ଆଇପିଏଲ୍-୧୩: ଷ୍ଟାଡିୟମକୁ ସାମ୍ବାଦିକ ମନା, ମ୍ୟାଚ୍‌ପର ପ୍ରେସ୍ ମିଟ୍‌ ପାଇଁ ଅନୁମତି


ଶନିବାର ଭାରତୀୟ ସମୟ ରାତି ସାଢ଼େ ୭ଟାରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲର ତ୍ରୟୋଦଶ ସଂସ୍କରଣ। ଭାରତରେ କୋରୋନା ସଂକ୍ରମଣ କାରଣରୁ ଏହାକୁ ଦ୍ବିତୀୟ ଥର ପାଇଁ ୟୁଏଇରେ ଆୟୋଜନ କରାଯାଉଥିବା ବେଳେ ଷ୍ଟାଡିୟମକୁ କୌଣସି ଦର୍ଶକ ପ୍ରବେଶ ପାଇଁ ଅନୁମତି ପାଇବେ ନାହିଁ। ସାମାଜିକ ଦୂରତା ନିୟମ ଲାଗୁ ହୋଇଥିବାରୁ ପ୍ରଥମ ଥର ପାଇଁ ଆଇପିଏଲ ଇତିହାସରେ ଖେଳାଳିମାନେ ବିନା ଦର୍ଶକରେ ପଡ଼ିଆରେ ସେମାନଙ୍କ କ୍ରିକେଟ୍ କୌଶଳ ପ୍ରଦର୍ଶନ କରିବେ। ତେବେ ଏହି ମ୍ୟାଚଗୁଡ଼ିକର ସିଧାସଳଖ ବିବରଣୀ ହାସଲ କରିବା ପାଇଁ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ସୁଯୋଗ ପାଇବେ ନାହିଁ। କାରଣ ଆଇପିଏଲର ତ୍ରୟୋଦଶ ସଂସ୍କରଣରେ କୌଣସି ସାମ୍ବାଦିକ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟଗତ ନିରାପତ୍ତାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ହୋଇଛି। ସେହିପରି ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଟିମ୍ ମ୍ୟାଚ୍ ପୂର୍ବରୁ ପ୍ରେସ୍ ମିଟ୍ ମଧ୍ୟ କରିପାରିବେ ନାହିଁ। ସେହିପରି ମ୍ୟାଚ୍ ପରେ ଆୟୋଜିତ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନେ ଭର୍ଚୁଆଲ୍ ଅଂଶଗ୍ରହଣ କରିପାରିବେ ବୋଲି କୁହାଯାଇଛି। ଏହାଛଡ଼ା କୌଣସି ପ୍ରାକ୍ଟିସ୍ ସେସନରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କଭର୍ କରିବାର ସୁଯୋଗ ଦିଆଯିବ ନାହିଁ ବୋଲି ବିସିସିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ସେହିପରି ଅଦ୍ୟାବଧି ବିସିସିଆଇ ଦ୍ବାରା ସ୍ବୀକୃତିପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ମ୍ୟାଚ୍ ସଂକ୍ରାନ୍ତ ବିବରଣୀ ହାସଲ କରିପାରିବେ। ତା’ଛଡ଼ା ପ୍ରତି ମ୍ୟାଚ୍ ପରେ ସେମାନଙ୍କୁ ସଦ୍ୟ ସୂଚନା ମଧ୍ୟ ଯୋଗାଇ ଦିଆଯିବ। ଏହି ପ୍ରେସ୍ ବିଜ୍ଞପ୍ତିରେ ହିଁ ଗଣମାଧ୍ୟମ ପ୍ରତିନିଧିମାନେ କିପରି ଭାବେ ମ୍ୟାଚ୍ ପରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିପାରିବେ, ସେନେଇ ସୂଚନା ଦିଆଯିବ। ତା’ଛଡ଼ା ସାମ୍ବାଦିକମାନେ କିପରି ସେମାନଙ୍କ ପ୍ରଶ୍ନ ଉପସ୍ଥାପନ କରିପାରିବେ, ସେନେଇ ମଧ୍ୟ ସେମାନଙ୍କୁ ଅବଗତ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଆହୁରି ମଧ୍ୟ ବିସିସିଆଇ ପକ୍ଷରୁ ପ୍ରତି ମ୍ୟାଚର ୩୫ଟି ଫଟୋ ସ୍ବୀକ୍‌ତିପ୍ରାପ୍ତ ଗଣମାଧ୍ୟମକୁ ପଠାଯିବ। ଚଳିତ ବର୍ଷ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳୁ ନ ଥିବାରୁ ପୂର୍ବ ସଂସ୍କରଣ ତୁଳନାରେ ଚଳିତ ସଂସ୍କରଣରେ ଅଧିକ ସଂଖ୍ୟକ ଫଟୋ ଯୋଗାଇ ଦିଆଯିବ। ଉକ୍ତ  ଫଟୋଗୁଡ଼ିକୁ କେବଳ ସମ୍ପାଦନା କାର୍ଯ୍ୟରେ ବିନିଯୋଗ କରାଯାଇପାରିବ ଓ ପ୍ରତି ଫଟୋରେ ବିସିସିଆଇ/ଆଇପିଏଲ କ୍ରେଡିଟ୍ ଲାଇନ୍ ମଧ୍ୟ ଦିଆଯିବା ବାଧ୍ୟତାମୂଳକ ବୋଲି ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ