କୃଷି ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ ଅଚଳାବସ୍ଥା: ବିରୋଧୀ ଦଳ ସାଂସଦଙ୍କ ହଙ୍ଗାମା


ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷି ସଂଶୋଧନ ବିଲକୁ ଲୋକସଭାରେ ପାରିତ କରିବା ପରେ ଏହା ରାଜ୍ୟସଭାରେ ମଧ୍ୟ ପାରିତ ହେବା ନେଇ ଆଶା ପ୍ରକାଶ କରିଥିଲେ। କିନ୍ତୁ ରବିବାର ରାଜ୍ୟସଭାରେ ଏହି ବିଲ୍ ଆଗତ ହେବା ପରେ ବିରୋଧୀ ଦଳର ସଦସ୍ୟମାନେ ଏହାକୁ କଡ଼ା ବିରୋଧ କରିବା ଫଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିରୋଧୀ ଦଳର ସଦସ୍ୟମାନେ ଏହି ସଂଶୋଧନ ବିଲକୁ କୃଷକବିରୋଧୀ ବୋଲି କହିବା ସହ କେନ୍ଦ୍ର ସରକାର କୃଷକମାନଙ୍କ ଭାଗ୍ୟକୁ ପୁଞ୍ଜିପତିଙ୍କ ହାତକୁ ଟେକିଦେବା ସକାଶେ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। ଏହି ବିଲ୍ ବିରୋଧରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବା ସହ ସ୍ଲୋଗାନମାନ ଦେଇଛନ୍ତି। ଏପରିକି କେତେକ ସଦସ୍ୟ ରାଜ୍ୟସଭା ଅଧ୍ୟକ୍ଷଙ୍କ ପୋଡିୟମ୍ ନିକଟରେ ପହଞ୍ଚି ମାଇକ୍ ଭାଙ୍ଗିବା ସକାଶେ ମଧ୍ୟ ଉଦ୍ୟମ କରିଛନ୍ତି। ଅଧିକନ୍ତୁ ଟିଏମସିର ରାଜ୍ୟସଭା ସାଂସଦ ଡେରେକ୍ ଓ’ବ୍ରାଏନ୍ ରୁଲ୍ ବୁକ୍‌କୁ ଚିରି ଫିଙ୍ଗିଦେଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ଆଡ଼କୁ ସଦସ୍ୟମାନେ ରୁଲ୍ ବୁକ୍ ଦେଖାଇବା ସହ ତାଙ୍କ ମାଇକ୍ ମଧ୍ୟ ଭାଙ୍ଗିଦେବାକୁ ଉଦ୍ୟମ କରିଛନ୍ତି। ସେହିପରି ଏନଡିର ପୂର୍ବତନ ସହଯୋଗୀ ଦଳ ଶିବସେନା ପକ୍ଷରୁ ଏହି ବିଲକୁ କୃଷକଙ୍କ ପାଇଁ ଡେଥ୍ ୱାରେଣ୍ଟ୍ ବୋଲି ଅଭିହିତ କରାଯାଇଛି।

ବିଲ୍ ପ୍ରସଙ୍ଗରେ ବିରୋଧୀ କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧି ଟ୍ବିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶର କୃଷକମାନଙ୍କୁ ପୁଞ୍ଜିପତିଙ୍କ ଚାକର କରିଦେବା ସକାଶେ ଉଦ୍ୟମ କରିଛନ୍ତି। କିନ୍ତୁ ଦେଶବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ। ପ୍ରସ୍ତାବିତ ବିଲରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) କାହିଁକି ଉଲ୍ଲେଖ କରାଯାଇନାହିଁ ବୋଲି ମଧ୍ୟ ରାହୁଲ୍ ପ୍ରଶ୍ନ କରିବା ସହ ଏହାକୁ କଳା ଆଇନ ବୋଲି ଅଭିହିତ କରିଛନ୍ତି। ସେହିପରି ଦଳର ବରିଷ୍ଠ ସଦସ୍ୟ ଅହମ୍ମଦ ପଟେଲ୍ ଏହି ଅଧ୍ୟାଦେଶ କର୍ପୋରେଟମାନଙ୍କୁ ବେଶ୍ ସୁହାଇବ ଓ କେନ୍ଦ୍ର ସରକାର ଗତ ବର୍ଷ ସାଧାରଣ ନିର୍ବାଚନ ସମୟରେ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ସ୍ଥାନ ପାଇଥିବା ନ୍ୟାୟ ଯୋଜନାକୁ ଲାଗୁ କରିବା ସକାଶେ ଦାବି କରିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସମସ୍ତ ଅଣବିଜେପି ଦଳମାନଙ୍କୁ ଏହି ବିଲକୁ ବିରୋଧ କରିବା ସକାଶେ ଆହ୍ବାନ ଦେଇଛନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ବିଲ ଆଗତ କରିଥିବା ସରକାର ଆଗାମୀ ଦିନରେ କୃଷକମାନଙ୍କ ଆୟ ଦ୍ବିଗୁଣିତ ହେବା ସହ କୌଣସି କୃଷକ ଆତ୍ମହତ୍ୟା କରିବେ ନାହିଁ ବୋଲି ଗ୍ୟାରେଣ୍ଟି ଦେଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଏହାଛଡ଼ା ବିଜେଡି, ଶିବସେନା ଓ ଶିରୋମଣି ଅକାଳୀ ଦଳ ଏହି ବିଲକୁ ତର୍ଜମା ପାଇଁ ସିଲେକ୍ସନ୍ କମିଟି ନିକଟକୁ ପଠାଇବାକୁ ଦାବି କରିଛନ୍ତି। ସେହିପରି କୋରୋନା ମହାମାରୀ ସମୟରେ କେନ୍ଦ୍ର ସରକାର କ’ଣ ପାଇଁ ଏହି ବିଲକୁ ପାସ୍ କରାଇବା ସକାଶେ ଏତେ ତରବରିଆ ହେଉଛନ୍ତି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡି (ୟୁ) ନେତା ଏଚଡି ଦେବେଗୌଡ଼ା ପ୍ରଶ୍ନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ