କୋରୋନା ମାଡ଼ରେ ଦେହଜୀବୀ ଘାଇଲା, ଖୋଜୁଛନ୍ତି ବିକଳ୍ପ ବେଉସା


କିଛି ଦିନ ତଳେ ପୁନେରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ସହରର ୯୯ ପ୍ରତିଶତ ଯୌନକର୍ମୀ ବା ଦେହଜୀବୀ ଏବେ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ରୋଜଗାରର ବିକଳ୍ପ ବ୍ୟବସ୍ଥା ଖୋଜୁଛନ୍ତି। ଏହି ସର୍ଭେ ଆଶା କେୟାର ଟ୍ରଷ୍ଟ ଦ୍ବାରା ସଞ୍ଚାଳିତ କରାଯାଇଥିଲା। ଏହା ଯୌନକର୍ମୀଙ୍କ କଲ୍ୟାଣ ପାଇଁ କାମ କରୁଛି। ଏହା ବୁଧାର ପେଠରେ ଅବସ୍ଥିତ ଭାରତର ତୃତୀୟ ବଡ଼ ରେଡ ଲାଇଟ ଅଞ୍ଚଳ। ଏଠାରେ ଥିବା ୭୦୦ ବେଶ୍ୟାଳୟରେ ପାଖାପାଖି ୩,୦୦୦ ଯୌନକର୍ମୀଙ୍କ ଆବାସ ରହିଛି। ଏହି ସର୍ଭେରେ ୩୦୦ ଯୌନକର୍ମୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା।

ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଲକଡାଉନ ସମୟରେ ଯୌନ ସେବା ଚାହିଦା ବେଶ ହ୍ରାସ ପାଇଥିଲା। ତେଣୁ ଜୀବନଯାପନ କରିବା ଲାଗି ସେମାନଙ୍କୁ ଟଙ୍କା ଉଧାର ନେବାକୁ ପଡ଼ିଥିଲା।  ୮୫ ପ୍ରତିଶତରୁ ଊର୍ଦ୍ଧ୍ବ ଦେହଜୀବୀ ଋଣ କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୯୮ ପ୍ରତିଶତରୁ ଅଧିକ ଯୌନକର୍ମୀ ନିଜ ବେଶ୍ୟାଳୟର ମାଲିକ, ମ୍ୟାନେଜର କିମ୍ବା ସାହୁକାରଙ୍କଠାରୁ ଋଣ ନେଇଛନ୍ତି। ସର୍ଭେ କରିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ୮୭ ପ୍ରତିଶତ ଦେହଜୀବୀ ମହାମାରୀ ପୂର୍ବରୁ ସେମାନେ ଯାହା ଆୟ କରୁଥିଲେ, ତାହା ନିଜକୁ ତଥା ପରିବାର ପ୍ରତିପୋଷଣ କରିବାକୁ ପର୍ଯ୍ୟାପ୍ତ ନ ଥିଲା। ଶିକ୍ଷାର ଅଭାବ ଓ ରୋଜଗାର ଯୋଗ୍ୟ କୌଶଳ କମ ଥିବାରୁ ସେମାନଙ୍କୁ ଦେହ ବେପାର ମାଧ୍ୟମରେ ରୋଜଗାର ଓ ଏକ ଦୁଶ୍ଚକ୍ରରେ ଫସି ରହିବାକୁ ପଡ଼ୁଛି। ସର୍ଭେରେ ସାମିଲ ଥିବା ପାଖାପାଖି ସମସ୍ତ ଯୌନକର୍ମୀ ଜୀବନଜୀବିକା ଉତ୍ସର ବିକଳ୍ପ ଖୋଜିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।

ରିପୋର୍ଟରେ ଏହି ଯୌନକର୍ମୀଙ୍କ ସମସ୍ୟା ସମ୍ପର୍କରେ ଅନେକ ସାମାଜିକ ଓ ଆର୍ଥିକ କାରଣ ମଧ୍ୟ ଦର୍ଶାଯାଇଛି। କୁହାଯାଇଛି ସେମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ସେକ୍ସ ୱାର୍କର୍ସ ୨୫ରୁ ୪୫ ବର୍ଷ ଆୟୁ ବର୍ଗରେ ଆସୁଛନ୍ତି। କେତେକ ନାବାଳିକା ହୋଇଥିଲେ ମଧ୍ୟ ଦେହ ବେପାର କରିବାକୁ ସେମାନଙ୍କୁ ବାଧ୍ୟ କରାଯାଇଥିଲା। ୮୪ ପ୍ରତିଶତରୁ ଅଧିକ ଯୌନକର୍ମୀ କୌଣସି ଔପଚାରିକ ଶିକ୍ଷା ପ୍ରାପ୍ତ କରି ନାହାନ୍ତି। ବାକି ଅନ୍ୟମାନେ ହାଇସ୍କୁଲ ଶିକ୍ଷା ସମାପ୍ତ ପୂର୍ବରୁ ସେମାନଙ୍କୁ ଦେହ ବେପାରକୁ ଠେଲି ଦିଆଯାଇଥିଲା। ୯୨.୭ ପ୍ରତିଶତ ଦେହଜୀବୀ କହିଛନ୍ତି ଯେ ପୁଣିଥରେ ଏହି କାମ ଆରମ୍ଭ କରିବାକୁ ସେମାନେ ଡରୁଛନ୍ତି। ଏଥିସହିତ ଭୋକରେ ମରିବାକୁ ସେମାନେ ଚିନ୍ତାରେ ରହିଥିବା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ