କୋଭିଡ୍ ମାଡ଼ରେ ଶିକ୍ଷାକ୍ଷେତ୍ର ଚେପା: ବିକ୍ରି ଅପେକ୍ଷାରେ ହଜାରେ ଘରୋଇ ସ୍କୁଲ୍


ନୂଆଦିଲ୍ଲୀ: କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଗତ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଅଦ୍ୟାବଧି କୌଣସି ସ୍କୁଲ୍ କଲେଜ ଅବା ଅନ୍ୟାନ୍ୟ କୌଣସି ଶିକ୍ଷା ସହ ଜଡ଼ିତ ଅନୁଷ୍ଠାନ ସକ୍ରିୟ ହୋଇପାରିନାହାନ୍ତି। କୋରୋନାଜନିତ ଲକଡାଉନ୍ କାରଣରୁ ଦେଶର ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରକୁ ବଳଶାଳୀ କରିବା ସକାଶେ ୨୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ। ଇତିମଧ୍ୟରେ ଲକଡାଉନ କଟକଣା ହ୍ରାସ ପାଇଛି ଓ ଅନଲକ୍ ପ୍ରକ୍ରିୟା ଜାରି ରହିଛି। ଫଳସ୍ବପରୂପ ବିଭିନ୍ନ କ୍ଷେତ୍ରରେ କ୍ରମଶଃ ସ୍ଥିତି ସ୍ବାଭାବିକ ହେଉଛି। କିନ୍ତୁ ଶିକ୍ଷା କ୍ଷେତ୍ର ଏବେ ବି ନିଷ୍କ୍ରିୟ ରହିଛି ଓ ସ୍ଥିତି କେବେ ସ୍ବାଭାବିକ ହେବ, ସେନେଇ ମଧ୍ୟ କୌଣସି ପୂର୍ବାନୁମାନ କରିବା ସମ୍ଭବପର ନୁହେଁ। ଲକଡାଉନ୍ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭିନ୍ନ ଘରୋଇ ଓ ସରକାରୀ ସ୍କୁଲରେ ଅନଲାଇନ୍ ପାଠପଢ଼ା ହେଉଥିଲେ ହେଁ ବେସରକାରୀ ସ୍କୁଲଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ସକ୍ରିୟ ଥିବା ଘରୋଇ ସ୍କୁଲଗୁଡ଼ିକୁ ସ୍କୁଲ୍ ନ ଖୋଲିବା ପର୍ଯ୍ୟନ୍ତ କୌଣସି ଦେୟ ଗ୍ରହଣ ନ କରିବାକୁ ସରକାର ନିର୍ଦେଶ ଦେଇସାରିଛନ୍ତି। ଘରୋଇ ସ୍କୁଲଗୁଡ଼ିକ ସାଧାରଣତଃ ଛାତ୍ରଛାତ୍ରୀଙ୍କ ଫି’ରେ ପରିଚାଳିତ ହେଉଥିବାରୁ ଏହାର ପ୍ରଭାବ ପରିଚାଳନା ଉପରେ ପଡ଼ିଛି। ଗୋଟିଏ ପଟେ କର୍ମଚାରୀମାନଙ୍କୁ ଦରମା ଓ ଅନ୍ୟପଟେ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଜାରି ରହିଥିବାରୁ ସେମାନଙ୍କ ପାଇଁ ସ୍କୁଲ୍ ପରିଚାଳନା କରିବା ମୁସ୍କିଲ୍ ହୋଇପଡ଼ିଛି। ଏହି କାରଣରୁ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ପାଖାପାଖି ୧ ହଜାର ସ୍କୁଲ୍ ବିକ୍ରି ହେବାକୁ ବସିଛି। ଏହି ସ୍କୁଲଗୁଡ଼ିକ ପରିଚାଳନାଗତ ଦକ୍ଷତା ସମ୍ପୂର୍ଣ୍ଣ ଭାବେ ହରାଇସାରିଥିବାରୁ ଏବେ ପରିଚାଳକମାନେ ଏହାକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜିବାରେ ଲାଗିପଡ଼ିଛନ୍ତି।

ଶିକ୍ଷା କ୍ଷେତ୍ର ସହ ଜଡ଼ିତ ସେରେନିଟି ଭେଞ୍ଚର୍ସ ନାମକ ଏକ ସଂସ୍ଥା ପକ୍ଷରୁ ଉପରୋକ୍ତ ସୂଚନା ଦିଆଯାଇଛି। ବିକ୍ରି ହେବାକୁ ବସିଥିବା ଏହି ସ୍କୁଲଗୁଡ଼ିକ ନର୍ସରୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିଆସୁଛନ୍ତି। ଏହି ସ୍କୁଲଗୁଡ଼ିକ ବିକ୍ରି ହେଲେ, ଏ ବାବଦରେ ସାଢ଼େ ୭ କୋଟି ଟଙ୍କା ମିଳିବ ଓ ଆସନ୍ତା ୨ରୁ ୩ ବର୍ଷ ଭିତରେ ଏହା ବିକ୍ରି ହୋଇଯିବା ନେଇ ଉକ୍ତ ସ୍କୁଲଗୁଡ଼ିକର ମାଲିକମାନେ ଆଶା ରଖିଛନ୍ତି। ଏହିସବୁ ସ୍କୁଲରେ ଦେଶର ପାଖାପାଖି ୮୦ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ଏବଂ ଏସବୁ ସ୍କୁଲର ବାର୍ଷିକ ଫି’ ପାଖାପାଖି ୫୦ ହଜାର ଟଙ୍କା ରହିଛି ବୋଲି ଭେଞ୍ଚର୍ସ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ସେରେଷ୍ଟ୍ରା ଭେଞ୍ଚର୍ସର ଅନ୍ୟତମ ସହଯୋଗୀ ବିଶାଲ ଗୋୟଲ୍ କହିଛନ୍ତି ଯେ ଅଧିକାଂଶ ରାଜ୍ୟରେ କୋରୋନା କାରଣରୁ ବନ୍ଦ ରହିଥିବା ସ୍କୁଲଗୁଡ଼ିକୁ ପିଲାଙ୍କଠାରୁ ପାଉଣା ଗ୍ରହଣ ନ କରିବାକୁ ନିର୍ଦେଶ ଦିଆଯାଇଛି। ଏପରି ନିର୍ଦେଶ ପରେ ଉକ୍ତ ସ୍କୁଲଗୁଡ଼ିକର ଆର୍ଥିକ ମେରୁଦଣ୍ଡ ପୂରାପୂରି ଭାଙ୍ଗିଯାଇଛି। ଏହି କାରଣରୁ ସ୍କୁଲଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କ ପାଉଣା ୭୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇଛନ୍ତି। ଏସବୁ ସ୍କୁଲଗୁଡ଼ିକୁ ପରିଚାଳନା ସକାଶେ କୌଣସି ଆର୍ଥିକ ସହାୟତା ଦିଆଯିବା ମଧ୍ୟ ସମ୍ଭବପର ନୁହେଁ। ତେଣୁ ଏସବୁ ସ୍କୁଲ ବିକ୍ରି ହେବା ବ୍ୟତୀତ କୌଣସି ବିକଳ୍ପ ପନ୍ଥା ନାହିଁ ବୋଲି ଭାରତରେ ୩୦ଟି ସ୍କୁଲ୍ ପରିଚାଳନା ଦାୟିତ୍ବରେ ଥିବା କମ୍ପାନୀର ମାଲିକ ଗୋୟଲ୍ କହିଛନ୍ତି। ତାଙ୍କ କହିବାନୁସାରେ, ଏହିସବୁ ସ୍କୁଲ୍ ପରିଚାଳନା ପାଇଁ ଅତି କମରେ ୧୪ ଶହ କୋଟି ଟଙ୍କାର ପୁଞ୍ଜି ଆବଶ୍ୟକ।

ଦେଶର ବଜେଟ୍ ଘରୋଇ ସ୍କୁଲଗୁଡ଼ିକୁ ବାଦ୍ ଦେଲେ କେତେକ ବଡ଼ ବଡ଼ କମ୍ପାନୀ ଦ୍ବାରା ପରିଚାଳିତ ସ୍କୁଲ୍ ଅବସ୍ଥା ମଧ୍ୟ ସେତେଟା ଭଲ ନାହିଁ। ୟୁରୋକିଡ୍ସ ଇଣ୍ଟରନ୍ୟାସନାଲ୍ ଏପରି ଏକ ଗ୍ରୁପ୍ ଯିଏକି ଦେଶରେ ୩୦ଟି ଘରୋଇ ସ୍କୁଲ୍ ପରିଚାଳନା କରୁଛି। ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ସ୍କୁଲଗୁଡ଼ିକରେ ପିଲା ପହଞ୍ଚି ନ ଥିବା ବେଳେ ଛାତ୍ରଛାତ୍ରୀଙ୍କଠାରୁ ଫି’ ଆଦାୟ ଉପରେ ରୋକ ଲାଗିଥିବାରୁ ଏହି ଗ୍ରୁପ୍ ଏବେ ଏହି ବ୍ୟବସାୟଠାରୁ ମୁହଁ ମୋଡ଼ିବାକୁ ପ୍ରସ୍ତୁତ ହୋଇସାରିଛି। ଏ ସଂକ୍ରାନ୍ତରେ ଏହି ଗ୍ରୁପର ସିଇଓ ପ୍ରଜୋଧ ରାଜନଙ୍କ କହିବା କଥା ଯେ ଏହି ସ୍କୁଲରେ ଯେଉଁସବୁ ବ୍ୟବସାୟୀମାନେ ସେମାନଙ୍କ ପୁଞ୍ଜି ନିବେଶ କରିଛନ୍ତି ସେମାନେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପୁଞ୍ଜି ଖଟାଇଛନ୍ତି। ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କୋରୋନା ସଂକ୍ରମଣର ପ୍ରଭାବ ପଡ଼ିଥିବାରୁ ଏହି କମ୍ପାନୀଗୁଡ଼ିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ସେମାନେ ଏହିସବୁ ସ୍କୁଲରେ ବର୍ତ୍ତମାନ ସମୟରେ ଅଧିକ ନିବେଶ ସମ୍ଭାବନା ନାହିଁ ବୋଲି କହିଲେ ଚଳେ। ତେଣୁ ଏସବୁ ସ୍କୁଲ ବିକ୍ରି ହେବା ଏକରକମ ନିଶ୍ଚିତ ବୋଲି ରାଜନ୍ କହିଛନ୍ତି। ପାଖାପାଖି ହଜାରେ ସ୍କୁଲ୍ ବିକ୍ରି ହେବାକୁ ବସିଥିବାରୁ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ଭାବେ ସମସ୍ୟା ହେବ। ଫଳସ୍ବରୂପ ଦେଶର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଅବଶ୍ୟମ୍ଭାବୀ ବୋଲି କୁହାଯାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ