ଗ୍ଲୋବାଲ ସ୍ମାର୍ଟସିଟି ରାଙ୍କରୁ କାହିଁକି ଖସିଲା ଭାରତର ୪ ସହର?


ଚଳିତ ବର୍ଷର ଗ୍ଲୋବାଲ ସ୍ମାର୍ଟସିଟି ଇଣ୍ଡେକ୍ସରେ ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଳୁରୁ ନିଜ ରାଙ୍କରୁ ତଳକୁ ଖସିଛନ୍ତି। ୨୦୧୯ରେ ବିଶ୍ବ ସୂଚକାଙ୍କରେ ଏହି ସହରଗୁଡ଼ିକ ଯେଉଁ ସ୍ଥାନରେ ଥିଲେ, ୨୦୨୦ରେ ତାହା ଠାରୁ ଯଥେଷ୍ଟ ତଳକୁ ଖସିଆସିଛନ୍ତି। ବିଶ୍ବରେ ଏହି ସୂଚକାଙ୍କରେ ସିଙ୍ଗାପୁର ଶୀର୍ଷରେ ଥିବାବେଳେ ଦେଶର ରାଜଧାନୀ ସମେତ ଆର୍ଥିକ ରାଜଧାନୀ ମୁମ୍ବାଇ, ଆଇଟି ହବ ବେଙ୍ଗାଳୁରୁ ଓ ହାଇଦ୍ରାବାଦ କାହିଁକି ନିମ୍ନଗାମୀ ହେଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସିଙ୍ଗାପୁର ୟୁନିଭରସିଟି ଫର ଟେକ୍ନୋଲୋଜି ଏବଂ ଇନଷ୍ଟିଚ୍ୟୁଟ ଫର ମ୍ୟାନେଜମେଣ୍ଟ ଡେଭଲପମେଣ୍ଟର ମିଳିତ ଉଦ୍ୟମରେ ୨୦୨୦ ସ୍ମାର୍ଟସିଟି ଇଣ୍ଡେକ୍ସ ପ୍ରକାଶ ପାଇଛି। ଏଥିରେ ହାଇଦ୍ରାବାଦ ୮୫ତମ ରାଙ୍କରେ ଥିବା ସୂଚିତ କରାଯାଇଛି। ଯଦିଓ ୨୦୧୯ରେ ଏହା ୬୭ତମ ରାଙ୍କରେ ଥିଲା। ଗୋଟିଏ ବର୍ଷ ଭିତରେ ଏହି ସହର ଗ୍ଲୋବାଲ ଇଣ୍ଡେକ୍ସରେ ୧୮ଟି ସ୍ଥାନ ତଳକୁ ଖସିଆସିବା ସହରବାସୀଙ୍କ ପାଇଁ ନୈରାଶ୍ୟଜନକ ଖବର ଦେଇଛି। ସେହିପରି ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ୨୦୧୯ରେ ୬୮ ରାଙ୍କରେ ଥିଲା। ଏବେ ୮୬ ତମ ରାଙ୍କରେ ପହଞ୍ଚିଛି। ମୁମ୍ବାଇ ୨୦୧୯ରେ ୭୮ ରାଙ୍କ ପାଇଥିବା ବେଳେ ୨୦୨୦ରେ ୯୩ ରାଙ୍କ ଓ ବେଙ୍ଗାଳୁରୁ ୨୦୧୯ରେ ୭୯ ରାଙ୍କରେ ଥିବା ବେଳେ ଏବେ ୨୦୨୦ରେ ୯୫ ରାଙ୍କକୁ ଖସିଆସିଛି। ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଳୁରୁ ଉଲ୍ଲେଖନୀୟ ଭାବେ ତଳମୁହାଁ ହେବା ଚିନ୍ତାର କାରଣ ପାଲଟିଛି। କୋଭିଡ-୧୯ ମହାମାରୀ ସମୟରେ ପ୍ରଯୁକ୍ତି ବିଦ୍ୟାର କ୍ରିୟାନ୍ବୟନରେ ଏସବୁ ସହର ନିଜକୁ ସେଭଳି ବିକଶିତ କରି ନ ଥିବାରୁ ଗ୍ଲୋବାଲ ସୂଚକାଙ୍କରେ ପଛକୁ ଖସିଆସିଥିବା କୁହାଯାଉଛି। ଏହି ସହରଗୁଡ଼ିକ ମହାମାରୀ ପରିସ୍ଥିତିରେ ଯଥେଷ୍ଟ ପ୍ରସ୍ତୁତି କରିପାରି ନ ଥିଲା। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଜରିଆରେ ଯେଭଳି ତଥ୍ୟାୟନ କରାଯାଇ ପାରିଥାନ୍ତା ଓ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ପାରିଥାନ୍ତା, ତାହା ନିଆଯାଇ ପାରି ନ ଥିଲା।

ବେଙ୍ଗାଳୁରୁ ଏବଂ ମୁମ୍ବାଇରେ ଟ୍ରାଫିକ ଜାମ ଏକ ଗୁରୁତର ସମସ୍ୟା ହୋଇଥିବା ବେଳେ ଦିଲ୍ଲୀ ଓ ହାଇଦ୍ରାବାଦରେ ମୌଳିକ ଭିତ୍ତିଭୂମି ଓ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରି ନାହିଁ। ମୁମ୍ବାଇ ଓ ବେଙ୍ଗାଳୁରୁରେ ଘଣ୍ଟା ଘଣ୍ଟା ଧରି ପ୍ରାଇମ ଟାଇମରେ ସଡ଼କ ଜାମ ହୋଇଯାଉଛି। ସଂକୀର୍ଣ୍ଣ ସଡ଼କ ପଥ ଓ ଏକ ସମୟରେ ସହରବାସୀ ସଡ଼କ ଉପରକୁ ଆସୁଥିବା ସତ୍ତ୍ବେ ଏହାର ସମାଧାନ ହୋଇପାରୁ ନାହିଁ। କେଉଁ ସଡ଼କ କେତେ ସମୟଧରି ଜାମ ରହୁଛି ଓ ବିକଳ୍ପ ରାସ୍ତା ଗୁଡ଼ିକ ସମ୍ପର୍କରେ ସୂଚନା ସଡ଼କ ପାର୍ଶ୍ବରେ ବୈଦ୍ୟୁତିକ ଫଳକ ମାଧ୍ୟମରେ ଜଣାଇ ଦିଆଯାଇ ପାରନ୍ତା, କିନ୍ତୁ ଏହା କରାଯାଉ ନାହିଁ। ଆବଶ୍ୟକୀୟ ଫ୍ଲାଏଓଭର ଓ ସିଙ୍ଗଲ ୱେ କଟକଣାକୁ କଡ଼ାକଡ଼ି କରୁନାହିଁ ମହାନଗର ନିଗମ।

ଆମ୍ବୁଲାନ୍ସ, ଅଗ୍ନିଶମ ଓ ଜରୁରୀ ସେବାରେ ଉଦ୍ଦିଷ୍ଟ ଯାନଗୁଡ଼ିକ ପାଇଁ ସହର ଭିତରେ ଗ୍ରୀନ କରିଡର ଲାଇନ ବ୍ୟବସ୍ଥା ପାଇଁ ଦୀର୍ଘଦିନ ଧରି ହେଉଥିବା ଦାବି ମଧ୍ୟ ଶୀତଳ ଭଣ୍ଡାରରେ ପଡ଼ିଛି। ସହରବାସୀଙ୍କୁ ଜଳ ଓ ପରିମଳ ସେବା, ହୋଲଡିଂ ଟିକସସଂଗ୍ରହ, ଅଭିଯୋଗ ଶୁଣାଣି, କୋଠାବାଡ଼ି ନିର୍ମାଣ ଅନୁମତି କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଫଳପ୍ରଦ ସେବା ପ୍ରଦାନ ଦିଗରେ ଏହି ସହର ଗୁଡ଼ିକ ଆଶାନୁରୂପ ସଫଳତା ପାଇନାହାନ୍ତି।

୨୦୨୦ ସ୍ମାର୍ଟସିଟି ଇଣ୍ଡେକ୍ସରେ ଟପରେ ଅଛି ସିଙ୍ଗାପୁର। ଏହା ପଛକୁ ପଛ ଅଛନ୍ତି ହେଲସିଙ୍କି ଏବଂ ଜୁରିକ୍। ଚତୁର୍ଥ ସ୍ଥାନରେ ଅକଲାଣ୍ଡ, ପଞ୍ଚମରେ ଓସଲୋ। ଷଷ୍ଠରେ କୋପେନହେଗନ, ସପ୍ତମରେ ଜେନେଭା, ଅଷ୍ଟମରେ ତାଇପେ, ନବମରେ ଆମଷ୍ଟରଡାମ ଏବଂ ଦଶମ ସ୍ଥାନରେ ରହିଛି ନ୍ୟୁୟର୍କ ସହର। ବିଶ୍ବର ୧୦୯ଟି ସହର ଏହି ଗ୍ଲୋବାଲ ଇଣ୍ଡେକ୍ସରେ ସ୍ଥାନ ପାଇଛି। ୨୦୨୦ ଏପ୍ରିଲ ଓ ମେ ମାସରେ ଏସବୁ ସହରର ଅଧିବାସୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ତଥ୍ୟାବଳି ସଂଗ୍ରହ କରାଯାଇଥିଲା। ଏହି ସହର ଗୁଡ଼ିକ ସ୍ବାସ୍ଥ୍ୟ ଏବଂ ନିରାପତ୍ତା, ପରିବହନ ସୁବିଧା, ପ୍ରଶାସନ, ସୁବିଧା ସୁଯୋଗ ଓ କାର୍ଯ୍ୟକ୍ରମ ଆଦି ୫ଟି ପ୍ରମୁଖ କ୍ଷେତ୍ର ଉପରେ ଏହାର ନାଗରିକମାନଙ୍କୁ କିଭଳି ଗୁଣାତ୍ମକ ସେବା ଯୋଗାଇ ଦେଇଛି, ସେ ସମ୍ପର୍କିତ ଉତ୍ତର ସଂଗ୍ରହ କରାଯାଇଥିଲା।

ଚଳିତ ବର୍ଷ ଆରମ୍ଭରୁ ସହର ଓ ଦେଶ ନିର୍ବିଶେଷରେ କୋରୋନାର ସଙ୍କଟ ସ୍‌ଷ୍ଟି ହୋଇଛି। ପରିମଳ ପରିଚ୍ଛନ୍ନତା, ପ୍ରଦୂଷଣ, ବିଶୁଦ୍ଧ ଜଳ ଠାରୁଆରମ୍ଭ କରି ସୂଚନା ପ୍ରାପ୍ତି ଯାଏ ବିଭିନ୍ନ କ୍ଷେତ୍ରରେ ସମସ୍ୟା ରହିଛି। ଏସବୁ ସମସ୍ୟାକୁ ଅନେକ ସହର ପ୍ରଯୁକ୍ତି ବିଦ୍ୟା ଜରିଆରେ ସମାଧାନ କରିପାରିଛନ୍ତି। ଆମ ଦେଶର ଏସବୁ ସହର ଗୁଡ଼ିକ ବିଶ୍ବର ଟପ ସହର ଗୁଡ଼ିକର ଯୋଜନା ଓ କୌଶଳକୁ ଶିକ୍ଷା କରିବାର ଆବଶ୍ୟକତା ରହିଛି। ବିଶ୍ବର କେଉଁ ସହର ଏହାର ବାସିନ୍ଦାମାନଙ୍କୁ ଆରାମଦାୟକ ଜୀବନ ଓ ଜୀବିକା ନିର୍ବାହ ପାଇଁ ବ୍ୟବସ୍ଥା କରି କିଭଳି ସୁଫଳ ପାଇଛି, ତାହା ଅଧ୍ୟୟନ ସହ ରୂପାୟନ ହେବାର ବ୍ୟବସ୍ଥା କରାଯାଉ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ