୨୦୨୧କୁ ଘୁଞ୍ଚିଲା ଥୋମାସ୍ ଓ ଉବେର୍ କପ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍

ନିର୍ଦ୍ଧାରିତ ସମୟରେ ହେବ ଡେନ୍‌ମାର୍କ ଓପନ୍ ଓ ଡେନମାର୍କ ମାଷ୍ଟର୍ସ

ଚଳିତ ବର୍ଷ ଗତ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ କୋରୋନା ସଂକ୍ରମଣ କାରଣରୁ ଏକାଧିକ ପ୍ରତିଯୋଗିତା ବାତିଲ୍ ହୋଇଥିଲା। ଗତ କିଛି ମାସ ମଧ୍ୟରେ ଯଦିଓ କ୍ରମଶଃ କ୍ରୀଡ଼ାବିତମାନେ ପଡ଼ିଆକୁ ଆସିବାରେ ଲାଗିଛନ୍ତି, କିନ୍ତୁ ଏବେ ବି ଅନେକ କ୍ରୀଡ଼ାରେ ସ୍ଥିତି ଆଦୌ ସ୍ବାଭାବିକ ହୋଇନାହିଁ। ଏଥି ମଧ୍ୟରେ ବ୍ୟାଡମିଣ୍ଟନ୍ ଅନ୍ୟତମ। ବିଶ୍ବ ବ୍ୟାଡମିଣ୍ଟନ୍ ମହାସଂଘ (ବିଡବ୍ଲ୍ୟୁଏଫ୍) ପକ୍ଷରୁ କୋରୋନା ପରବର୍ତ୍ତୀ ସମୟରେ ବିଭିନ୍ନ ଟୁର୍ଣ୍ଣାମେଣ୍ଟର ପରିବର୍ତ୍ତିତ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ବି ଅନେକ ଦେଶରେ କୋରୋନା ସଂକ୍ରମଣ ମାତ୍ରା ଚିନ୍ତାଜନକ ଥିବାରୁ ଅଧିକାଂଶ ଦେଶ ବିଦେଶ ଗସ୍ତ କରି ଟୁର୍ଣ୍ଣାମେଣ୍ଟ୍ ଖେଳିବାକୁ ଆଗ୍ରହୀ ହେଉନାହାନ୍ତି। ଫଳସ୍ବରୂପ ବିଡବ୍ଲ୍ୟୁଏଫ୍ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି। ଆସନ୍ତା ଅକ୍ଟୋବର ୩ରୁ ଡେନମାର୍କର ଆରହସଠାରେ ଆରମ୍ଭ ହେବାକୁ ଥିବା ଥୋମାସ୍ ଓ ଉବେର୍ କପରୁ ଏକାଧିକ ଦେଶ ଓହରିଯାଇଥିବାରୁ ଶେଷରେ ଏହା ଆସନ୍ତା ୨୦୨୧କୁ ଘୁଞ୍ଚିଯାଇଛି। ଅବଶ୍ୟ ଏହି ଟୁର୍ଣ୍ଣାମେଣ୍ଟ୍ ପରେ ଅକ୍ଟୋବର ୧୩ ତାରିଖରୁ ହେବାକୁ ଥିବା ଡେନମାର୍କ ଓପନ୍ ଓ ଅକ୍ଟୋବର ୨୦ରୁ ହେବାକୁ ଥିବା ଡେନମାର୍କ ମାଷ୍ଟର୍ସ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଆୟୋଜିତ ହେବ ବୋଲି ବିଡବ୍ଲ୍ୟୁଏଫ୍ ପକ୍ଷରୁ କୁହାଯାଇଛି।

ଏଥିସହ ୩ୟ ଥର ପାଇଁ ବିଡବ୍ଲ୍ୟୁଏଫ୍ ଥୋମାସ୍ ଓ ଉବେର୍ କପ୍‌କୁ ବାତିଲ୍ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ୍ ହେବା ସକାଶେ ଭାରତୀୟ ବ୍ୟାଡମିଣ୍ଟନ୍ ସଂଘ (ବାଇ) ପକ୍ଷରୁ ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇସାରିଥିଲା। ଏଥିରେ ଦେଶର ଦୁଇ ଜଣ ପ୍ରମୁଖ ଖେଳାଳି ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ସାମିଲ୍ ହେବା ସକାଶେ ରାଜି ହେବା ପରେ ସେମାନଙ୍କ ନାମ ମଧ୍ୟ ସାମିଲ୍ ହୋଇଥିଲା। ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଥାଇଲାଣ୍ଡ୍ ପରି ବ୍ୟାଡମିଣ୍ଟନ୍ ପାୱାର୍ ହାଉସ୍ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିବା ବେଳେ ଚୀନ୍ ମଧ୍ୟ ତା’ର ଭାଗିଦାରୀ ନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ଦେଇ ନ ଥିଲା। ଏହିସବୁ ଦେଶ ଓହରିଯିବାରୁ ସେମାନଙ୍କ ସ୍ଥାନର ଭରଣା ପାଇଁ ବିଡବ୍ଲ୍ୟୁଏଫ୍ ପକ୍ଷରୁ ହଂକଂ, ସିଙ୍ଗାପୁର, ଫିନଲାଣ୍ଡ୍ ଓ ସ୍ବିଡେନ୍ ପରି ଟିମକୁ ଭାଗ ନେବା ସକାଶେ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ଶେଷରେ ବିଡବ୍ଲ୍ୟୁଏଫ୍ ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିବା ନେଇ ନିଜର ଅସାମର୍ଥ୍ୟତା ପ୍ରକାଶ କରାଯାଇଛି। ବିଡବ୍ଲ୍ୟୁଏଫ୍ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ହେବ ନାହିଁ। ଆସନ୍ତା ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ପରେ ଆୟୋଜନ ହେବ ବୋଲି କୁହାଯାଇଥିଲେ ହେଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ