ସମୁଦ୍ରରେ ଆବର୍ଜନାର ପାହାଡ଼: ୨୦ ବର୍ଷରେ ମାଛକୁ ବଳିଯିବ ପ୍ଲାଷ୍ଟିକ


ଆଗାମୀ ୨୦୪୦ ସୁଦ୍ଧା ସମୁଦ୍ରରେ ଜମା ହୋଇ ରହିଥିବା ପ୍ଲାଷ୍ଟିକ ବର୍ଜ୍ୟ ପାଖାପାଖି ୬୦ କୋଟି ଟନରେ ପହଞ୍ଚିବ ବୋଲି ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି। ୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଠାରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ଦେଖିବାକୁ ମିଳିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ତଥ୍ୟ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।  ଦ ଫ୍ୟୁ ଚାରିଟେବଲ ଟ୍ରଷ୍ଟ ଏବଂ ସିଷ୍ଟମିକ ନାମକ ଏକ ସଂଗଠନ ଏହି ସର୍ଭେ କରିଥିଲେ। ଏଥିରେ ଏଲେନ ମେକ ଆର୍ଥର ଫାଉଣ୍ଡେସନ କମନ ପିସ, ଅକ୍ସଫୋର୍ଡ ଏବଂ ଲିଡସ ୟୁନିଭରସିଟିର ଗବେଷକମାନେ ସହଯୋଗ କରିଥିଲେ। ଏହି ଗବେଷଣାର ନିଷ୍କର୍ଷକୁ ନେଇ ଲିଖିତ ଏକ ନିବନ୍ଧ ଅନ୍ତରାଷ୍ଟ୍ରୀୟ ଜର୍ଣ୍ଣାଲ ‘ସାଇନ୍ସ’ରେ ପ୍ରକାଶ ପାଇଛି।

ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮ରେ ପ୍ରାୟ ୧.୬ କୋଟି ଟନ ପ୍ଲାଷ୍ଟିକ ବର୍ଜ୍ୟ ସମୁଦ୍ରରେ ଫିଙ୍ଗାଯାଇଛି। ଯଦି ସାରା ବିଶ୍ବର ଦେଶଗୁଡ଼ିକ ଏବଂ ପ୍ରମୁଖ କମ୍ପାନୀମାନେ ଏଭଳି ବର୍ଜ୍ୟକୁ ସମୁଦ୍ରରେ ଫିଙ୍ଗିଦେବା ପ୍ରକ୍ରିୟାକୁ ନ ଅଟକାନ୍ତି ତେବେ ୨୦୪୦ ସୁଦ୍ଧା ଏହା ବଢ଼ି ବଢ଼ି ୨.୯ କୋଟି ଟନରେ ପହଞ୍ଚିଯିବ। ଏହା ବିଶ୍ବବ୍ୟାପୀ ସମୁଦ୍ର କୂଳର ପ୍ରତି ମିଟରରେ ପାଖାପାଖି ୫୦ କିଗ୍ରା ବର୍ଜ୍ୟ ସହିତ ସମାନ ହେବ। ପ୍ଲାଷ୍ଟିକ ଶୀଘ୍ର ମାଟିରେ ମିଶୁ ନ ଥିବାରୁ ଏହା ଦଶନ୍ଧି ଦଶନ୍ଧି ବ୍ୟାପୀ ଦେଖିବାକୁ ମିଳିବ ଓ ମାଟି ଉପରେ ଜମା ହୋଇ ରହିବ। ଏସବୁ ପ୍ଲାଷ୍ଟିକ ବର୍ଜ୍ୟର ଓଜନ ୩୦ ଲକ୍ଷ ବ୍ଲୁ ହ୍ବେଲ (ତିମି ମାଛ) ପ୍ରଜାତିର ମାଛର ଓଜନ ଠାରୁ ବି ଅଧିକ ହେବ।

ଏହା ପୂର୍ବରୁ ଓସେନ କନଭରଜେନସି ନାମକ ଏକ ସଂଗଠନ ଦ୍ବାରା କରାଯାଇଥିବା ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୮୦ ଲକ୍ଷ ମେଟ୍ରିକ ଟନ ପ୍ଲାଷ୍ଟିକ ବର୍ଜ୍ୟ ସମୁଦ୍ରରେ ଫିଙ୍ଗା ଯାଇଥାଏ। ଏହା ପୂର୍ବରୁ ୧୫ କୋଟି ଟନ ବର୍ଜ୍ୟ ସମୁଦ୍ର ଜଳ ସହିତ ରହିଛି। ଏହି ବର୍ଜ୍ୟ ସମୁଦ୍ରର ପରିବେଶକୁ ବିଗାଡ଼ିବାରେ ଲାଗିଛି। ସାରା ବିଶ୍ବରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ବିଶେଷ କରି ସାଗର ପ୍ରଦୂଷଣର ସୁରକ୍ଷା ପାଇଁ ବିଭିନ୍ନ ପ୍ରୟାସ ଚାଲିଛି। କିନ୍ତୁ ପ୍ଲାଷ୍ଟିକ ବ୍ୟବହାରକୁ ରୋକାଯାଇ ପାରି ନାହିଁ କିମ୍ବା ସାଗରରେ ଏହା ଫିଙ୍ଗାଯିବାକୁ ରୋକାଯାଇ ପାରିନି। ଗବେଷଣାର ଉପସଂହାରରେ କୁହାଯାଇଛି ଯେ କେତେ ଗୁଡ଼ିଏ ପଦକ୍ଷେପ ନିଆଯାଇ ପାରିଲେ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ପରିମାଣର ୮୦ ପ୍ରତିଶତ ହ୍ରାସ ପାଇପାରନ୍ତା। ପ୍ଲାଷ୍ଟିକର ଉତ୍ପାଦନ ଓ ବ୍ୟବହାରକୁ କିଭଳି ଭାବେ କମ କରାଯାଇ ପାରିବ, ସେ ଦିଗକୁ ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରାଯିବା କଥା।

ପ୍ଲାଷ୍ଟିକ ପରିବର୍ତ୍ତେ କାଗଜର ବ୍ୟବହାର ଓ ଅନ୍ୟ ଉତ୍ପାଦର ପୁନଃଚକ୍ରଣ କରି ବ୍ୟବହାର କରାଯିବା କଥା। ବିକାଶଶୀଳ ଦେଶ ଗୁଡ଼ିକରେ ପ୍ରଭାବୀ ଢଙ୍ଗରେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଏବଂ ପରିଚାଳନାକୁ ସଜାଡ଼ିବା କଥା। ଧନୀ ଦେଶଗୁଡ଼ିକ ନିଜର ଉତ୍ତରଦାୟିତ୍ବକୁ ହ୍‌ଦୟଙ୍ଗମ କରିବା ସହିତ ରିସାଇକ୍ଲିଂ ଉପରେ ଫୋକସ କରିବା ଉଚିତ। ଏଥି ସହିତ ବିକଶିତ ଦେଶଗୁଡ଼ିକ ନିଜ ଦେଶର ବର୍ଜ୍ୟକୁ ଅନ୍ୟଦେଶକୁ ପଠାଇବା ବନ୍ଦ କରିବା ଉଚିତ। ଯଦି ବିଶ୍ବର ସମସ୍ତ ଦେଶ ଏସବୁ ସମସ୍ୟାକୁ ଅଣଦେଖା କରନ୍ତି ତେବେ ଆଗାମୀ ଦିନରେ ୪୦୦ କୋଟି ଲୋକ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ଭଳି ସୁବିଧାରୁ ବଞ୍ଚିତ ହେବେ। ଏଥିରୁ ବର୍ଜ୍ୟର ମାତ୍ରା କିଭଳି ବ୍‌ଦ୍ଧି ପାଇବ ଅନୁମାନ କରିପାରୁଥିବେ।

କୋରୋନା ମହାମାରୀ ସମୟରେ କେତେକ ଦେଶ ନିଜର ବ୍ୟବହ୍‌ତ ପିପିଇ କିଟ, ମାସ୍କ,ଗ୍ଲୋଭସ ଓ ମେଡିକାଲ ୱେଷ୍ଟକୁ ସମୁଦ୍ର ଜଳରେ ଭସାଇ ଦେବାର ବନ୍ଦୋବସ୍ତ କରିଛନ୍ତି। ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଜରିଆରେ ଏସବୁ ବର୍ଜ୍ୟ ଘୁରି ଆସି ଆମ ଖାଦ୍ୟ ଶ୍‌ଙ୍ଖଳରେ ପହଞ୍ଚିବାରେ ଲାଗିଛି। ଯଦି ଆମେ କେବଳ ୮୦ ପ୍ରତିଶତ ପ୍ଲାଷ୍ଟିକ ବର୍ଜ୍ୟକୁ ସମୁଦ୍ରରେ ମିଶିବାକୁ ନ ଦେବା, ତେବେ ଆମେ ୨୦୪୦ ସୁଦ୍ଧା ୭ ହଜାର କୋଟି ଡଲାରର ସମ୍ପତ୍ତି ସଞ୍ଚୟ କରିବାରେ ସକ୍ଷମ ହୋଇପାରିବା। ଏଥିରେ ୭ ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ ଏବଂ ପ୍ଲାଷ୍ଟିକ କାରଣରୁ ହେଉଥିବା ଗ୍ରୀନ ହାଉସ ଗ୍ୟାସ ବିସର୍ଜନରେ ୨୫ ପ୍ରତିଶତର ହ୍ରାସ ଅଣାଯାଇ ପାରୁଥିବ।

ପ୍ରତିବର୍ଷ ୮ ମିଲିଅନ ଟନ ପ୍ଲାଷ୍ଟିକ ସମୁଦ୍ର ଜଳରେ ପ୍ରବେଶ କରିଥାଏ। ସାମୁଦ୍ରିକ ପରିବେଶରେ ବର୍ତ୍ତମାନ ସୁଦ୍ଧା ୧୫୦ ମିଲିଅନ ଟନ ବର୍ଜ୍ୟ ଥିବା ତଥ୍ୟରୁ ଜଣାଯାଏ। ଯଦି କେବଳ ୟୁକେର ଜଣେ ଅଧିବାସୀ ଦିନକୁ ଥରେ ବ୍ୟବହ୍‌ତ ହେଉଥିବା ମାସ୍କ ଗୋଟିଏ ବର୍ଷ ପିନ୍ଧିବେ ଓ ଏହାକୁ ଫୋପାଡ଼ି ଦେବେ, ତେବେ ଏହା ୬୬ ହଜାର ଟନ ଓଜନର ହେବ। ଏହା ସମୁଦ୍ରରେ ପଡ଼ିଲେ ସାମୁଦ୍ରିକ ପରିବେଶ କିଭଳି ଜହର ପାଲଟିବ, ଅନୁମାନ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ