ମାସ୍କ ଓ ପିପିଇ କିଣା ଦୁର୍ନୀତି: ଲୋକାୟୁକ୍ତରେ ହେମନ୍ତ ଓ ଯାମିନୀ ହାଜର


କୋରୋନା ମହାମାରୀ ସମୟରେ ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତିକୁ ନେଇ ହୋଇଥିବା ଅଭିଯୋଗର ପକ୍ଷ ରଖିବାକୁ ସୋମବାର ଲୋକାୟୁକ୍ତଙ୍କ ପାଖର ହାଜର ହୋଇଛନ୍ତି ଦୁଇ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ। ଉଭୟ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇ ନିଜ ନିଜର ପକ୍ଷ ରଖିଛନ୍ତି। ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ଥିବା ବେଳେ ତତ୍କାଳୀନ କ୍ରୟ କମିଟିର ମୁଖ୍ୟ ହେଉଛନ୍ତି ହେମନ୍ତ ଶର୍ମା।

କିଛି ଦିନ ତଳେ ରାଜ୍ୟ କଂଗ୍ରେସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ପିପିଇ କିଣାକୁ ନେଇ ଦୁର୍ନୀତି ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଚଢ଼ା ଦାମରେ ମାସ୍କ ଓ ପିପିଇ କିଟ୍ କିଣିଥିବା ସେମାନେ ଅଭିଯୋଗ କରିଥିଲେ। ଗତ ଜୁନ୍‌ ମାସରେ ମାସ୍କ କିଣା ଦୁର୍ନୀତି ମାମଲାରେ ଆଇଏଏସ୍‌ ହେମନ୍ତ ଶର୍ମାଙ୍କ ନାଁରେ କ୍ୟାପିଟାଲ୍‌ ଥାନାରେ ଏତଲା ଦେଇଥିଲା ଓଡିଶା ସୂଚନା ଅଧିକାର ଅଭିଯାନ। ଏହାପରେ କୋଭିଡ୍‌-୧୯ କ୍ରୟ କମିଟିରୁ ଆଇଏଏସ୍‌ ହେମନ୍ତ ଶର୍ମାଙ୍କୁ ବାଦ ଦିଆଯାଇଥିଲା। କୋରୋନା ମୁକାବିଲା ସରଞ୍ଜାମ କିଣିବା ପାଇଁ ରାଜ୍ୟ ସରକାର ତାଙ୍କୁ ଦାୟିତ୍ବ ଦେଇଥିଲେ। ଶକ୍ତି ବିଭାଗ ପ୍ରମୁଖ ସଚିବ କାର୍ଯ୍ୟ ସମ୍ପାଦନ ସହିତ କୋଭିଡ-୧୯ ପରିଚାଳନାର ଏହି ଗୁରୁଦାୟିତ୍ୱ ନିର୍ବାହ କରୁଥିଲେ ହେମନ୍ତ ଶର୍ମା।

ପିପିଏ କିଟ୍ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଲୋକାୟୁକ୍ତଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହା ପରେ ଦାୟିତ୍ବରେ ଥିବା ଆଇଏଏସ୍ ଅଧିକାରୀ ତଥା ଅନ୍ୟ ଉତ୍ତରଦାତାଙ୍କୁ ନୋଟିସ୍ ପ୍ରଦାନ କରାଯାଇଥିଲା ଓ ଅଗଷ୍ଟ ୭ରେ ଜବାବ ଦାଖଲ ଲାଗି କୁହାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ କେହି ଅଗଷ୍ଟ ୭ରେ ଶୁଣାଣି ପାଇଁ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ନ ଥିଲେ। ଯେଉଁଥିପାଇଁ ଲୋକାୟୁକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ। ଉତ୍ତରଦାତାମାନଙ୍କୁ ପୁନର୍ବାର ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ସେମାନଙ୍କର ଉତ୍ତର ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ଆଜି ଦୁଇ ଆଇଏଏସ୍ ଅଧିକାରୀ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି ଓ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ରେ କରାଯିବ ବୋଲି ସ୍ଥିର ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ