ମୟଙ୍କ ନିରାଶ: ସୁପର୍ ଓଭରରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ଷ୍ଟୋଇନିସ୍ ହିରୋ


ଆଇପିଏଲର ତ୍ରୟୋଦଶ ସଂସ୍କରଣର ଦ୍ବିତୀୟ ଦିନରେ ହିଁ ସୁପର୍ ଓଭର୍ ଦେଖିବାକୁ ମିଳିଛି। ଏଥିସହ କ୍ରିକେଟ୍ ଯେ ଏକ ଅନିଶ୍ଚିତତା ଖେଳ, ତାହା ବି ପୁଣିଥରେ ପ୍ରମାଣିତ ହୋଇଛି। ରବିବାର ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା କିଙ୍ଗ୍ସ ଏକାଦଶ ପଞ୍ଜାବ ସହ ହୋଇଥିବା ବେଳେ ଏଥିରେ ଭରପୂର ରୋମାଞ୍ଚ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ଦିଲ୍ଲୀ ୮ ୱିକେଟ୍ ହରାଇ ୧୫୭ ରନ୍ କରିଥିଲା। ଜବାବରେ ଏକଦା ଅତି ଶୋଚନୀୟ ଅବସ୍ଥାରେ ଥିଲେ ମଧ୍ୟ ପଞ୍ଜାବ ଓପନର ମୟଙ୍କ ଅଗରୱାଲଙ୍କ ଦମଦାର ୮୯ ରନର ଇନିଂସ ସହାୟତାରେ ବିଜୟର ବେଶ୍ ନିକଟରେ ପହଞ୍ଚିଯାଇଥିଲା। କିନ୍ତୁ ଶେଷ ଓଭରର ପଞ୍ଚମ ବଲରେ ଆଉଟ୍ ହେବା ଫଳରେ ଶେଷ ବଲରେ ବିଜୟ ପାଇଁ ଗୋଟିଏ ରନ୍ ଆବଶ୍ୟକ ହେଉଥିଲା। କିନ୍ତୁ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ମାର୍କସ୍ ଷ୍ଟୋଇନିସ୍ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଜୋର୍ଡାନଙ୍କୁ କ୍ୟାଚ୍ ଆଉଟ୍ କରାଇବା ଫଳରେ ମ୍ୟାଚଟି ଟାଇରେ ଶେଷ ହୋଇଥିଲା। ପରେ ସୁପର୍ ଓଭରରେ ପଞ୍ଜାବ ଅତି ଦୁର୍ବଳ ବ୍ୟାଟିଂ କରି ୩ଟି ବଲ୍ ଭିତରେ ଦୁଇଟି ୱିକେଟ୍ ହରାଇବାରୁ ଦିଲ୍ଲୀ ଆଗରେ ମାତ୍ର ୩ ରନର ଟାର୍ଗେଟ୍ ରହିଥିଲା। ଏହାକୁ ମାତ୍ର ୨ଟି ବଲ୍ ଖେଳି ଦିଲ୍ଲୀ ହାସଲ କରିବା ସହ ପ୍ରତିଯୋଗିତାରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାରିତା ଦେଖାଇଥିବା ଷ୍ଟୋଇନିସ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଦିଲ୍ଲୀର ଦୁଇ ଓପନର ପୃଥ୍ବୀ ଶ’ ଓ ଶିଖର ଧୱନ୍ ଶସ୍ତାରେ ବିଦାୟ ନେବା ପରେ ଅଧିନାୟକ ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ୍  ୭୩ ରନ୍ ଯୋଡ଼ିଥିଲେ। କିନ୍ତୁ ୪ ଚୌକ ସହ ୩୧ ଓ ୩ ଛକା ସହ ୩୯ ରନ୍ କରି ଯଥାକ୍ରମେ ପନ୍ତ୍ ଓ ଆୟର୍ ଆଉଟ୍ ହେବା ଫଳରେ ପଞ୍ଜାବ ପଲା ଭାରି ରହିଥିଲା। କିନ୍ତୁ ଶେଷ ଭାଗରେ ଷ୍ଟୋଇନିସ୍ ବିସ୍ଫୋରକ ଇନିଂସ ଖେଳି ମାତ୍ର ୨୧ ବଲରେ ୭ଟି ଚୌକା ଓ ୩ଟି ଛକା ସହ ୫୩ ରନ୍ କରିବା ଫଳରେ ଦିଲ୍ଲୀ ଏକ ଚାଲେଞ୍ଜିଂ ଟାର୍ଗେଟ୍ ଦେଇପାରିଥିଲା। ପଞ୍ଜାବ ପକ୍ଷରୁ ମହମ୍ମଦ ଶମୀ ୩ଟି ଓ ଶେଲଡନ୍ କୋଟ୍ରେଲ୍ ୨ଟି ୱିକେଟ୍ ନେଇଥିଲେ। ଦିଲ୍ଲୀ ପରି ପଞ୍ଜାବ ମଧ୍ୟ ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇ ମାତ୍ର ୫୫ ରନ୍ ମଧ୍ୟରେ ଅଧିନାୟକ ଲୋକେଶ ରାହୁଲ୍ (୨ ଚୌକା ଓ ଗୋଟିଏ ଛକା)ଙ୍କ ସମେତ ୫ଟି ୱିକେଟ୍ ହରାଇସାରିଥିଲା। କିନ୍ତୁ ଓପନର ମୟଙ୍କ ଚିତ୍ତାକର୍ଷକ ଇନିଂସ ଖେଳିଥିଲେ। ମାତ୍ର ୬୦ ବଲ୍ ଖେଳି ୭ଟି ଚୌକା ଓ ୪ଟି ଛକା ମାଧ୍ୟମରେ ୮୯ ରନ୍ କରିବା ସହ ମୟଙ୍କ ଏକଦା ବେଶ୍ ସହଜରେ ପରାଜୟ ବରଣ କରିବା ସ୍ଥିତିରେ ଥିବା ପଞ୍ଜାବକୁ ବିଜୟ ହାସଲ ସ୍ଥିତିରେ ପହଞ୍ଚାଇଦେଇଥିଲେ। କିନ୍ତୁ ଶେଷ ଓଭରର ଶେଷ ଦୁଇ ବଲରେ ମ୍ୟାଚର ଗତି ବଦଳିଯାଇଥିଲା। ବ୍ୟାଟିଂରେ ହିରୋ ସାବ୍ୟସ୍ତ ହୋଇଥିବା ଷ୍ଟୋଇନିସ୍ ଅଳ୍ପକେ ଖଳନାୟକ ହେବାରୁ ରକ୍ଷା ପାଇଯାଇଥିଲେ। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା, ରବିଚନ୍ଦ୍ରନ୍ ଅଶ୍ବିନ୍ ଓ ଷ୍ଟୋଇନିସ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ପ୍ରତିଯୋଗିତାର ୩ୟ ଦିନରେ ସୋମବାର ଏଠାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ