ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ ୨୪ ରନରେ ବିଜୟୀ: ୧-୧ରେ ସିରିଜ୍ ବରାବର


ଚଳିତ ଇଂଲଣ୍ଡ ଗସ୍ତରେ ଅଷ୍ଟ୍ରେଲିଆ ପୂର୍ବରୁ ଟି-୨୦ ସିରିଜରେ ପରାସ୍ତ ହୋଇଥିଲେ ହେଁ ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଜିତି ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଥିଲା। କିନ୍ତୁ ଘରୋଇ ଇଂଲଣ୍ଡ ସିରିଜର ଦ୍ବିତୀୟ ମ୍ୟାଚକୁ ୨୪ ରନରେ ଜିତି ସିରିଜ୍ ବରାବର କରିଛି। ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଇଂଲଣ୍ଡ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରି ୯ ୱିକେଟରେ ୨୩୧ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଅପେକ୍ଷାକ୍‌ତ ସହଜ ଟାର୍ଗେଟ୍ ପାଇଥିଲେ ହେଁ ଇଂଲିଶ୍ ବୋଲରଙ୍କ ଶାଣିତ ପ୍ରଦର୍ଶନ ଆଗରେ ନତମସ୍ତକ ହୋଇଥିଲା ଓ ଦଳର ସବୁ ଖେଳାଳି ୪୮.୪ ଓଭର୍ରେ ୨୦୭ ରନରେ ଅଲଆଉଟ୍ ହୋଇଯାଇଥିଲେ। ଇଂଲିଶ୍ ପେସର୍ ଜୋଫ୍ରା ଆର୍ଚର୍ ୧୦ ଓଭରରେ ମାତ୍ର ୩୪ ରନ୍ ବ୍ୟୟ କରି ୩ ଜଣ ଅଗ୍ରଭାଗ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ସିରିଜର ୩ୟ ତଥା ନିର୍ଣ୍ଣାୟକ ଦିନିକିଆଟି ଆସନ୍ତା ୧୬ ତାରିଖରେ ଏଠାରେ ଖେଳାଯିବ। ସିରିଜ୍ ୧-୧ରେ ବରାବର ହୋଇଥିବାରୁ ଏହି ମ୍ୟାଚଟି ଯେଉଁ ଟିମ୍ ଜିତିବ, ଉକ୍ତ ଟିମ୍ ସିରିଜରେ ବିଜୟୀ ହେବ।

ଇଂଲଣ୍ଡ ଓପନର ଜନ୍ନି ବେୟାରଷ୍ଟୋଙ୍କୁ ପ୍ରାରମ୍ଭରୁ ହରାଇଥିଲା। ପରେ ତାଙ୍କ ଓପନିଂ ସାଥୀ ଜେସନ୍ ରୟ ମଧ୍ୟ ଦଳୀୟ ସ୍କୋର୍ ୨୯ ଥିବା ବେଳେ ଆଉଟ୍ ହୋଇଥିଲେ। ଏହି ସମୟରେ ଜୋ ରୁଟ୍ ଓ ଅଧିନାୟକ ଇଅନ୍ ମୋର୍ଗାନଙ୍କ ମଧ୍ୟରେ ୬୧ ରନର ଭାଗିଦାରୀ ହୋଇଥିଲା। କିନ୍ତୁ ୪ଟି ଚୌକା ଓ ଗୋଟିଏ ଛକା ସହ ୩୯ ରନ୍ କରି ରୁଟ୍ ଆଉଟ୍ ହେବା ପରେ ଇଂଲଣ୍ଡ ପାଇଁ ଶେଷ ଭାଗରେ ଅର୍ଥାତ୍ ନବମ ୱିକେଟରେ ଟମ୍ କୁରାନ୍ ଓ ଆଦିଲ୍ ରଶିଦଙ୍କ ମଧ୍ୟରେ ୭୬ ରନର ଶକ୍ତିଶାଳୀ ଭାଗିଦାରୀ ହେବା ଫଳରେ ଇଂଲଣ୍ଡ ୨ ଶହ ଅତିକ୍ରମ କରିଥିଲା। ମୋର୍ଗାନ୍ ୫ଟି ଚୌକା ସହାୟତାରେ ୪୨ ରନ୍ କରିଥିବା ବେଳେ କୁରାନ୍ ୫ଟି ଚୌକା ସହ ୩୭ ଓ ରଶିଦ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୩୫ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସ୍ପିନର୍ ଆଡାମ୍ ଜାମ୍ପା ସର୍ବାଧିକ ୩ଟି ଓ ମିଚେଲ୍ ଷ୍ଟାର୍କ ୨ଟି ୱିକେଟ୍ ନେଇଥିଲେ।

ଜବାବରେ ଅଷ୍ଟ୍ରେଲିଆ ଲଗାତର ବ୍ୟବଧାନରେ ୱିକେଟ୍ ହରାଇ ଚାଲିବା ଫଳରେ ବିଜୟ ଲକ୍ଷ୍ୟ କ୍ରମଶଃ କଷ୍ଟସାଧ୍ୟ ହୋଇଯାଇଥିଲା। ଅବଶ୍ୟ ଦଳ ଅଧିନାୟକ ଆରୋନ୍ ଫିଞ୍ଚ୍ ୮ଟି ଚୌକା ଓ ଗୋଟିଏ ଛକା ସହ ୭୩, ମାର୍ନସ୍ ଲାବୁଶେନ୍ ୩ଟି ଚୌକା ସହ ୪୮ ଓ ୱିକେଟକିପର୍ ଆଲେକ୍ସ କ୍ୟାରୀ ୨ଟି ଚୌକା ଜରିଆରେ ୩୬ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚରଙ୍କୁ ବାଦ୍ ଦେଲେ କ୍ରିସ୍ ଓକ୍ସ ଓ ସାମ୍ କୁରାନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମାତ୍ର ଗୋଟିଏ ବଡ଼ ଭାଗିଦାରୀ ହୋଇଥିଲା। ୩ୟ ୱିକେଟରେ ଲାବୁଶେନ୍ ଓ ଫିଞ୍ଚଙ୍କ ମଧ୍ୟରେ ୧୦୭ ରନର ପାର୍ଟନରଶିପ୍ ହୋଇଥିଲା। କିନ୍ତୁ ଏହାପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା ଫଳରେ ଘରୋଇ ଦଳର ବିଜୟ ସହଜ ହୋଇଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ