ଡ୍ରଗ୍ସ ଲିଙ୍କ ନେଇ ବଲିଉଡ କଳି: ଜୟାଙ୍କୁ କଙ୍ଗନାଙ୍କ କଟାକ୍ଷ


ନୂଆଦିଲ୍ଲୀ: ବଲିଉଡ-ଡ୍ରଗ୍ସ ଲିଙ୍କ ନେଇ ଆକ୍ଷେପ ପ୍ରତିଆକ୍ଷେପ ସଂସଦରେ ପହଞ୍ଚିଛି। ବିଜେପି ସାଂସଦ ରବି କିଶନ ଏହି ପ୍ରସଙ୍ଗ ଉଠାଇ ବଲିଉଡକୁ ସମାଲୋଚନା କରିବା ପରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ମଙ୍ଗଳବାର ସଂସଦରେ ଜୋରଦାର ବର୍ଷିଥିଲେ। ସେ ରବି କିଶନଙ୍କ ସହ ଡ୍ରଗ୍ସ ଲିଙ୍କ ନେଇ ଖୁଲସା କରିଥିବା କଙ୍ଗନାଙ୍କୁ ମଧ୍ୟ ପରୋକ୍ଷରେ ସମାଲୋଚନା କରିଥିଲେ। ଯେଉଁ ଅଭିନେତ୍ରୀ ବଲିଉଡକୁ ଗନ୍ଧ ନଳା ସହ ତୁଳନା କରୁଛନ୍ତି, ତାଙ୍କ ଠାରୁ ବା କ’ଣ ଆଶା କରିବା ବୋଲି ଜୟା କହିଥିଲେ। ଏହତି ପରିପ୍ରେକ୍ଷୀରେ ଜୟା ଆହୁରି ମଧ୍ୟ କହିଥିଲେ ଯେ ଯେଉଁ ବଲିଉଡ ଏମାନଙ୍କୁ ଖାଇବା ଥାଳି ଦେଇଛି, ସେମାନେ ଏଥିରେ କଣା କରିବାକୁ ପଛାଉ ନାହାନ୍ତି। ଏଥିସହ ଜୟା ସରକାରଙ୍କୁ ଅପିଲ କରିଥିଲେ ଯେ ବଲିଉଡକୁ ବଦନାମ କରିବା ପାଇଁ ଯେଉଁ ପ୍ରୟାସ ଚାଲିଛି, ସେଥିରେ ସରକାର ହସ୍ତକ୍ଷେପ କରନ୍ତୁ। ସୋସାଲ ମିଡିଆ ଜରିଆରେ ବଲିଉଡ ଉପରେ ହମଲା ହେଉଛି। ଏହି ବଲିଉଡ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାନା ପାଣି ଦେଉଛି। ଏହି ଫିଲ୍ମ ଇଣ୍ଡଷ୍ଟ୍ରି ଲୋକେ ମଧ୍ୟ ଦେଶରେ ସରକାରଙ୍କୁ ସର୍ବାଧିକ ଟିକସ ଦେଉଛନ୍ତି। ତେଣୁ ଯେଉଁମାନେ ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ସରକାର ଏଥିରୁ ନିବୃତ୍ତ କରାନ୍ତୁ ବୋଲି ଜୟ ଅପିଲ କରିଥିଲେ।

ଆଉ ଜୟାଙ୍କ ଏପରି ମନ୍ତବ୍ୟ ପରେ କଙ୍ଗନା ଏକ କଡ଼ା ଟିପ୍ପଣୀ ଜରିଆରେ ଜୟାଙ୍କୁ ସମାଲୋଚନା କରିଛନ୍ତି। କଙ୍ଗନା ଟ୍ବିଟ କରି ଲେଖିଛନ୍ତି ଯେ ଜୟାଜୀ ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ବେତାଙ୍କୁ ଡ୍ରଗ୍ସ ନେବାକୁ ବାଧ୍ୟ କରାଯାଇ ଥାନ୍ତା ଓ ଅସଦାଚରଣର ଶିକାର ହେବାକୁ ପଡ଼ିଥାନ୍ତା, ତାହେଲେ ଆପଣ ମୋ ପରି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତେ। ଆଉ ଯଦି ଆପଣଙ୍କ ପୁଅ ଅଭିଷେକ କ୍ରମାଗତ ଭାବେ ନିର୍ଯାତନାର ଶିକାର ହୋଇ ଦିନେ ଝୁଲନ୍ତା ଅବସ୍ଥାରେ ମିଳିଥାନ୍ତା, ତାହେଲେ ବି ଆପଣ ମୋ ଭଳି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତେ ବୋଲି କଙ୍ଗନା ଟ୍ବିଟ କରିଛନ୍ତି। କଙ୍ଗନା ଆହୁରି କହିଛନ୍ତି ଯେ ବଲିଉଡରେ କୌଣସି ମାନବ ସମ୍ବଳ ବିଭାଗ କାମ କରୁନି। ତେଣୁ ଯଦି ବି କାହାରି କିଛି ଅସୁବିଧା ତାହେଲେ ସେମାନଙ୍କ ପାଖରେ ଅଭିଯୋଗ କରିବା ପାଇଁ ସାଧାରଣ ଫୋରମ ବ୍ୟତୀତ ସ୍ବତନ୍ତ୍ର ବ୍ୟବସ୍ଥା ବି ନାହିଁ।

ଏଥିସହ ସାଂସଦ ରବି କିଶନ ମଧ୍ୟ ଜୟା ବଚ୍ଚନଙ୍କ ଆକ୍ଷେପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ତାଙ୍କର ବଲିଉଡ ପ୍ରତି ଉଚ୍ଚ ସମ୍ମାନବୋଧ ରହିଛି। ସେ ଜୟା ବଚ୍ଚନକୁ ସମ୍ମାନ କରନ୍ତି। ଫିଲ୍ମ ଦୁନିଆରେ ମୁଁ ଖାଇବା ଥାଳି ନିଜେ ତିଆରି କରିଛି। ମୋତେ କାହାରି ସହଯୋଗ ମିଳି ନାହିଁ। ପାଖାପାଖି ୬ ଶହରୁ ଊର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିବାର ଅଭିଜ୍ଞତା ରହିଛି। ତଥାପି ଆଉ  କାହାକୁ ଅସମ୍ମାନ କରୁନାହିଁ। ଆମେ ଯେତେବେଳେ ବଲିଉଡକୁ ଆସିଥିଲେ ସେତେବେଳର ଅବସ୍ଥା ଆଜି ପରି ନ ଥିଲା। ବଲିଉଡକୁ ବଦନାମ କରିବା ତାଙ୍କର ଲକ୍ଷ୍ୟ ନୁହେଁ। ଯେଉଁମାନେ ଏହି ଡ୍ରଗ୍ସ ଲିଙ୍କରେ ଅଛନ୍ତି, ସେମାନଙ୍କୁ ହିଁ ଦଣ୍ଡିତ କରିବା ପାଇଁ ସେ କହିଛନ୍ତି। ସେ ସାମଗ୍ରିକ ଭାବେ ବଲିଉଡକୁ କୌଣସି ଦୋଷ ଦେବାକୁ ଚାହାନ୍ତି ନାହିଁ ବୋଲି ରବି କିଶନ ତାଙ୍କ ସ୍ପଷ୍ଟୀକରଣ ମନ୍ତବ୍ୟରେ କହିଛନ୍ତି। ଏଥିସହ ଅଭନେତ୍ରୀ ସୋନମ କପୁର ଓ ନିର୍ଦେଶକ ଅନୁଭବ ସିହ୍ନା ମଧ୍ୟ ଟ୍ବିଟ କରି ଜୟା ବଚ୍ଚନଙ୍କୁ ସମର୍ଥନ ଜଣାଇଛନ୍ତି। ଡ୍ରଗ୍ସ ଲିଙ୍କ ନେଇ ଏହି ବଲିଉଡ କଳି ଦିନ ତମାମ ଚର୍ଚ୍ଚାରେ ରହିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ