ଆଜିଠୁ ଆଇପିଏଲ୍: ଆସନ୍ତୁ ଜାଣିବା ସବୁଠୁ ଦାମୀ ଲିଗ୍‌ର କେତୋଟି ଅଜଣା ଅଧ୍ୟାୟ


ଇତିମଧ୍ୟରେ ଟି-୨୦ କ୍ରିକେଟ୍‌ର ସବୁଠାରୁ ଲୋକପ୍ରିୟ ତଥା ଦାମୀ ଲିଗର ଟୁର୍ଣ୍ଣାମେଣ୍ଟ୍ ଆଇପିଏଲ୍‌ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ପଡ଼ିଆରେ ଦୁଇ ଅଧିନାୟକଙ୍କ ମଧ୍ୟରେ ଟସ୍ ପଡ଼ିବା ପରେ ପାଖାପାଖି ୬ ମାସ ହେଲା ଲାଇଭ୍ ଆକ୍ସନରୁ ବଞ୍ଚିତ ରହିଥିବା ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ। ଇତିମଧ୍ୟରେ ବିଶ୍ବର ସବୁଠାରୁ ଦାମୀ ଲିଗରେ ପରିଣତ ହୋଇସାରିଥିବା ଆଇପିଏଲର ଛୋଟ ବଡ଼ ଘଟଣା ୭ରୁ ଆରମ୍ଭ କରି ୭୦ ବର୍ଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ଅଛପା ନାହିଁ। କ୍ରିକେଟକୁ ଭାରତରେ ଧର୍ମ ଭାବେ ବିବେଚନା କରାଯାଉଥିବା ବେଳେ ବିଶ୍ବର ସମସ୍ତ ଶୀର୍ଷ ଖେଳାଳି ଆଇପିଏଲରେ ଭାଗ ନେଉଥିବାରୁ ଏହାର ଲୋକପ୍ରିୟତା ନୂଆ ନୂଆ ରେକର୍ଡ ପ୍ରତିଷ୍ଠା କରିସାରିଛି। କିନ୍ତୁ ଏବେ ବି ଆଇପିଏଲରେ ଏପରି କେତୋଟି ଘଟଣା ଅଛି, ଯାହା ଅଳ୍ପ କିଛି ଦର୍ଶକଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ ନିକଟରେ ଅଜଣା ରହିଛି। ଏହିପରି ୭ଟି ଘଟଣା ଆମେ ନିମ୍ନରେ ଆଲୋଚନା କରିବା।

ମାତ୍ର ଦୁଇ ଭାରତୀୟ ଏମଭିପି
ଆଇପିଏଲର ୧୨ଟି ସଂସ୍କରଣ ଶେଷ ହୋଇସାରିଥିବାରୁ ଅଦ୍ୟାବଧି ୧୨ ଜଣ କ୍ରିକେଟର୍ ମୋଷ୍ଟ ଭାଲ୍ୟୁଏବଲ୍ ପ୍ଲେୟର୍ (ଏମଭିପି) ବିବେଚିତ ହୋଇଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ୧୨ ଜଣଙ୍କ ମଧ୍ୟରେ ମାତ୍ର ୨ ଜଣ ଭାରତୀୟ କ୍ରିକେଟର୍ ଅଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଥମ ହେଉଛନ୍ତି ଭାରତର ମହାନ୍ କ୍ରିକେଟର୍ ତଥା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ସଚିନ୍ ତେନ୍ଦୁଲକର। ସେ ଗତ ୨୦୧୦ରେ ଆଇପିଏଲର ୩ୟ ସଂସ୍କରଣରେ ଏହି ପୁରସ୍କାର ହାସଲ କରିଥିଲେ। ଉକ୍ତ ସିଜନରେ ମାଷ୍ଟରବ୍ଲାଷ୍ଟର୍ ୬୧୮ ରନ୍ କରିଥିଲେ। ସେ ମଧ୍ୟ ଉକ୍ତ ସିଜନରେ ଅରେଞ୍ଜ୍ କ୍ୟାପ୍ ହାସଲ କରିଥିଲେ। ସେହିପରି ଅଷ୍ଟମ ସଂସ୍କରଣରେ ଅନ୍ୟତମ ଭାରତୀୟ ଭାବେ ବିରାଟ କୋହଲି ୯୭୩ ରନ୍ କରି ଏହି ପୁରସ୍କାର ପାଇଥିଲେ। ଏହା ପରଠାରୁ ଆଉ କୌଣସି ଭାରତୀୟ କ୍ରିକେଟର୍ ଏହି ପୁରସ୍କାର ପାଇନାହାନ୍ତି। ଅଷ୍ଟ୍ରେଲିଆର ଶେନ୍ ୱାଟସନ୍ ସର୍ବାଧିକ ୨ ଥର ଏବଂ ଆଡାମ୍ ଗିଲକ୍ରିଷ୍ଟ ଓ ଗ୍ଲେନ୍ ମ୍ୟାକ୍ସୱେଲ୍, ଇଂଲଣ୍ଡର ବେନ୍ ଷ୍ଟୋକ୍ସ ଥରେ ଲେଖାଏଁ ଏବଂ ଗତ ଦୁଇଟି ସିଜନରେ କେକେଆରର ଇଣ୍ଡିଜ ସ୍ପିନର୍ ସୁନୀଲ୍ ନରିନ୍ (କେକେଆର୍) ଓ ଅଲରାଉଣ୍ଡର୍ ଆନ୍ଦ୍ରେ ରସେଲ୍ ଏହି ପୁରସ୍କାର ପାଇଛନ୍ତି।

ଗୋଟିଏ ବଲର ଦାମ୍ ୨୧ ଲକ୍ଷ
ଆଇପିଏଲର ପ୍ରସାରଣ ଅଧିକାରୀ ଷ୍ଟାର୍ ଇଣ୍ଡିଆ ନେଟୱର୍କ ହାସଲ କରିଥିବା ବେଳେ ଏ ବାବଦରେ ୧୬ ହଜାର ୩୪୭.୫ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିଛି। ତେଣୁ ଆଇପିଏଲରେ ଗୋଟିଏ ବଲର ଦାମ୍ ପାଖାପାଖି ୨୧ ଲକ୍ଷ ଟଙ୍କା ବୋଲି ଏକ ହିସାବରୁ ଜଣାପଡ଼ିଛି।

୩୮୬ ଓଭର୍ ମଧ୍ୟରେ ନୋ ବଲ୍ ନାହିଁ
ଭାରତୀୟ ସ୍ପିନର୍ ପୀୟୂଷ ଚାୱଲା ଆଇପିଏଲରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଏହି କ୍ରିକେଟର୍ ଜଣକ ଆଇପିଏଲରେ ଏକ ଚମତ୍କାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ବର୍ତ୍ତମାନ ସମୟରେ ନୋ ବଲଗୁଡ଼ିକ ବୋଲିଂ ଦଳ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହେଉଥିବା ବେଳେ ଏ କ୍ଷେତ୍ରରେ ଚାୱଲା ବେଶ୍ କଞ୍ଜୁସ୍। କାରଣ ସେ ଏପରି ଜଣେ ବୋଲର୍ ଯିଏକି ଆଇପିଏଲରେ ତାଙ୍କର ୩୮୬ତମ ଓଭର୍ ପର୍ଯ୍ୟନ୍ତ ଗୋଟିଏ ବି ନୋ ବଲ୍ ପକାଇ ନ ଥିଲେ। ୮ଟି ସଂସ୍କରଣରେ ସେ ଏପରି ଶୃଙ୍ଖଳିତ ବୋଲିଂ ଜାରି ରଖିପାରିଥିଲେ।

ଗୋଟିଏ ଫ୍ରାଞ୍ଚାଇଜିରୁ ଶହେ ମ୍ୟାଚ୍ ପୂରଣରେ ମାତ୍ର ଦୁଇ ବିଦେଶୀ ସାମିଲ୍
ଅଦ୍ୟାବଧି ଆଇପିଏଲରେ ମାତ୍ର ଦୁଇ ଜଣ ବିଦେଶୀ ଖେଳାଳି ଯିଏକି ଗୋଟିଏ ନିର୍ଦ୍ଦିଷ୍ଟ ଫ୍ରାଞ୍ଚାଇଜି ପକ୍ଷରୁ ଶହେଟି ମ୍ୟାଚ୍ ପୂରଣ କରିପାରିଛନ୍ତି। ସେମାନେ ହେଲେ ଇଣ୍ଡିଜ୍‌ର କାଇରନ୍ ପୋଲାର୍ଡ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରର ଏବି ଡି' ଭିଲିଅର୍ସ। ୨୦୧୧ରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଆଇପିଏଲରେ କ୍ୟାରିଅର୍ ଆରମ୍ଭ କରିଥିବା ଏବି ଆରସିବି ପକ୍ଷରୁ ୧୦୧ଟି ଓ ଅଲରାଉଣ୍ଡର୍ ପୋଲାର୍ଡ ମୁମ୍ବାଇ ପାଇଁ ୧୨୩ଟି ମ୍ୟାଚ୍ ଖେଳିଛନ୍ତି।

୩ ଦ୍ବିଶତକୀୟ ଭାଗିଦାରୀରେ କୋହଲିଙ୍କ ଅବଦାନ
ଆଇପିଏଲରେ କୋହଲି ପ୍ରତିପକ୍ଷ ବୋଲରଙ୍କ ପାଇଁ ସବୁବେଳେ ବିଧ୍ବଂସୀ ସାବ୍ୟସ୍ତ ହୋଇଛନ୍ତି। ଫଳସ୍ବରୂପ ଆଇପିଏଲରେ ହୋଇଥିବା ଦ୍ବିଶତକୀୟ ଭାଗିଦାରୀରେ କୋହଲିଙ୍କର ସର୍ବାଧିକ ୩ ଥର ଭୂମିକା ରହିଛି। ପ୍ରଥମେ ୨୦୧୨ରେ ଦିଲ୍ଲୀ ବିପକ୍ଷରେ ସେ କ୍ରିସ୍ ଗେଲଙ୍କ ସହ ୨୦୪ ରନର ଅବିଭାଜିତ ଭାଗିଦାରୀ କରିଥିଲେ। ଏହାପରେ ୨୦୧୫ରେ ସେ ଏବିଙ୍କ ସହ ମିଶି ମୁମ୍ବାଇ ବିପକ୍ଷରେ ଅବିଭାଜିତ ୨୧୫ ରନ ଯୋଡ଼ିଥିଲେ। ଏହାଛଡ଼ା ଶେଷ ଥର ପାଇଁ ଗତ ୨୦୧୬ରେ ସେ ପୁଣିଥରେ ଏବିଙ୍କ ସହ ଗୁଜରାଟ ଲାୟନ୍ସ ବିପକ୍ଷରେ ୨୨୯ ରନର ଭାଗିଦାରୀ କରିଥିଲେ।

ଭଜିଙ୍କ ନାମରେ ସର୍ବାଧିକ ‘ଶୂନ’
ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ଓ ପରେ ଚେନ୍ନାଇ ପକ୍ଷରୁ ଖେଳିଥିବା ଭାରତୀୟ ସ୍ପିନର୍ ହରଭଜନ ସିଂହଙ୍କ ନାମରେ ଆଇପିଏଲରେ ଏକ ଅଲୋଡ଼ା ରେକର୍ଡ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ ଆଇପିଏଲ୍ ଇତିହାସରେ ସର୍ବାଧିକ ଥର ‘ଶୂନ’ରେ ଆଉଟ୍ ହୋଇଛନ୍ତି। ଆଇପିଏଲ୍‌ର ପ୍ରଥମ ୯ଟି ସିଜନରେ ମୁମ୍ବାଇ ପକ୍ଷରୁ ଖେଳିଥିବା ଭଜି ଅଦ୍ୟାବଧି ୧୩ଟି ଇନିଂସରେ ଖାତା ଖୋଲିପାରିନାହାନ୍ତି।

ଆରସିବି ନାଁରେ ସର୍ବାଧିକ ଓ ସର୍ବନିମ୍ନ ସ୍କୋର୍
ଆଇପିଏଲରେ ଆରସିବି ଟିମର ବ୍ୟାଟିଂ ଲାଇନଅପ୍ ସବୁଠାରୁ ଶକ୍ତିଶାଳୀ ରହିଆସିଛି। କ୍ରିସ୍ ଗେଲ୍ ହୁଅନ୍ତୁ ଅବା ବିରାଟ କୋହଲି ଅବା ଏବି, ବିଶ୍ବର ତିନି ଜଣ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନଙ୍କ ଉପସ୍ଥିତି ଏହାର ବଳିଷ୍ଠ ପ୍ରମାଣ। ଅବଶ୍ୟ ଏହା ସତ୍ତ୍ବେ ବି ଦଳ ଥରଟିଏ ଚାମ୍ପିଅନ୍ ହୋଇପାରିନାହିଁ। ଏହାର ଆଉ ଏକ କାରଣ ଦଳର ଅସ୍ଥିର ପ୍ରଦର୍ଶନ। ଏହି କାରଣରୁ ଆରସିବି ନାମରେ ଆଇପିଏଲର ଉଭୟ ସର୍ବାଧିକ ଓ ସର୍ବନିମ୍ନ ସ୍କୋର ରେକର୍ଡ ରହିଛି। ୨୦୧୩ ସଂସ୍କରଣରେ ପୁଣେ ୱାରିୟର୍ସ ବିପକ୍ଷରେ ଦଳ ୨୬୩/୫ର ସ୍କୋର୍ କରିଥିଲା। ଉକ୍ତ ମ୍ୟାଚରେ ଗେଲଙ୍କ ରୁଦ୍ର ରୂପ ଦେଖିବାକୁ ମିଳିଥିଲା। ସେ ଅପରାଜିତ ୧୭୫ ରନ୍ କରିଥିଲେ, ଯାହାକି ଏବେ ବି ଆଇପିଏଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ଭାବେ ଅତୁଟ ରହିଛି। ସେହିପରି ୨୦୧୭ ଆଇପିଏଲରେ ଏହି ବିଧ୍ବଂସୀ ବ୍ୟାଟିଂ ଲାଇନଅପ୍ ବିଶିଷ୍ଟ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମାତ୍ର ୪୯ ରନରେ ଅଲଆଉଟ୍ ହୋଇଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ