ବାଜିଲା ଆଇପିଏଲ୍ ବିଗୁଲ: ଟସ୍ ଜିତିଲା ସିଏସକେ, ମୁମ୍ବାଇର ବ୍ୟାଟିଂ


ଶେଷରେ ଆଇପିଏଲ୍ ଦର୍ଶକଙ୍କ ମନୋସ୍କାମନା ପୂରଣ ହୋଇଛି ଓ ସେମାନଙ୍କ ପ୍ରିୟ କ୍ରିକେଟରମାନେ ପଡ଼ିଆକୁ ଓହ୍ଲାଇଛନ୍ତି। ଆଇପିଏଲର ତ୍ରୟୋଦଶ ସଂସ୍କରଣ ଗତ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିଲେ ହେଁ ଏକଦା କୋରୋନା ସଂକ୍ରମଣ କାରଣରୁ ଏହା ସମ୍ଭବପର ହେବା ପରି ମନେ ହେଉ ନ ଥିଲା। କିନ୍ତୁ କ୍ରମଶଃ ଅନୁକୂଳ ପରିବେଶ ସ୍‌ଷ୍ଟି ହେବା ପରେ ଆୟୋଜକ ବିସିସିଆଇ ଏହାକୁ ୟୁଏଇରେ ଆୟୋଜନ କରିବା ସକାଶେ ନିଷ୍ପତ୍ତି ନେଇଥିଲା। ଶେଷରେ ଏହି ସଂସ୍କରଣର ବିଗୁଲ୍ ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ ବାଜିଛି ଓ ଏହା କ୍ରିକେଟପ୍ରେମୀଙ୍କ ହ୍‌ତସ୍ପନ୍ଦନକୁ ବଢ଼ାଇ ଦେଇଛି। ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ଗତ ବର୍ଷର ରନସର୍ଅପ୍ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସକେ) ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ପାଖାପାଖି ୧୪ ମାସ ପରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପ୍ରତ୍ୟାବର୍ତ୍ତନ କରିଥିବାରୁ ତାଙ୍କ ପ୍ରଶଂସକମାନଙ୍କ ଅପେକ୍ଷା ଶେଷ ହୋଇଛି। ମୁମ୍ବାଇ ଦଳରେ ବିଦେଶୀ ଖେଳାଳି ଭାବେ କ୍ବିଣ୍ଟନ୍ ଡି’କକ୍, କାଇରନ୍ ପୋଲାର୍ଡ, ଜେମ୍ସ ପାଟିନସନ୍ ଓ ଟ୍ରେଣ୍ଟ୍ ବୋଲ୍ଟ ସ୍ଥାନ ପାଇଛନ୍ତି।

ମ୍ୟାଚ୍ ଆରମ୍ଭ ପୂର୍ବରୁ ଅବୁ ଧାବୀ ୱିକେଟ୍ କିପରି ଆଚରଣ କରିବ, ସେନେଇ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ମାଇକେଲ୍ ସ୍ଲେଟର୍ ଓ ଇଂଲଣ୍ଡର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ କେଭିନ୍ ପିଟରସନ୍ ସୂଚନା ଦେଇଥିଲେ। ସେମାନଙ୍କ ମତାନୁସାରେ, ଉଦଘାଟନୀ ମ୍ୟାଚରେ ଯଥେଷ୍ଟ ଅଧିକ ସ୍କୋର୍ ହେବ। ଅର୍ଥାତ୍ ବୋଲରଙ୍କ ଉପରେ ବ୍ୟାଟ୍ସମ୍ୟାନ ଭାରୀ ପଡ଼ିବେ। ଏହି ମ୍ୟାଚରେ କୌଣସି ଦଳ ସର୍ବନିମ୍ନ ୧୬୭ ରନ୍ କରିବ ବୋଲି ସେମାନେ ଅନୁମାନ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ବ୍ୟାଟ୍ ଗର୍ଜିଲେ, କ୍ରିକେଟପ୍ରେମୀମାନେ ନିଶ୍ଚିତ ଭାବେ ଭରପୂର ମଜା ନେଇପାରିବେ ବୋଲି ସେମାନେ ଆଶା କରିଛନ୍ତି। କୋରୋନା ସଂକ୍ରମଣ କାରଣରୁ ପ୍ରଥମ ଥର ପାଇଁ ଆଇପିଏଲରେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳିନାହିଁ। କିନ୍ତୁ ଏହା ଦର୍ଶକମାନଙ୍କ ଉତ୍ସାହକୁ ହ୍ରାସ କରିପାରିବ ନାହିଁ କି ଖେଳାଳିମାନେ ମଧ୍ୟ ସେମାନଙ୍କ ଦମଦାର ପ୍ରଦର୍ଶନ ଦେବା ଦିଗରେ ଆଦୌ ନିରୁତ୍ସାହିତ ହେବେ ନାହିଁ। କାରଣ କେବଳ ଇଣ୍ଡିଜ୍, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ବାଦ୍ ଦେଲେ ପାଖାପାଖି ୬ ମାସ ପରେ କ୍ରିକେଟର୍‌ମାନେ ପେସାଦାର କ୍ରିକେଟକୁ ଓହ୍ଲାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ