କୋରୋନା ସୁସ୍ଥଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ


ଦେଶରେ କୋରୋନା ଭାଇରସ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଏଥିରେ ପ୍ରତିଦିନ ଅନେକ ଲୋକ ସୁସ୍ଥ ମଧ୍ୟ ହେଉଛନ୍ତି। ଏହି ଭାଇରସ କବଳରୁ ଇତିମଧ୍ୟରେ ୩୭ ଲକ୍ଷରୁ ଅଧିକ ଲୋକ ଭଲ ହୋଇଗଲେଣି। ଏମାନଙ୍କ ମଧ୍ୟରେ ଏମିତି ମଧ୍ୟ ଅନେକ ଲୋକ ଅଛନ୍ତି, ଯେଉଁମାନେ କୋରୋନା ସଂକ୍ରମଣରୁ ଭଲ ହୋଇଯାଇଥିଲେ ମଧ୍ୟ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା, ଶରୀର ଯନ୍ତ୍ରଣା, କାଶ, ଖାଦ୍ୟ ଗିଳିବାରେ ସମସ୍ୟା ଭଳି ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଶୁଣିବାକୁ ମିଳୁଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି, ଯାହାର ପାଳନ କରିବାକୁ ଲୋକଙ୍କୁ କୁହାଯାଇଛି।

କ’ଣ କହୁଛି ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରୋଟୋକଲ
କୋରୋନା ସଂକ୍ରମଣରୁ ସୁସ୍ଥ ହୋଇଯାଇଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ସେଥିରେ ପ୍ରତ୍ୟେକ ଦିନ ଚ୍ୟବନପ୍ରାଶ ଖାଇବା, ଯୋଗାସନ, ପ୍ରାଣାୟମ ଓ ସକାଳେ କିମ୍ବା ସନ୍ଧ୍ୟାରେ ଚଲାବୁଲା କରିବା ଆଦି ସାମିଲ ରହିଛି। କେତେକ ଲୋକ ସୁସ୍ଥ ହେବା ପରେ ଭାବି ନିଅନ୍ତି ଯେ ସେମାନଙ୍କୁ ପୁଣିଥରେ ସଂକ୍ରମଣ ହେବ ନାହିଁ ବୋଲି। କିନ୍ତୁ ବିଶେଷଜ୍ଞମାନେ ଏକଥାରେ ସହମତ ନୁହନ୍ତି। କାରଣ ଏପରି ଅନେକ ମାମଲା ସାମ୍ନାକୁ ଆସୁଥିବା ଦେଖିବାକୁ ମିଳୁଛି। ସୁସ୍ଥ ହେବା ପରେ ମଧ୍ୟ ଅନେକ ଲୋକ ପୁଣିଥରେ ସଂକ୍ରମିତ ହୋଇଯାଉଛନ୍ତି। ତେଣୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ ବେଶ ଗୁରୁତ୍ବପୂର୍ଣ୍ଣ।

ଏହି ଗାଇଡଲାଇନରେ କୁହାଯାଇଛି ଯେ ଏହାକୁ କୋଭିଡ-୧୯ରୁ ରକ୍ଷା ପାଇବା କିମ୍ବା ଏହାର ଉପଚାର ଭାବେ ଦେଖିବା ଉଚିତ ନୁହେଁ। କିନ୍ତୁ ଏହି ସମସ୍ତ ଉପାୟ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଯାହାକୁ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଏ। ଏଥିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଭଳି ଅନ୍ୟାନ୍ୟ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଯୋଗ, ପ୍ରାଣାୟାମ ଓ ଚାଲିବା ଜରୁରୀ
ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ ମୁତାବକ କୋରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ଯୋଗାସନ, ପ୍ରାଣାୟାମ ଓ ସକାଳେ କିମ୍ବା ସନ୍ଧ୍ୟାରେ ଚାଲିବା ଉଚିତ। ଏଥିସହିତ ଡାକ୍ତର କୌଣସି ଔଷଧ ସେବନ କରିବାକୁ କହିଥିଲେ ତାହା ମଧ୍ୟ ଜାରି ରଖିବା ଉଚିତ। ଶରୀରର ଅକ୍ସିଜେନ ସ୍ତର ଲଗାତର ନଜର ରଖିବା ଉଚିତ। ଏହା ୯୫ ପ୍ରତିଶତରୁ କମ ନ ହେବା ଦରକାର। ଜ୍ବର, ଛାତି ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଗୁଳୁଚି, ଅଁଳା, ମୁଲେଠି ପାଉଡର, ହଳଦୀଯୁକ୍ତ କ୍ଷୀର, ଚ୍ୟବନପ୍ରାଶ ନିର୍ଦ୍ଧାରିତ ମାତ୍ରାରେ ସେବନ ଲାଗି ପରାମର୍ଶ ଦିଆଯାଇଛି। ଏଥିସହିତ ଉଷୁମ ପାଣି ଓ ହଳଦୀରେ ଗାର୍ଗଲିଂ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯାହାଫଳରେ ଗଳାରେ କୌଣସି ସମସ୍ୟା ଥିଲେ ତାହା ଦୂର ହୋଇଯିବ। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ବି ଔଷଧ ସେବନ ନ କରିବାକୁ ଏହି ଗାଇଡଲାଇନରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ