ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍‌କୁ ହରାଇଲା ସିଏସକେ, କ୍ରମାଗତ ପରାଜୟ ଧାରା ଭାଙ୍ଗିଲା


ଶନିବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଆଇପିଏଲର ତ୍ରୟୋଦଶ ସଂସ୍କରଣରେ ୩ ଥରର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସକେ) ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଉଦଘାଟନୀ ମୁକାବିଲାରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ସିଏସକେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ଗତ ବର୍ଷ ଫାଇନାଲର ପ୍ରତିଶୋଧ ନେଇଛି। ଏଥିସହ ମୁମ୍ବାଇ ବିପକ୍ଷରେ କ୍ରମାଗତ ପଞ୍ଚମ ପରାଜୟ ପରେ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିଛି ସିଏସକେ। ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ୯ ୱିକେଟରେ ହରାଇ ୧୬୨ ରନ୍ କରିଥିଲା। ଦଳ ପକ୍ଷରୁ ଓପନର କ୍ବିଣ୍ଟନ୍ ଡି’କକ୍ ୨୦ ବଲ୍ ଖେଳି ୫ଟି ଚୌକା ଜରିଆରେ ୩୩ ରନ୍ କରିଥିଲେ। ଏହାଛଡ଼ା ସୌରଭ ତିୱାରୀ ୩୧ ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହ ସର୍ବାଧିକ ୪୨ ରନ୍ କରିଥିଲେ। ଆହୁରି କାଇରନ୍ ପୋଲାର୍ଡ ୧୮, ସୂର୍ଯ୍ୟକୁମାରୀ ଯାଦବ ୧୭ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୪ ରନ୍ କରିଥିଲେ। ସିଏସକେ ପକ୍ଷରୁ ଲୁଙ୍ଗି ଏନଗିଡି ସର୍ବାଧିକ ୩ଟି ଏବଂ ଦୀପକ ଚହର୍ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ସିଏସକେ ଦ୍ବିତୀୟ ଓଭର୍ ଶେଷ ସୁଦ୍ଧା ଉଭୟ ଓପନର ଶେନ୍ ୱାଟସନ୍ ଓ ମୁରଲୀ ବିଜୟଙ୍କୁ ହରାଇସାରିଥିଲା। କିନ୍ତୁ ଫାଫ୍ ଡ୍ୟୁପ୍ଲେସିସ୍ ଓ ଅମ୍ବାତି ରାୟୁଡୁଙ୍କମଧ୍ୟରେ ୩ୟ ୱିକେଟରେ ୧୧୫ ରନ୍ ଯୋଡ଼ି ସିଏସକେକୁ ମ୍ୟାଚକୁ ଫେରାଇ ଆଣିଥିଲେ। ୪୮ଟି ବଲରେ ୬ଟି ଚୌକା ଓ ୩ଟି ଛକା ମାଧ୍ୟମରେ ୭୧ ରନ୍ କରି ରାୟୁଡୁ ଆଉଟ୍ ହେବା ଫଳରେ ଏହି ଭାଗିଦାରୀରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। କିନ୍ତୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଡ୍ୟୁପ୍ଲେସିସ୍ ମ୍ୟାଚର ମୁଣ୍ଡି ମାରିଥିଲେ। ବ୍ୟକ୍ତିଗତ ଭାବେ ୪୪ ବଲରେ ୬ ଚୌକା ଜରିଆରେ ୫୮ ରନ୍ କରିବା ସହ ୧୯.୨ ଓଭରରେ ଦଳୀୟ ସ୍କୋରକୁ ୧୬୬/୫ରେ ପହଞ୍ଚାଇଥିଲେ। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ, ଜେମ୍ସ ପାଟିନସନ୍, ଜସପ୍ରୀତ୍ ବୁମରା, କ୍‌ନାଲ୍ ପାଣ୍ଡ୍ୟା ଓ ରାହୁଲ୍ ଚହର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଡି’କକଙ୍କୁ ଆଉଟ୍ କରିବା ସହ ମାତ୍ର ୬ ବଲରେ ୨ଟି ଛକା ଓ ଗୋଟିଏ ଚୌକା ମାଧ୍ୟମରେ ୧୮ ରନ୍ କରିଥିବା ସାମ୍ କୁରାନଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା। ରବିବାର ପ୍ରତିଯୋଗିତାର ଦ୍ବିତୀୟ ମ୍ୟାଚଟି ଦୁବାଇଠାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ