ଅନୁରାଗଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଜବାବରେ କଙ୍ଗନାଙ୍କୁ ଟାର୍ଗେଟ୍


ନୂଆଦିଲ୍ଲୀ: ଜଣାଶୁଣା ବଲିଉଡ୍ ପ୍ରଯୋଜକ-ନିର୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଜଣେ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଶନିବାର ପାୟଲ ଘୋଷ ନାମକ ଏହି ଅଭିନେତ୍ରୀ ଜଣକ ଅନୁରାଗ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଟ୍ବିଟର ମାଧ୍ୟମରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟ୍ୟାଗ୍ କରି ନ୍ୟାୟ ଭିକ୍ଷା କରିଛନ୍ତି। ଅନୁରାଗ ଜଣେ ଜଣାଶୁଣା ପ୍ରଯୋଜକ-ନିର୍ଦେଶକ ହୋଇଥିଲେ ମଧ୍ୟ ତାଙ୍କ ଭିତରେ ଜଣେ ଶୈତାନ ରହିଛି ଓ ଏହି ଶୈତାନ୍ ତାଙ୍କର ଇଜ୍ଜତ ନେବାକୁ ଉଦ୍ୟମ କରିଥିଲା ବୋଲି ପାୟଲ୍ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି। ଏଥିସହ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଥିବାରୁ ତାଙ୍କୁ ସହଯୋଗର ହାତ ବଢ଼ାଇବା ସକାଶେ ପାୟଲ୍ ନିବେଦନ କରିଛନ୍ତି। ପାୟଲଙ୍କ ଅଭିଯୋଗ ଅନୁସାରେ, ଗତ ୨୦୧୪ରେ ବମ୍ବେ ଭେଲଭେଟ୍ ଫିଲ୍ମର ଶୁଟିଂ ସମୟରେ ତାଙ୍କ ଘରକୁ ଡାକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କୌଶଳ କ୍ରମେ ସେ ସେଠାରୁ ପଳାଇ ଆସିଥିଲେ ଓ ଅନୁରାଗ ତାଙ୍କୁ ବାରମ୍ବାର ମେସେଜ୍ କରିଥିଲେ ମଧ୍ୟ ସେ ଏହାର ଜବାବ ଦେଇ ନ ଥିଲେ ବୋଲି ପାୟଲ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ତାଙ୍କ ପାଖରେ କୌଣସି ପ୍ରମାଣ ନ ଥିବା ବେଳେ ପରିବାର ଲୋକଙ୍କ ସମର୍ଥନ ମିଳିଲେ ଲିଖିତ ଅଭିଯୋଗ କରିବେ ବୋଲି ପାୟଲ୍ କହିଛନ୍ତି। ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ପାୟଲଙ୍କୁ ସମର୍ଥନ କରିବା ସହ ତୁରନ୍ତ ଅନୁରାଗଙ୍କୁ ଗିରଫ କରିବା ସକାଶେ ଦାବି କରିଛନ୍ତି। ପୂର୍ବରୁ କଙ୍ଗନା ବଲିଉଡରେ ଡ୍ରଗ୍ସ କାରବାର, ଗୋଷ୍ଠୀବାଦ ଓ ଶିବିରବାଦ ନେଇ ଅନୁରାଗଙ୍କୁ ଟାର୍ଗେଟ୍ କରିଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ତୁମ୍ଭିତୋଫାନ୍ ହୋଇଛି।

କିନ୍ତୁ ପାୟଲଙ୍କ ଅଭିଯୋଗକୁ ଅନୁରାଗ ଖଣ୍ଡନ କରିବା ସହ ରବିବାର ଏନେଇ ମୁହଁ ଖୋଲିଛନ୍ତି। ଏହି ପ୍ରସଙ୍ଗରେ ପରୋକ୍ଷ ଭାବେ କଙ୍ଗନାଙ୍କୁ ଟାର୍ଗେଟ୍ କରି ଅନୁରାଗ କହିଛନ୍ତି ଯେ ତାଙ୍କୁ ଚୁପ୍ କରାଇବା ସକାଶେ ଏତେ ଅଧିକ ଦିନ ନେଇଗଲେ। କିନ୍ତୁ ଶେଷରେ ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣି ତାଙ୍କର ମର୍ଯ୍ୟାଦା ହାନୀ କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ଏପରି ଅଭିଯୋଗର କୌଣସି ଭିତ୍ତି ନାହିଁ ବୋଲି ଅନୁରାଗ ସ୍ପଷ୍ଟ କରିଛନ୍ତି। ଅନ୍ୟ ଏକ ଟ୍ବିଟ୍‌ରେ ଅନୁରାଗ ଦର୍ଶାଇଛନ୍ତି ଯେ ତାଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ଯାଇ ଜଣେ ଅଭିନେତ୍ରୀଙ୍କୁ ଏଥିସହ ସାମିଲ୍ କରିଛନ୍ତି। ତା’ଛଡ଼ା ବଚ୍ଚନ ପରିବାର ଉପରେ ବି କାଦୁଅ ପକାଇବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ସେ ତାଙ୍କ ଉଦ୍ୟମରେ ବିଫଳ ହୋଇଛନ୍ତି। ଦୁଇ ଥର ବିବାହ କରିବା ଯଦି ଭୁଲ୍, ତା’ହେଲେ ଉକ୍ତ ଭୁଲକୁ ସ୍ବୀକାର କରିବାକୁ ସେ ରାଜି। ତା’ଛଡ଼ା ତାଙ୍କ ସହ କାର୍ଯ୍ୟ କରିଥିବା ଅଭିନେତ୍ରୀ, ତାଙ୍କର ପ୍ରଥମ ଅବା ଦ୍ବିତୀୟ ପତ୍ନୀ, ଯେତେସବୁ ଝିଅଙ୍କୁ ସେ କରୁଥିବା ସ୍ନେହ ଶ୍ରଦ୍ଧା ମଧ୍ୟ ମସ୍ତବଡ଼ ଭୁଲ୍ ବୋଲି ଉକ୍ତ ଟ୍ବିଟରେ ଅନୁରାଗ ଉଲ୍ଲେଖ କରିଛନ୍ତି। ସେହିପରି ତାଙ୍କର ଶେଷ ଟ୍ବିଟରେ ଅନୁରାଗ କହିଛନ୍ତି ଯେ ସେ କଦାପି ଏପରି ଆଚରଣ ସହ ସଂପୃକ୍ତ ନୁହନ୍ତି। ଆଗାମୀ ଦିନରେ କ’ଣ ହେଉଛି, ତାକୁ ସମସ୍ତେ ଅପେକ୍ଷା କରିବା ଉଚିତ। ତା’ଛଡ଼ା ପାୟଲ୍ ଯେଉଁ ଭିଡିଓ ମାଧ୍ୟମରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ତାହାର ସତ୍ୟତା ମଧ୍ୟ ଯାଞ୍ଚ୍ ହେବ। ତେବେ ଇଂରାଜୀରେ ଆସିଥିବା ଅଭିଯୋଗର ଜବାବ ହିନ୍ଦୀରେ ଦେଇଥିବାରୁ ସେ ଅଭିନେତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କର ମଙ୍ଗଳ ମଧ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ ପାୟଲ୍ ବଲିଉଡରେ ପଟେଲ୍ କୀ ପଞ୍ଜାବୀ ଶାଦୀ ମାଧ୍ୟମରେ ଡେବ୍ୟୁ କରିଥିବା ବେଳେ ଲୋକପ୍ରିୟ ଟିଭି ସିରିଏଲ୍ ‘ସାଥ୍ ନିଭାନା ସାଥୀୟା’ରେ ମଧ୍ୟ ଅଭିନୟ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ