ପାକିସ୍ତାନର ବିବାଦୀୟ ମ୍ୟାପ ପାଇଁ ଏସସିଓ ବୈଠକ ଅଧାରୁ ଉଠି ଆସିଲେ ଡୋଭାଲ


ନୂଆଦିଲ୍ଲୀ: ରୁଷିଆ ପକ୍ଷରୁ ଆୟୋଜିତ ଶାଂଘାଇ କୋପରେସନ ଅର୍ଗାନାଇଜେସନ (ଏସସିଓ) ସମିଟ ଅଧାରୁ ଉଠି ଆସି ପ୍ରତିବାଦ ଜଣାଇଛନ୍ତି ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ଏହି ଭର୍ଚୁଆଲ ସମିଟରେ ଭାରତୀୟ ଭୂଖଣ୍ଡର ଥିବା କିଛି ଅଂଶ ପାକିସ୍ତାନର ବୋଲି ମାନଚିତ୍ର ଦେଖାଇବାକୁ ଡୋଭାଲ ଏହାର ପ୍ରତିବାଦ କରିଥିଲେ। ଭର୍ଚୁଆଲ ସମିଟ ଆୟୋଜନ କରୁଥିବା ରୁଷିଆ ମଧ୍ୟ ପାକିସ୍ତାନକୁ ମଧ୍ୟ ଏହି ବିବାଦୀୟ ମ୍ୟାପ ପ୍ରତ୍ୟାହାର କରିନେବାକୁ କହିଥିଲେ। ମାତ୍ର ପାକିସ୍ତାନ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ ନ କରିବାରୁ ଡୋଭାଲ ଏହି ସମିଟ ଅଧାରୁ ଉଠି ଆସିଥିଲେ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବବୃତିରେ କୁହାଯାଇଛି ଯେ ଏହା ଏସସିଓ ସମିଟର ଖୋଲା ଉଲ୍ଲଙ୍ଘନ। ବୈଠକ ଅଧାରୁ ଉଠି ଆସିବା ପୂର୍ବରୁ ଏନେଇ ଆୟୋଜକ ରାଷ୍ଟ୍ର ରୁଷିଆର ଅନୁମତି ମଧ୍ୟ ନିଆଯାଇଥିଲା ବୋଲି କୁହାଯାଉଛି। ସମିଟ ଶେଷରେ ରୁଷିଆର ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପାଟୁଶେଭ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ମଧ୍ୟ ସମିଟରେ ଭାଗ ନେଇଥିବାରୁ କୃତଜ୍ଞତା ଜଣାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ତାଙ୍କ ସ୍କ୍ରିନରେ ଲଗାଇଥିବା ପାକିସ୍ତାନ ମ୍ୟାପରେ ଗୁଜରାଟ, ଜମ୍ମୁ-କଶ୍ମୀର ଓ ଲଦାଖର କେତେକ ଅଞ୍ଚଳ ପାକିସ୍ତାନର ବୋଲି ଦର୍ଶାଇଥିଲେ। ଯାହାର ପ୍ରତିବାଦ କରି ଡୋଭାଲ ସମିଟ ଅଧାରୁ ଉଠି ଆସିଥିବା ସ୍ପଷ୍ଟ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ