ଏଲଇଡି ଆମଦାନି ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ: ନିୟମିତ ମାନ ଯାଞ୍ଚ୍ ପାଇଁ ନିର୍ଦେଶ


କେନ୍ଦ୍ର ସରକାର ଚୀନ୍ ସାମଗ୍ରୀର ଆମଦାନିକୁ ନିରୁତ୍ସାହିତ କରିବା ସକାଶେ ଲଗାତର ପଦକ୍ଷେପମାନ ନେଇଚାଲିଛନ୍ତି। ଏହି କ୍ରମରେ ଶୁକ୍ରବାର କେନ୍ଦ୍ର ସରକାର ଚୀନରୁ ଆମଦାନି ହେଉଥିବା ଏଲଇଡିର ମାନ ଯାଞ୍ଚ୍ ପାଇଁ ନିର୍ଦେଶ ଦେଇଛନ୍ତି। ଚୀନ୍ ସହ ଅନ୍ୟାନ୍ୟ ଦେଶରୁ ଭାରତକୁ ଆମଦାନୀ ହେଉଥିବା ଏଲଇଡି ଉତ୍ପାଦର କଡ଼ାକଡ଼ି ମାନ ଯାଞ୍ଚ୍ ପାଇଁ ନିର୍ଦେଶ ଦିଆଯାଇଥିବାରୁ ଚୀନ୍ ଉତ୍ପାଦନ ବିରୋଧରେ ଭାରତର ଏହା ଆଉ ଏକ ଠୋସ୍ ପଦକ୍ଷେପ ବୋଲି କୁହାଯାଉଛି। ଏ ସଂକ୍ରାନ୍ତରେ ଶୁକ୍ରବାର ବୈଦେଶିକ ବ୍ୟାପାର ମହାନିର୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ କୌଣସି ଏଲଇଡି ଉତ୍ପାଦ ଆମଦାନି ପୂର୍ବରୁ ଏହାର ନମୁନାର କଡ଼ା ଯାଞ୍ଚ୍ କରାଯିବ। ମାନ ପରୀକ୍ଷା ସକାଶେ ଏହି ନମୁନାକୁ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ସ୍ବୀକୃତିପ୍ରାପ୍ତ ଲାବୋରେଟୋରୀକୁ ପଠାଯିବା ବାଧ୍ୟତାମୂଳକ। ବୈଦ୍ୟୁତିକ ଓ ଆଇଟି ଉତ୍ପାଦ (ବାଧ୍ୟତାମୂଳକ ପଞ୍ଜୀକରଣ) ନିର୍ଦେଶନାମା, ୨୦୧୨ ଅନୁସାରେ ଏହି ମାନ ଯାଞ୍ଚ୍ କରାଯିବ ବୋଲି ଜାରି ବିଜ୍ଞପ୍ତିରେ ଡିଜିଏଫଟି ପକ୍ଷରୁ କୁହାଯାଇଛି। ସେହିପରି ଦେଶର ପ୍ରମୁଖ ବନ୍ଦର କାଣ୍ଡଲା, ପାରାଦୀପ, କୋଚି ଓ ମୁମ୍ବାଇ ଆଦି ଦେଇ ଭାରତକୁ ଆମଦାନୀ ହେଉଥିବା ଏଲ୍ଇଡି ଉତ୍ପାଦନର ମାନ ଯାଞ୍ଚ୍ ପାଇଁ ମଧ୍ୟ ବାଣିଜ୍ୟ ମନ୍ତ୍ରାଳୟ ଅଧୀନସ୍ଥ ବିଆଇଏସ୍ ପକ୍ଷରୁ ନିର୍ଦେଶ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମାନ ଯାଞ୍ଚ୍ କଡ଼ାକଡ଼ି କରିବାକୁ ନିର୍ଦେଶନାମା ଆସିବା ପରେ ଆଗାମୀ ଦିନରେ ଚୀନ୍ ବୈଦ୍ୟୁତିକ ଶିଳ୍ପଗୁଡ଼ିକ ପାଇଁ ଢେର୍ କ୍ଷତି ସହିବାର ସମ୍ଭାବନା ଦେଖାଦେଇଛି। ଚୀନ୍ ବଜାରରୁ ଭାରତକୁ ଆସୁଥିବା ଏଲଇଡିର ଦାମ୍ ବେଶ୍ କମ୍ ହୋଇଥିବା ବେଳେ ଏହାର ମାନ ମଧ୍ୟ ଅପେକ୍ଷାକତ ଦୁର୍ବଳ ରହିଆସିଛି। ତେଣୁ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ ଚୀନ୍ ପାଇଁ ଆଗାମୀ ଦିନରେ ମୁଣ୍ଡବ୍ୟଥାର କାରଣ ହେବ ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ମୋଦି ସରକାର ଚୀନ୍ ଉପରେ ବ୍ୟବସାୟିକ ଷ୍ଟ୍ରାଇକ୍ କରିସାରିଛି। ଗତ ଜୁଲାଇରେ ଚୀନରୁ ଆମଦାନି ହେଉଥିବା ରଙ୍ଗିନ ଟିଭି ଉପରେ କଟକଣା ଲଗାଯାଇଛି। ଗତ ଏପ୍ରିଲରେ ମଧ୍ୟ ଭାରତ ସରକାର ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫଡିଆଇ) ସଂକ୍ରାନ୍ତ ନିୟମରେ ଅନେକ ସଂଶୋଧନ କରିଛନ୍ତି। ଆହୁରି ମଧ୍ୟ ଟିକଟକ୍ ଓ ପବଜି ପରି ଅନେକ ଲୋକପ୍ରିୟ ମୋବାଇଲ୍ ଆପ୍ ଉପରେ ସରକାର କଟକଣା ଲଗାଇଥିବାରୁ ଦିନକୁ ଦିନ ଚୀନ୍ ବିରୋଧରେ ବ୍ୟବସାୟ କ୍ଷେତ୍ରରେ ଭାରତ ସରକାର ନିଜକୁ ଆଭିମୁଖ୍ୟକୁ ଆହୁରି କଡ଼ାକଡ଼ି କରିଚାଲିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ