ରାଜସ୍ଥାନ ରୟାଲ୍ସକୁ ଫେରିଲେ ୱାର୍ଣ୍ଣ: ମେଣ୍ଟର ଓ ଆମ୍ବାସାଡର୍ ମନୋନୀତ


ଆଇପିଏଲର ତ୍ରୟୋଦଶ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ସଂସ୍କରଣର ଚାମ୍ପିଅନ୍ ରାଜସ୍ଥାନ ରୟାଲ୍ସ ସହ ପୁଣି ଥରେ ଯୋଡ଼ି ହୋଇଛନ୍ତି କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ସ୍ପିନର୍ ଶେନ୍ ୱାର୍ଣ୍ଣ। ଉଦଘାଟନୀ ସଂସ୍କରଣରେ ଚାମ୍ପିଅନ୍ ଦଳର ନେତୃତ୍ବ ନେଇଥିବା ୱାର୍ଣ୍ଣ ଏଥର ଦଳ ସହ ବ୍ରାଣ୍ଡ୍ ଆମ୍ବାସାଡର୍ ଓ ମେଣ୍ଟର ଭାବେ ଯୋଗ ଦେବେ। ଚଳିତ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ୱାର୍ଣ୍ଣ ଖୁବଶୀଘ୍ର ୟୁଏଇରେ ପହଞ୍ଚିବେ। ଟିମ୍ ମେଣ୍ଟର ଭାବେ ୱାର୍ଣ୍ଣ ତାଙ୍କର ପୂର୍ବତନ ଭିକ୍ଟୋରିଆ ଦଳର ସାଥୀ ଖେଳାଳି ତଥା ରୟାଲ୍ସର ମୁଖ୍ୟ କୋଚ୍ ଆଣ୍ଡ୍ରୁ ମ୍ୟାକଡୋନାଲ୍ଡଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଗତ ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ ୱାର୍ଣ୍ଣ ଓ ମ୍ୟାକଡୋନାଲ୍ଡ ଭିକ୍ଟୋରିଆ ପକ୍ଷରୁ ସାଥୀ ହୋଇ ଖେଳିଥିଲେ। ସେହିପରି ୱାର୍ଣ୍ଣ ରାଜସ୍ଥାନ ରୟାଲ୍ସର କ୍ରିକେଟ୍ ମୁଖ୍ୟ ଜୁବିନ୍ ଭରୁଚାଙ୍କ ସହ ପୁଣି ଥରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଆଇପିଏଲର ଉଦଘାଟନୀ ସଂସ୍କରଣରେ ୨୦୦୮ରେ ୱାର୍ଣ୍ଣ ଦଳର ନେତୃତ୍ବ ନେଇଥିବା ବେଳେ ଭରୁଚା ମଧ୍ୟ ଦାୟିତ୍ବରେ ଥିଲେ।

ନିଜର ନୂଆ ଭୂମିକା ସମ୍ପର୍କରେ ୱାର୍ଣ୍ଣ କହିଛନ୍ତି ଯେ ରାଜସ୍ଥାନ ରୟାଲ୍ସ ମୋର ପରିବାର ଭଳି। ଏହି ଫ୍ରାଞ୍ଚାଇଜି ପ୍ରତି ମୋର ସବୁଠାରୁ ଅଧିକ ଦୁର୍ବଳତା ଥିବାରୁ ଏଥିସହ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେବା ନିଶ୍ଚିତ ଭାବେ ମୋ ପାଇଁ ସୁଖଦ ଅନୁଭୂତି। ରାଜସ୍ଥାନ ରୟାଲ୍ସକୁ କେବଳ ଭାରତରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ବି ଲୋକପ୍ରିୟତା ଦେବା ମୋର ପ୍ରମୁଖ ପ୍ରାଥମିକତା। ପୁଣିଥରେ ମ୍ୟାକଡୋନାଲ୍ଡ ଓ ଭରୁଚାଙ୍କ ସହ କାମ କରିବାର ସୁଯୋଗ ମିଳିବ। ସେମାନଙ୍କ ସହଯୋଗରେ ଆଇପିଏଲର ତ୍ରୟୋଦଶ ସଂସ୍କରଣକୁ ରାଜସ୍ଥାନ ରୟାଲ୍ସ ଟିମ୍ ପାଇଁ ସ୍ମରଣୀୟ କରିବା ସକାଶେ ଉଦ୍ୟମ କରିବେ ବୋଲି ୱାର୍ଣ୍ଣ କହିଛନ୍ତି। ସେହିପରି ୱାର୍ଣ୍ଣଙ୍କ ନିଯୁକ୍ତି ସମ୍ପର୍କରେ ରୟାଲ୍ସ ଦଳର ସିଓଓ ଜେକ୍ ଲୁଶ୍ ମ୍ୟାକ୍କ୍ରମ୍ କହିଛନ୍ତି ଯେ ୱାର୍ଣ୍ଣ ସର୍ବକାଳୀନ କ୍ରିକେଟ୍ କିମ୍ବଦନ୍ତୀ ମଧ୍ୟରେ ଅନ୍ୟତମ। ତା’ଛଡ଼ା ରାଜସ୍ଥାନ ରୟାଲ୍ସ ସହ ତାଙ୍କର ସମ୍ପର୍କ ବେଶ୍ ନିବିଡ଼। ୱାର୍ଣ୍ଣ ଆମ ସହ ପୁଣି ଥରେ ଯୋଡ଼ିହେବା ପରେ ଟିମକୁ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରିବା ଉଦ୍ୟମ ସାକାର ହେବ। ତା’ଛଡ଼ା ଖେଳାଳିମାନେ ମଧ୍ୟ ତାଙ୍କଠାରୁ ପ୍ରେରଣା ପାଇ ପଡ଼ିଆରେ ଉନ୍ନତ ପ୍ରଦର୍ଶନ କରିପାରିବେ ବୋଲି ମ୍ୟାକ୍କ୍ରମ୍ ଆଶା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ