ଗୋଇଠିରେ ଯନ୍ତ୍ରଣା କାରଣରୁ ଇଟାଲିଆନ୍ ଓପନରୁ ଓହରିଲେ ସେରେନା


ଚଳିତ ୟୁଏସ୍ ଓପନର ସେମିଫାଇନାଲରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କାଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲେ ଆମେରିକାର ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ସେରେନା ୱିଲିୟମ୍ସ। ଏଥିସହ ତାଙ୍କର ରେକର୍ଡ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବାର ସ୍ବପ୍ନ ମଧ୍ୟ ଭାଙ୍ଗିଯାଇଥିଲା। ଅଦ୍ୟାବଧି ୨୩ଟି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କରିସାରିଥିବା ଏହି ଖେଳାଳି ଜଣକ ମା’ ହେବା ପରେ ତାଙ୍କର ପୂର୍ବ ସଫଳତାକୁ ବଜାୟ ରଖିଥିଲେ ହେଁ ୟୁଏସ୍ ଓପନ୍ ଫାଇନାଲ୍‌ରେ ପହଞ୍ଚିପାରି ନ ଥିଲେ। ତେବେ ଏହି ଖେଳାଳି ଜଣକ ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ଇଟାଲିଆନ୍ ଓପନରୁ ଓହରିଯାଇଛନ୍ତି। ୩୮ ବର୍ଷୀୟା ସେରେନା ତାଙ୍କ ଗୋଇଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଏହି ପ୍ରତିଯୋଗିତାରେ ସାମିଲ୍ ହେବେ ନାହିଁ ବୋଲି ଶନିବାର ଘୋଷଣା କରିଛନ୍ତି। ରୋମରେ ତାଙ୍କର ଯଥେଷ୍ଟ ସମର୍ଥକ ବିଗତ ଦିଗରେ ତାଙ୍କୁ ସମର୍ଥନ କରିଆସିଛନ୍ତି। ଚଳିତ ସଂସ୍କରଣରେ ମଧ୍ୟ ସେ ସମାନ ଭଲ ପାଇବା ପାଇପାରିଥାନ୍ତେ। କିନ୍ତୁ ଆଘାତଜନିତ କାରଣରୁ ସେ ରୋମ୍ ଯାଇପାରିବେ ନାହିଁ। କିନ୍ତୁ ତୁରନ୍ତ ଦର୍ଶକଙ୍କ ନିକଟକୁ ଫେରିବେ ବୋଲି ମହିଳା ଟେନିସ୍ ଆସୋସିଏସନ୍ (ଡବ୍ଲ୍ୟୁଟିଏ) ପକ୍ଷରୁ ପ୍ରକାଶିତ ଏକ ବିବୃତିରେ ସେରେନା ଆଶା ପ୍ରକାଶ କରିଛନ୍ତି।

ଚଳିତ ସମର୍ ସିଜନରେ ବିଶ୍ବର ପୂର୍ବତନ ଏକ ନମ୍ବର ଖେଳାଳି ଚଳିତ ୟୁଏସ୍ ଓପନରେ ତାଙ୍କର ସେମିଫାଇନାଲ୍ ମୁକାବିଲାରେ ଗୋଇଠିରେ ଆଘାତ ପାଇଥିଲେ। ଆଜାରେଙ୍କାଙ୍କଠାରୁ ୬-୧, ୩-୬, ୩-୬ ସେଟରେ ପରାସ୍ତ ହୋଇଥିବା ସେରେନା ଏହି କାରଣରୁ ମେଡିକାଲ୍ ଟାଇମଆଉଟ୍ ମଧ୍ୟ ନେଇଥିଲେ। ତାଙ୍କ ଆଘାତ ସମ୍ପର୍କରେ ସେରେନା କହିଛନ୍ତି ଯେ ଗୋଟିଏ ଶଟ୍ ଖେଳିବା ବେଳେ ତାଙ୍କ ଗୋଇଠିରେ ଖୁବ ଜୋରରେ ଯନ୍ତ୍ରଣା ହୋଇଥିଲା। ଏହା ସତ୍ତ୍ବେ ବି ଖେଳ ଜାରି ରଖିବାରୁ ଏହା କ୍ରମଶଃ ଅଧିକ ଯନ୍ତ୍ରଣା ଦେଇଥିଲା। ଗୋଇଠିକୁ ଆବଶ୍ୟକଠାରୁ ଅଧିକ ସମ୍ପ୍ରସାରିତ କରିଦେବା ଦ୍ବାରା ଯନ୍ତ୍ରଣା ଅଧିକ ପୀଡ଼ାଦାୟକ ହୋଇଥିଲା ବୋଲି ମ୍ୟାଚ୍ ଶେଷ ହେବା ପରେ ସେରେନା କହିଥିଲେ। ଇଟାଲିଆନ୍ ଓପନରେ ୪ ଥର ଚାମ୍ପିଅନ୍ ହୋଇଥିବା ସେରେନା ଓହରିଯିବା ପରେ ଏହି ପ୍ରତିଯୋଗିତା ଆଉ ଜଣେ ଟପ୍ ସିଡ୍ ଖେଳାଳିଙ୍କ ବିନା ଆୟୋଜିତ ହେବ। ପୂର୍ବରୁ ଦୁଇ ଥରର ୱିମ୍ବଲଡନ୍ ଚାମ୍ପିଅନ୍ ପେତ୍ରା କ୍ବିତୋଭା ଓ ୨୦୧୯ ୟୁଏସ୍ ଓପନ୍ ଚାମ୍ପିଅନ୍ ବାଏନ୍ସା ଆଣ୍ଡ୍ରେସ୍କୁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିସାରିଛନ୍ତି। ଆହୁରି ମଧ୍ୟ କୋରୋନା ସଂକ୍ରମଣ କାରଣରୁ ଇଟାଲୀ ଗସ୍ତ କରିବା ସକାଶେ ପୂର୍ବରୁ ଅଷ୍ଟ୍ରେଲିଆର ଟପ୍ ସିଡ୍ ଖେଳାଳି ଆଶଲି ବାର୍ଟି ମନା କରିସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ