ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ


କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷାରେ ମୋଟ ୩୫,୫୮୮ ଜଣ ପରୀକ୍ଷାର୍ଥୀ ୨୪୧ଟି କେନ୍ଦ୍ରରେ ପରୀକ୍ଷା ଦେବେ। ସପ୍ଲିମେଣ୍ଟାରୀରେ ୨୨,୬୪୯ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୫୩ଟି କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୧୨୯୩୯ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୮୮ଟି କେନ୍ଦ୍ର ହୋଇଛି। ଖାତା ମୂଲ୍ୟାୟନ ପାଇଁ ସପ୍ଲିମେଣ୍ଟାରୀରେ ୧୩ଟି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭ଟି କେନ୍ଦ୍ର ହୋଇଛି। ସମସ୍ତ କେନ୍ଦ୍ର ପରିଚାଳକମାନେ କୋଭିଡ୍‍ ଗାଇଡ୍‍ ଲାଇନ୍‍ ପାଳନ କରିବା ପାଇଁ କଡ଼ା ନିର୍ଦେଶ ଦିଆଯାଇଛି। ଏଥିସହ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନିମନ୍ତେ ଜିଲାପାଳମାନେ ସହଯୋଗ ଯୋଗାଇ ଦେବା ଓ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।

କୋରୋନା ପାଇଁ ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ କରାଯାଇଛି। ଉଭୟ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ପ୍ରତି ବିଷୟ ପାଇଁ ୨ଘଣ୍ଟା ୩୦ମିନିଟ୍ ବଦଳରେ ପରୀକ୍ଷାର୍ଥୀଙ୍କୁ ୨ଘଣ୍ଟା ସମୟ ମିଳିବ। ସେହିପରି ପ୍ରତି ବିଷୟ ୧୦୦ ନମ୍ବର ବଦଳରେ ୮୦ ନମ୍ବର ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି। ପୂର୍ବରୁ ଗଣିତ ଅବ୍‌ଜେକ୍ଟିଭ୍ ପାଇଁ ମିଳୁଥିବା ଅତିରିକ୍ତ ୧୫ମିନିଟ୍‌ ସମୟ ମଧ୍ୟ ଏହି ସପ୍ଲିମେଣ୍ଟାରୀରେ ପରୀକ୍ଷାର୍ଥୀଙ୍କୁ ଆଉ ମିଳିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସବୁ କେନ୍ଦ୍ରରେ କୋଭିଡ ଗାଇଡ୍‌ଲାଇନ୍ କଡ଼ାକଡ଼ି କରାଯିବ। କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହିବା ସହିତ ପ୍ରତିଦିନ ପରୀକ୍ଷାକେନ୍ଦ୍ର ବିଶୋଧନ କରାଯିବାକୁ ଜିଲ୍ଲା ଶିକ୍ଷାଧିକାରୀ ଓ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ୍‌ମାନଙ୍କୁ ନିର୍ଦେଶ ଦିଆଯାଇଛି।

ମାଟ୍ରିକ୍‌ ସପ୍ଲ‌ିମେଣ୍ଟାରୀ ପାଇଁ ପରୀକ୍ଷା କେନ୍ଦ୍ର ସକାଳ ୯ଟାରେ ଖୋଲିବ। କେନ୍ଦ୍ରକୁ ପ୍ରବେଶ କରିବା ପରେ ପରୀକ୍ଷାର୍ଥୀଙ୍କୁ ପ୍ରଥମେ ଓଏମ୍‌ଆର୍ ସିଟ୍ ମିଳିବ। ଏହି ଓଏମ୍‌ଆର୍‌ ସିଟ୍‌ରେ ପିଲାଙ୍କ ରୋଲ ନଂ, ବିଷୟ ଆଦି ଲେଖାଯାଇଛି। ସକାଳ ୯ଟା ୪୫ମିନିଟ୍‌ରେ ପ୍ରଶ୍ନପତ୍ର ସମେତ ଉତ୍ତର ବୁକ୍‌ଲେଟ୍ ପ୍ରଦାନ କରାଯିବ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ। ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅବ୍‌ଜେକ୍ଟିଭ୍ ପରୀକ୍ଷା (ଏହାର ଉତ୍ତର ଓଏମ୍‌ଆର୍‌ ମାଧ୍ୟମରେ ପୂରଣ କରାଯିବ) ଓ ୧୧ଟାରୁ ୧୨ଟା ସବ୍‌ଜେକ୍ଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ। ‌ଅବ୍‌ଜେକ୍ଟିଭ୍ ପାଇଁ ୫୦ନମ୍ବର ଓ ସବ୍‌ଜେକ୍ଟିଭ୍ ପାଇଁ ୩୦ ନମ୍ବର, ଏହିପରି ମୋଟ ୮୦ ନମ୍ବର ପରୀକ୍ଷା କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ‌ଦେଇଛନ୍ତି। କୋଭିଡ୍‌ ପାଇଁ ପରୀକ୍ଷା ସମୟ ଓ ନମ୍ବରକୁ କମାଇ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ କୋଭିଡ୍‌ର ସମସ୍ତ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ବୋର୍ଡ ପକ୍ଷରୁ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ କୁ‌ହାଯାଇଛି ବୋଲି ହାଜରା କହିଛନ୍ତି। ବୋର୍ଡ ପକ୍ଷରୁ ପରୀକ୍ଷା ପରିଚାଳନା ବେଳେ କୋଭିଡ୍‍ ଗାଇଡ୍‍ ପାଳନ କରିବା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ, ପୋଲିସ ପ୍ରଶାସନ ଓ ଜିଲା ପ୍ରଶାସନର ସହଯୋଗ କାମନା କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ