୬ କୋଟି ବ୍ୟୟରେ ହେବ ହସ୍ତୀ ଥଇଥାନ କେନ୍ଦ୍ର


ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ କୁମାରଖୁଣ୍ଟିଠାରେ ନିର୍ମାଣ ହେବ ହସ୍ତୀ ଥଇଥାନ କେନ୍ଦ୍ର। ସାଢ଼େ ଦଶ ହେକ୍ଟର ପରିମିତ ଅଞ୍ଚଳରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଏହି ହସ୍ତୀ ଥଇଥାନ କେନ୍ଦ୍ର ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରି ସାରିଥିବା ବେଳେ ମଙ୍ଗଳବାର ଏହାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ପ୍ରାୟ ତିନିମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଆବଶ୍ୟକସ୍ଥଳେ ଏହିଭଳି ଆଉ ୪ଟି ଅସ୍ଥାୟୀ ହାତୀ ଆଶ୍ରୟସ୍ଥଳ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

ଏହି ହସ୍ତୀ ଥଇଥାନ କେନ୍ଦ୍ରରେ ଉଦ୍ଧାର କରାଯାଇଥିବା ହାତୀମାନଙ୍କୁ ଏଠାରେ ଆଶ୍ରୟ ଦେଇ ସେମାନଙ୍କ ସେବା ଶୁଶ୍ରୁଷା ଓ ଚିକିତ୍ସା କରାଯିବ। ମା’ ଠାରୁ ପୃଥକ୍‌ ହୋଇଯାଇଥିବା ହାତୀ ଶାବକମାନଙ୍କୁ ମଧ୍ୟ ଏଠାରେ ରଖାଯିବ। ଅଭିଜ୍ଞ ମାହୁନ୍ତମାନେ ସେମାନଙ୍କ ପାଇଁ ନିୟୋଜିତ ହେବେ। ହାତୀ ଚିକିତ୍ସା କ୍ଷେତୟରେ ଅଭିଜ୍ଞତା ଅର୍ଜନ କରିଥିବା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକମାନଙ୍କୁ ନିୟୋଜିତ କରାଯାଇ ହାତୀ ଚିକିତ୍ସାକୁ ତ୍ୱରାନ୍ୱିତ କରାଯିବ। ମାହୁନ୍ତମାନଙ୍କ ରହିବା ପାଇଁ ବ୍ୟବସ୍ଥା, ପ୍ରାଣୀ ଚିକିତ୍ସା ପ୍ରୟୋଗଶାଳା, ରନ୍ଧନଶାଳା ଆଦିର ବ୍ୟବସ୍ଥା ରହିବ। ହାତୀମାନଙ୍କ ଖାଇବା ପାଇଁ ଘାସ, ଗଛପତ୍ର ଆଦିର ସ୍ୱତନ୍ତ୍ର ଓ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ହାତୀ ଜନବସତି ମଧ୍ୟରେ ପ୍ରବେଶ କରି କ୍ଷତି ଘଟାଇବା ସମସ୍ୟାର ସମାଧାନ ସମ୍ବନ୍ଧରେ କେନ୍ଦ୍ର ସରକାର ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି। ପ୍ରକଳ୍ପ ହାତୀ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଉଛି। ପ୍ରକଳ୍ପ ହାତୀ ଯୋଜନାରେ ହାତୀ ଉଦ୍ଧାର ଓ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ଅନ୍ୟତମ। ଏଥିରେ ଆହତ ହାତୀମାନଙ୍କୁ ରଖାଯାଇ ସେମାନଙ୍କ ଚିକିତ୍ସା କରାଯାଇପାରିବ।

ସୂଚନାଯୋଗ୍ୟ, ଗତ ହାତୀ ଗଣନା ଅନୁଯାୟୀ ଗଜରାଜଙ୍କ ରାଜ୍ୟ ଓଡ଼ିଶାରେ ପ୍ରାୟ ଦୁଇ ହଜାର ହାତୀ ରହିଛନ୍ତି। ମଣିଷ-ହାତୀ ସଂଘର୍ଷରେ ପ୍ରାୟ ୮୦ଟି ହାତୀ ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ପ୍ରାୟ ୧୦୦ ଜଣ ଲୋକ ମୃତ୍ୟୁବରଣ କରିଥାନ୍ତି। ଏହାବ୍ୟତୀତ ବନ ବିଭାଗର କର୍ମଚାରୀ ଓ ଅନ୍ୟ ସାଧାରଣଲୋକଙ୍କ ବ୍ୟାପକ ଧନଜୀବନ ହାନି ଘଟିଥାଏ। ନିକଟ ଅତୀତରେ ଯାଜପୁର, ଢେଙ୍କାନାଳ ଓ ଖୋର୍ଦ୍ଧା ବନ ଡିଭିଜନରେ ଏହିଭଳି ଘଟଣାମାନ ଦୃଷ୍ଟିଗୋଚର ହୋଇଛି। ବ୍ୟାପକ ଭିତ୍ତିଭୂମି ଉନ୍ନୟନ, ଜନବସତିର ବୃଦ୍ଧି ଓ ଜଙ୍ଗଲ ଜମିର ପରିବର୍ତ୍ତନ ଯୋଗୁଁ ହାତୀ ଆଶ୍ରୟସ୍ଥଳ କମିଯିବା ଏହି ସମସ୍ୟାର ମୂଳକାରଣ ଓ ଏହାର ସମାଧାନ ଅତ୍ୟାବଶ୍ୟକ। ହାତୀମାନଙ୍କ ପାଇଁ ଏହି ଥଇଥାନ କେନ୍ଦ୍ର ବା ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରତିଷ୍ଠା ହାତୀ ଉଦ୍ଧାର ଓ ପୁନର୍ବାସ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ରୂପେ ସାବ୍ୟସ୍ତ ହେବ ଓ ପ୍ରକଳ୍ପ ହାତୀ ଯୋଜନାକୁ ସମୁଚିତ ଭାବେ ରୂପାୟିତ କରିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଆରୁଖ ମତପ୍ରକାଶ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ