କାନାଗାଁରୁ କଟକ: ମହକିଲେ ବଣମଲ୍ଲୀ ନମିତା, ସୁମଧୁର ସ୍ବରରେ କଲେ ବିମୋହିତ


ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋରାପୁଟ ଜିଲାର ଦୁର୍ଗମ ବନାଞ୍ଚଳର ଜଣେ ଦଶମ ପଢ଼ୁଆ ଆଦିବାସୀ ଝିଅ ଏବେ ତିନୋଟି ଭାଷାରେ ସୁମଧୁର ସ୍ବରରେ ଗୀତ ଗାଇ ସାରା ରାଜ୍ୟରେ ନିଜର ଏକ ନିଆରା ପରିଚିତି ସ୍‌ଷ୍ଟି କରିଛନ୍ତି। ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ଅଧୀନ ଚିନ୍ତାଗୁଡ଼ା ଗାଁର ଏହି ଝିଅ ନମିତା ମେଲେକାଙ୍କ ଯାଦୁକରୀ ସ୍ବରକୁ ନେଇ ଏବେ ସୋସାଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହେବା ପରେ ତାଙ୍କର ପ୍ରଥମ ଗୀତକୁ ନିକଟରେ କଟକ ଠାରେ ରେକର୍ଡିଂ କରାଯାଇଛି।

ଚିନ୍ତାଗୁଡ଼ା ଗାଁର ଏକ ଟାଇଲ ଛପର ଘରେ ଜନ୍ମିତ ନମିତାଙ୍କୁ ନେଇ ଏବେ ସାରା ରାଜ୍ୟରେ ଆଲୋଚନା। ସୋସାଲ ମିଡିଆରେ ତାଙ୍କର ଏକାଧିକ ଗୀତ ବାଜିବା ପରେ ବଣଜଙ୍ଗଲ ଘେରା ଚିନ୍ତାଗୁଡ଼ାର ଏହି ବଣମଲ୍ଲୀଙ୍କ ମହକକୁ ଦୁନିଆ ଜାଣିଥିଲା। ଗାଁ ପାଖ ଲିନାବାଡ଼ି ଗ୍ରାମ ବିଦ୍ୟାଳୟରେ ଦଶମ ଶ୍ରେଣୀ ପଢ଼ୁଥିବା ନମିତାଙ୍କ ବାପା ତାମାନା ମେଲେକା ଜଣେ ଚାଷୀ ହୋଇଥିବା ବେଳେ ମା ଦାଲି ମେଲେକା ଜଣେ ଗ୍‌ହିଣୀ। ପିତାମାତାଙ୍କ ସ୍ବଳ୍ପ ରୋଜଗାର ଓ ଅଭାବୀ ପରିବାରର ପରିଚାଳନା ଭିତରେ ନମିତା ଉଚ୍ଚଶିକ୍ଷା ପାଇଁ ଲିନାବାଡ଼ି ଆଶ୍ରମ ବିଦ୍ୟାଳୟରେ ଆବାସିକ ଭାବେ ରହି ପାଠ ପଢ଼ୁଥିଲେ। ସାମ୍ପ୍ରତିକ ମହାମାରୀ କୋରୋନା ପ୍ରକୋପକୁ ଦ୍‌ଷ୍ଟିରେ ରଖି ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ନମିତା ଗାଁକୁ ଫେରିଆସିଥିଲେ। ଘରେ ପିତାମାତାଙ୍କୁ ଘର କାମରେ ସହଯୋଗ କରିବା ସହିତ ସମୟ ବାହାର କରି ପଢ଼ାପଢ଼ି କରୁଥିଲେ। ଦିନେ ନିଜ ଘର ବାରଣ୍ଡାରେ ବସି ଗୀତ ଗାଉଥିବା ବେଳେ ଗାଁକୁ ଆସିଥିବା କିଛି ଆଗନ୍ତୁକ ନମିତାଙ୍କ ଗୀତର ସ୍ବର ଶୁଣି ଅଟକିଯିବା ସହ ତାଙ୍କ ଗୀତ ରେକର୍ଡିଂ କରି ସୋସାଲ ମିଡିଆରେ ପ୍ରସାର କରିଥିଲେ। ନମିତାଙ୍କ ଗୀତ ମୋବାଇଲରୁ ମୋବାଇଲକୁ ଘୂରିବୁଲି ପ୍ରଶଂସା ସାଉଁଟିଲା। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ ଜିଲା, ପଡ଼ୋଶୀ ଜିଲା ଦେଇ ଏ ଖବର ରାଜଧାନୀ ଓ କଟକରେ ପହଞ୍ଚିବା ସହିତ ଖବରକାଗଜରେ ଶିରୋନାମା ପାଲଟିଗଲା।

ସଙ୍ଗୀତ ପ୍ରତି ପିଲାଦିନରୁ ରୁଚି
ନମିତାଙ୍କ ପ୍ରତିଭା ଏବେ ଆଉ ନିଜ ଗାଁ ଚିନ୍ତାଗୁଡ଼ାରେ ସୀମିତ ନାହିଁ। ଲିନାବାଡ଼ି ଆଶ୍ରମ ସ୍କୁଲର ସହପାଠୀଙ୍କ ପ୍ରଶଂସା କେବଳ ନୁହେଁ ଏବେ ତାଙ୍କ ଗୀତକୁ ସାରା ରାଜ୍ୟ ପ୍ରଶଂସା କରୁଛି। ନିଜ ମାତ୍‌ଭାଷା କୁଇ ସହିତ ଓଡ଼ିଆ ଓ ହିନ୍ଦୀ ଭାଷାରେ ସେ ଚମତ୍କାର ଶୈଳୀରେ ଗୀତ ଗାଉଛନ୍ତି। ତାଙ୍କ ସୁମଧୁର କଣ୍ଠର ଯାଦୁ ଲକ୍ଷାଧିକ ଶ୍ରୋତାଙ୍କ ମନକୁ କିଣିପାରିଛି। ପିଲାଦିନରୁ ସେ ଗୀତ ପ୍ରତି ଦୁର୍ବଳତା ପ୍ରଦର୍ଶନ କରିଛନ୍ତି। ଟିଭି, ରେଡିଓ ବା ଅନ୍ୟ କେଉଁଠୁ ଗୀତ ଶୁଣିବା ମାତ୍ରେ ସେ ଅଟକି ଯାଆନ୍ତି। ଗୁଣୁଗୁଣେଇ ହୋଇ ସ୍ବର ତୋଳନ୍ତି।

ଜୟପୁର ଓ କଟକରେ ହେଲା ରେକର୍ଡିଂ
ଇତିମଧ୍ୟରେ ଜୟପୁରର ଏକ ଷ୍ଟୁଡିଓରେ ତାଙ୍କର କେତେକ ଗୀତ ରେକର୍ଡିଂ କରାଯାଇଛି। ଏ ଖବର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନିକଟରେ ପହଞ୍ଚିବା ପରେ ସେ ନମିତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇବା ସହ ଗୀତ ଗାଇବାର ସୁଯୋଗ ଦେଇଥିଲେ। ନମିତା ରବିବାର କୋରାପୁଟରୁ କଟକ ଆସି ପହଞ୍ଚିଥିଲେ। ପ୍ରଖ୍ୟାତ ଗୀତିକାର ବିଜୟ ମଲ୍ଲଙ୍କ ଦ୍ବାରା ଓଡ଼ିଆ ଓ କୁଇ ଭାଷାରେ ରଚିତ ଜଗନ୍ନାଥ ଭଜନକୁ ବରିଷ୍ଠ ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦେଶନାରେ ଗାଇଥିଲେ। ବିନା ଗୁରୁ ବିନା ତାଲିମରେ ନମିତାଙ୍କ ସାବଲୀଳ ସ୍ବରକୁ ପ୍ରେମାନନ୍ଦ ପ୍ରଶଂସା କରିଥିଲେ। କଟକ ସିଡିଏ ଗଣେଶ ମଣ୍ଡପ ନିକଟରେ ଥିବା ନିଜ ରେକର୍ଡିଂ ଷ୍ଟୁଡିଓରେ ନମିତାଙ୍କ ପ୍ରଥମ ଗୀତ ରେକର୍ଡିଂ ହୋଇଥିଲା।

ସହାୟତାର ପ୍ରତିଶ୍ରୁତି
ସୋସାଲ ମିଡିଆରେ ସେନସେସନ ପାଲଟିଥିବା ନମିତାଙ୍କ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ରାଜ୍ୟ ସରକାର କୋରାପୁଟ ଜିଲା ପ୍ରଶାସନ ଜରିଆରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ାଇବା ଦିଗରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ସଙ୍ଗୀତ କ୍ୟାରିଅର ପାଇଁ ନମିତାଙ୍କୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ସବ୍ୟସାଚୀ ଉପହାର ସ୍ବରୂପ ହାରମୋନିଅମଟିଏ ପ୍ରଦାନର ପ୍ରତିଶ୍ରୁତି ଦେବା ସହ ସଙ୍ଗୀତ କ୍ୟାରିଅରରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଚହଟିଲେ ବଣମଲ୍ଲୀ
ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦେଶନା ଓ ବିଜୟ ମଲ୍ଲଙ୍କ ଦ୍ବାରା ଲିଖିତ ଜଗନ୍ନାଥ ଭଜନର ରେକର୍ଡିଂ ସରିବା ପରେ ନମିତାଙ୍କ ସ୍ବରରେ ଏକ ନିଆରା ଯାଦୁ ଥିବା କହିଛନ୍ତି ଉଭୟ ଗୀତିକାର ଓ ନିର୍ଦେଶକ। ଦଶମ ଶ୍ରେଣୀର ଏହି ଆଦିବାସୀ ଝିଅଟି ସଙ୍ଗୀତରେ ଏକ ନୂଆ ସମ୍ଭାବନା। ତାଙ୍କ ଭବିଷ୍ୟତ ଉଜ୍ଜ୍ବଳ ବୋଲି କହିଛନ୍ତି ଅଭିନେତ୍ରୀ ବର୍ଷା। ନମିତାଙ୍କ ସହପାଠୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କୋରାପୁଟ ଜିଲାରେ ନମିତାଙ୍କ ପ୍ରତିଭାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ