷତାସମ୍ପନ୍ନ ପରିଚାଳନା ମାଧ୍ୟମରେ ମୋଦି ଯଥେଷ୍ଟ ଲୋକପ୍ରିୟତା ହାସଲ କରିପାରିଥିଲେ। ରାଜ୍ୟରେ ବିରୋଧୀମାନେ ତାଙ୍କ ବିରୋଧରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଭିଯୋଗ ଆଣି କ୍ଷମତାଚ୍ୟୁତ କରିବା ସକାଶେ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କ ଉଦ୍ୟମ କେବଳ ଉଦ୍ୟମରେ ହିଁ ସୀମିତ ରହିଯାଇଛି। ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ୫ ବର୍ଷ ପୂରଣ କରିବା ସହ ୨୦୦୭ରେ ପୁଣିଥରେ ଏହି ଆସନ ଅଳଂକୃତ କରିଥିଲେ। ଅଧିକନ୍ତୁ ୨୦୧୨ରେ ମଧ୍ୟ ତାଙ୍କର ଦବଦବା ଜାରି ରହିଥିଲା।

ପ୍ରଧାନମନ୍ତ୍ରିତ୍ବ କାଳରେ ସାହସିକ ନିଷ୍ପତ୍ତି
ରାଜ୍ୟରେ ତିନି ତିନି ଥର ମୁଖ୍ୟମନ୍ତ୍ରୀ ହେବା ପରେ ମୋଦିଙ୍କ ନଜର ଜାତୀୟ ସ୍ତରର ରାଜନୀତି ଉପରେ ପଡ଼ିଥିଲା। ୨୦୧୪ରେ ବିଜେପିର ଉତ୍ତମ ସାଙ୍ଗଠନିକ ଉଦ୍ୟମ ଓ ଚାଣକ୍ୟ ଭାବେ ପରିଚିତ ଅମିତ୍ ଶାହଙ୍କ ରଣନୀତି ପୁଣିଥରେ ଦଳକୁ ଦେଶ ଶାସନର କ୍ଷମତା ଦେଇଥିଲା। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ନେତୃତ୍ବ ନେଇ ବିଜେପି ୨୦୧୪ରେ କେନ୍ଦ୍ରରେ ସରକାର ଗଠନ କରିଥିଲା ଓ ମୁଖ୍ୟମନ୍ତ୍ରୀ ପଦରୁ ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଥିଲେ ମୋଦି। ଏହାପରଠାରୁ ମୋଦି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିଚାଲିଛନ୍ତି। ପ୍ରଥମ ଥରର ପ୍ରଧାନମନ୍ତ୍ରିତ୍ବ ସମୟରେ ମୋଦି ଆମେରିକା ପରି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଆହୁରି ମଜଭୁତ କରିବା ସହ ଗୁଜରାଟରେ ଆରମ୍ଭ କରିଥିବା ବିଦେଶୀ ପୁଞ୍ଜି ନିବେଶର ଧାରାକୁ ସମଗ୍ର ଦେଶକୁ ସମ୍ପ୍ରସାରିତ କରାଇଥିଲେ। ତାଙ୍କ ଉଦ୍ୟମରେ ବିଦେଶର ବଡ଼ ବଡ଼ କମ୍ପାନୀମାନେ ଭାରତୀୟ ବଜାରର ବିକଶିତ ଚେହେରାକୁ ଚିହ୍ନି ବେଶ୍ ମୋଟା ଅଙ୍କର ପୁଞ୍ଜି ନିବେଶ କରିଥିଲେ। ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ମୋଦି ଦେଶକୁ ସ୍ବାବଲମ୍ବୀ କରିବା ସକାଶେ ଯାବତୀୟ ପଦକ୍ଷେପ ନେଇଛନ୍ତି। ତାଙ୍କର ସାହସିକ ପଦକ୍ଷେପ ତାଙ୍କୁ ପୁଣିଥରେ ୨୦୧୯ରେ ପ୍ରଧାନମନ୍ତ୍ରୀ ଭାବେ ଗାଦିନସୀନ କରିଥିଲା। ଏପରିକି ୨୦୧୪ରେ ସବୁଠାରୁ ଅଧିକ ଆସନ ପାଇଥିବା ବିଜେପି ୨୦୧୯ରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଏଥିପାଇଁ ମୋଦିଙ୍କ ଦ୍‌ଢ଼ ନେତ୍‌ତ୍ବ ଓ ବିମୁଦ୍ରାୟନ, ସାମଗ୍ରୀ ଓ ସେବା କର (ଜିଏସଟି), ପାକିସ୍ତାନ ମାଟିରେ ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ଐତିହାସିକ ପଦକ୍ଷେପର ବିଶେଷ ଭୂମିକା ରହିଥିଲା।

ଯୁବପିଢ଼ିଙ୍କ ପସନ୍ଦ, ମହାଶକ୍ତିଙ୍କ ସ୍ବୀକୃତି
ପ୍ରଧାନମନ୍ତ୍ରୀ ଭାବେ ମୋଦି ଦେଶର ଯୁବପିଢ଼ିର ବିଶ୍ବାସକୁ ଜିତିବାରେ ସକ୍ଷମ ହୋଇଛନ୍ତି। ଭାରତୀୟ ଜନସଂଖ୍ୟାର ସିଂହଭାଗ ଯୁବକ ହୋଇଥିବାରୁ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ବିଭିନ୍ନ ନୀତି ପ୍ରଣୟନ କରିଛନ୍ତି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଭାରତର ଦବଦବାକୁ ବଢ଼ାଇବା ସକାଶେ ସେ ନିୟମିତ ଭାବେ ବିଦେଶ ଗସ୍ତ କରି କୂଟନୈତିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହି କାରଣରୁ ସେ ୭ରୁ ଊର୍ଦ୍ଧ୍ବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟ ହାସଲ କରିଛନ୍ତି, ଯାହାକି ଭାରତର ଅନ୍ୟାନ୍ୟ କୌଣସି ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟରେ ଜୁଟି ନ ଥିଲା। ଏପରିକି ଜାତିସଂଘ ନିରାପତ୍ତା ପରିଷଦ (ୟୁଏନଏସସି) ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା ନେଇ ମୋଦି ତାଙ୍କର ସ୍ବରକୁ ଅଧିକ ତୀବ୍ର କରିଛନ୍ତି। ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ହାତ ମିଳାଇ ଏହି ଦାବିକୁ ଆହୁରି ଶକ୍ତିଶାଳୀ କରିବା ସକାଶେ ନିୟମିତ ଉଦ୍ୟମ କରିଆସିଛନ୍ତି। ତେଣୁ ଆଞ୍ଚଳିକ ରାଜନୀତିଠାରୁ ଆରମ୍ଭ କରି ଜାତୀୟ ରାଜନୀତିରେ ନିଜର ସ୍ଥାନ ପକ୍କା କରିପାରିଥିବା ମୋଦି ଅନ୍ତର୍ଜାତୀୟ ସ୍ତରରେ ବି ନିଜ ପାଇଁ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି। ମୋଦିଙ୍କ ବ୍ୟକ୍ତିତ୍ବ ଆଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହୁଅନ୍ତୁ ଅବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମୀର୍ ପୁଟିନ୍ ଅବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍, ସମସ୍ତେ ଭାରତ ସହ କୂଟନୈତିକ ସମ୍ପର୍କକୁ ସବଳ କରିବା ସକାଶେ ଆଗ୍ରହ ପ୍ରକାଶ କରିଆସିଛନ୍ତି।

ରଥୀଙ୍କୁ ବଳି ହେଲେ ମହାରଥୀ
ଆଞ୍ଚଳିକ ରାଜନୀତିରେ ସଫଳ ହୋଇଥିବା ରାଜନେତାଙ୍କ ମଧ୍ୟରେ ମୋଦି କଦାପି ବି ବ୍ୟତିକ୍ରମ ନୁହନ୍ତି। କାରଣ ୩ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଦେଶରେ ଅନେକ ଆଞ୍ଚଳିକ ଦଳର ମୁଖ୍ୟଙ୍କୁ ମିଳିସାରିଛି। ଏଥିରେ ସିକ୍କିମ୍‌ର ପୱନ୍ କୁମାର ଚାମଲିଙ୍ଗ୍, ପଶ୍ଚିମବଙ୍ଗର ଜ୍ୟୋତି ବସୁ, ଅରୁଣାଚଳ ପ୍ରଦେଶର ଗେଗଙ୍ଗ୍ ଆପାଙ୍ଗ୍, ମିଜୋରାମର ଲାଲ୍ ଥାନୱାଲା, ହିମାଚଳ ପ୍ରଦେଶର ବୀରଭଦ୍ର ସିଂ, ଓଡ଼ିଶା ନବୀନ ପଟ୍ଟନାୟକ, ତ୍ରିପୁରାର ମାଣିକ୍ ସରକାର, ପଞ୍ଜାବର ପ୍ରକାଶ ସିଂ ବାଦଲ, ତାମିଲନାଡ଼ୁର ଏମ. କରୁଣାନିଧି ଓ ହିମାଚଳ ପ୍ରଦେଶର ଯଶୱନ୍ତ ସିଂ ପରମାର ପ୍ରମୁଖ। ଏମାନେ ସମସ୍ତେ ୩ ଥରରୁ ଊର୍ଦ୍ଧ୍ବ ରାଜ୍ୟରେ କ୍ଷମତା ହାସଲ କରିପାରିଛନ୍ତି। କିନ୍ତୁ ଏମାନଙ୍କ ପ୍ରଭାବର ସୀମା କେବଳ ରାଜ୍ୟ ଭିତରେ ହିଁ ସୀମିତ ରହିଛି। ମୋଦିଙ୍କ ତୁଳନାରେ ଏହି ନେତାମାନେ ନିଜ ନିଜ ରାଜ୍ୟରେ ଢେର୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। କିନ୍ତୁ ସେମାନେ ମୋଦିଙ୍କ ପରି ଆଞ୍ଚଳିକ ରାଜନୀତିର ସୀମା ଡେଇଁ ଜାତୀୟ ସ୍ତରରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ସେମାନଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି ଅବା ଆଗାମୀ ଦିନରେ ଶେଷ ହୋଇଯିବ। କିନ୍ତୁ ମୋଦି ଆଞ୍ଚଳିକ ସ୍ତରର ସୀମାକୁ ଡେଇଁ ଜାତୀୟ ସ୍ତରରେ ପହଞ୍ଚି କେନ୍ଦ୍ରରେ କଂଗ୍ରେସର ଦବଦବା ଶେଷ କରିବା ସହ ବିଜେପି ମଧ୍ୟ ଏହି ଦଳର ବିକଳ୍ପ ହୋଇପାରେ ବୋଲି ପ୍ରମାଣିତ କରିଦେଇଛନ୍ତି। ଦ୍ବିତୀୟ ଦଫାରେ ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେଉଥିବା ସମ୍ବିଧାନର ୩୭୦ ଧାରାକୁ ଉଚ୍ଛେଦ କରିବାର ସାହସ ଦେଖାଇଥିଲେ ମୋଦି। ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଏହି ଧାରାରେ ହାତ ମାରିବାର ରିସ୍କ ନେଇ ନ ଥିବା ବେଳେ ମୋଦିଙ୍କ ସଶକ୍ତ ନେତ୍‌ତ୍ବ ଜମ୍ମୁ-କଶ୍ମୀରକୁ ସାମ୍ବିଧାନିକ ଭାବେ ଭାରତରେ ସାମିଲ୍ କରିବାରେ ସକ୍ଷମ ହୋଇଛି। ଆହୁରି ତିନ୍ ତଲାକ୍ ପରି ଏକ ନିର୍ଯାତନା ପାଇଁ ଉଦ୍ଦିଷ୍ଟ ଆଇନକୁ ଉଚ୍ଛେଦ କରି ମୋଦି ଦେଶର ମୁସଲିମ୍ ମହିଳାମାନଙ୍କୁ ଶାନ୍ତିରେ ନିଃଶ୍ବାସ ମାରିବାର ସୁଯୋଗ ଦେଇଛନ୍ତି।

ଦେଶର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେବା ପରେ ମୋଦି ପରିବେଶ ସୁରକ୍ଷା ପାଇଁ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା ସହ ପ୍ରଶାସନିକ କ୍ଷେତ୍ରରେ ସ୍ବଚ୍ଛତା ପାଇଁ ମଧ୍ୟ ଅଣ୍ଟା ଭିଡ଼ିଥିଲେ। ସେ ନିଜକୁ ପ୍ରଧାନମନ୍ତ୍ରୀ ନୁହନ୍ତି, ବରଂ ଦେଶବାସୀଙ୍କର ପ୍ରଧାନ ସେବକ ବୋଲି ଅଭିହିତ କରିଥିଲେ। ଦେଶରେ ୭ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଆସିଥିବା ମୋଦିଙ୍କ ପ୍ରଶାସନିକ ପରିପକ୍ପତା କାରଣରୁ କୌଣସି ବଡ଼ ଧରଣର ସ୍କାମ୍ ନଜରକୁ ଆସିନାହିଁ। ଅର୍ଥାତ୍ ଦେଶରେ ଦୁର୍ନୀତିର ସୀମା ଯଥେଷ୍ଟ ମାତ୍ରାରେ ସଙ୍କୁଚିତ ହୋଇଛି ବୋଲି କହିଲେ ଭୁଲ୍ ହେବ ନାହିଁ। ବିରୋଧୀମାନେ ତାଙ୍କ ସଫେଦ୍ ଜାମା ଉପରେ କାଳିମାର ଛିଟା ଲଗାଇବାକୁ ଉଦ୍ୟମ କରିଆସିଥିଲେ ମଧ୍ୟ ସେ ସବୁବେଳେ ଶୁଦ୍ଧ ସୁନା ପରି ଚମକିଆସିଛନ୍ତି ଓ ତାଙ୍କର ଏହି ଚମକ ଦେଶଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ତାଙ୍କର ବ୍ୟକ୍ତିତ୍ବକୁ ଅଧିକ ଜାଜ୍ଜ୍ବଲ୍ୟମାନ କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ