ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ଭାରତୀୟଙ୍କ ଉପରେ ଚୀନର ନଜର


ଏଲଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ସ୍ଥିତିରେ ରହିଥିଲା ବେଳେ ଚୀନର କମ୍ୟୁନିଷ୍ଟ ସରକାର ବିଭିନ୍ନ ଦିଗରୁ ଭାରତକୁ ଘେରିବା ନେଇ କାର୍ଯ୍ୟ କରୁଥିବାର ସୂଚନା ହସ୍ତଗତ ହୋଇଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଆଧାରରେ ଶନଜେନରେ ଥିବା ଝେନହୁଆ ଡାଟା ଇନଫର୍ମେସନ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ପ୍ରଭାବଶାଳୀ ବକ୍ତିଙ୍କୁ ଟ୍ରାପ କରୁଛି। ଭାରତ-ଚୀନ ବିବାଦ ପରିପ୍ରେକ୍ଷୀରେ ଏହି ଟେକ୍ନୋଲୋଜି ଫାର୍ମ ଚୀନ ସରକାର, ସେନାବାହିନୀ ସହ ଯୋଗାଯୋଗର ରହି ଭାରତୀୟ ରାଷ୍ଟ୍ରନେତା, ବଡ଼ ବଡ଼ ଶିଳ୍ପପତି, କ୍ରୀଡାବିତ ଓ ଅନ୍ୟାନ୍ୟ ବିଭିନ୍ନ ବର୍ଗର ଲୋକଙ୍କ ଗତିବିଧି ଉପରେ ତଥ୍ୟ ଯୋଗାଡ଼ କରି ହସ୍ତାନ୍ତର କରୁଛି।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଆଧାରରେ ଉକ୍ତ ଟେକ୍ନୋଲୋଜି ର୍ଫାମ ଓଭରସିଜ କି ଇନଫର୍ମେସନ ଡାଟାବେସ (ଓକେଆଇଡିବି) ଜରିଆରେ ତଥ୍ୟ ସଂଗ୍ରହ କରି ଚୀନ ସରକାର, ସେନାବାହିନୀ ଓ କମ୍ୟୁନିଷ୍ଟ ପାର୍ଟି ଅଫ ଚୀନକୁ ପ୍ରଦାନ କରୁଛି। ଯାହା ଭବିଷ୍ୟତରେ ଭାରତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ଉପୁଜିଛି। ଏହି ରିପୋର୍ଟକୁ ନେଇ ମଧ୍ୟ ବିରୋଧୀ ରାଜନୈତିକ ଦଳମାନେ ପ୍ରତିକ୍ରିୟା ପ୍ରକାଶ କରିବା ଆରମ୍ଭ କରିଛନ୍ତି। ସରକାର ତାଙ୍କ ଚୀନ ନୀତି ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି। ଏଲଏସିର ପ୍ରକୃତ ସ୍ଥିତି କ’ଣ ତାହା ଜଣାଇବା ପାଇଁ ମଧ୍ୟ ଚାପ ବଢ଼ିବାରେ ଲାଗିଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ଉକ୍ତ ଫାର୍ମ ପ୍ରଧାନମନ୍ତ୍ରୀ ମୋଦି,  ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାଜନାଥ ସିଂହ, ନିର୍ମଳା ସୀତାରମଣ, ସ୍ମତି ଇରାନୀ, ପୀୟୁଷ ଗୋଏଲଙ୍କ ବାବଦରେ ତଥ୍ୟ ସଂଗ୍ରହ କରୁଛି। ସେହିପରି ମମତା ବାନାର୍ଜୀ, ଅଶୋକ ଗେହଲଟ, ଅମରିନ୍ଦର ସିଂ, ଉଦ୍ଧବ ଠାକରେ, ନବୀନ ପଟ୍ଟନାୟକ, ଶିବରାଜ ସିଂ ଚୌହ୍ବାନଙ୍କ ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ କରୁଥିବା ସୂଚନା ମିଳିଛି। ଏଥିସହ ୧୫ ଜଣ ପୂର୍ବତନ ସେନାମୁଖ୍ୟ, ସିଡିଏସ ବିପିନ ରାୱତ, ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଲୋକପାଳ ଜଷ୍ଟିସ ପିସି ଘୋଷ ପ୍ରମୁଖ ବଡ଼ ବଡ଼ ବ୍ୟକ୍ତିଙ୍କ ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବାକୁ ନେଇ ସାରା ଦେଶରେ ପ୍ରକିକ୍ରିୟା ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ