ବଦଳି ଯାଇଛି ଶିକ୍ଷାର ଦୁନିଆ: ଚାପରେ ଛାତ୍ରଛାତ୍ରୀ


କୋରୋନା ମହାମାରୀ ଏବଂ ଲକଡାଉନ କାରଣରୁ ସାରା ବିଶ୍ବର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଏହା ସହିତ ଧ୍ବସ୍ତ ହୋଇଯାଇଛି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଶିକ୍ଷା। ବିଦ୍ୟାର୍ଥୀମାନେ ପ୍ରଭାବିତ ହୋଇଛନ୍ତି। ଅଭିଭାବକଙ୍କ ଚିନ୍ତା ଓ ଚାପ ବଢ଼ିଛି। ଛାତ୍ରମାନଙ୍କ ମନ ଏବେ ଆଉ ପାଠପଢ଼ାରେ ନାହିଁ। ଅଧିକାଂଶ ଛାତ୍ର ବିଦେଶକୁ ଯାଇ ପଢ଼ିବାର ଆଶା ଛାଡ଼ିଦେଇଥିବା ବେଳେ ଆଉ କେତେକ ନିଜ କ୍ୟାରିଅରରୁ ମୂଲ୍ୟବାନ ଏକ ବର୍ଷ ନଷ୍ଟ ହେବାକୁ ବସିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଏଭଳି ଅନେକ ତଥ୍ୟ ସାମ୍ନାକୁ ଆସିଛି। ଆଉଟଲୁକ-ଆଇଟି ଡବ୍ଲ୍ୟୁପି କମ୍ପାନୀ ତେଲୁନା ସର୍ଭେରୁ। ପ୍ରମୁଖ କଞ୍ଜ୍ୟୁମର୍ସ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମର ପ୍ରମୁଖ ‘ତେଲୁନା’ ଉପଭୋକ୍ତାମାନଙ୍କ ମତକୁ ପ୍ରଦର୍ଶିତ କରିବାର ଏକ ପ୍ରମୁଖ ମଞ୍ଚ ଭାବେ ନିଜକୁ ସାବ୍ୟସ୍ତ କରାଇଛି।

ଦେଶର ୨୦ଟି ମେଟ୍ରୋ ଏବଂ ଅଣମେଟ୍ରୋ ସହରରେ କରାଯାଇଥିବା ସର୍ଭେରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ମହାମାରୀ ଭିତରେ ପାଠପଢ଼ାକୁ ନେଇ ଦେଶର ବିଭିନ୍ନ ସହରର ଛାତ୍ରମାନେ ଚିନ୍ତା ଓ ଚାପରେ। ୭୭ ପ୍ରତିଶତ ବିଦ୍ୟାର୍ଥୀଙ୍କ ଆଶଙ୍କା ଯେ ଏହା ସେମାନଙ୍କ କ୍ୟାରିଅର ଉପରେ ଖରାପ ପ୍ରଭାବ ପକାଇବ। ପ୍ରତି ୫ ଜଣରୁ ୪ ଜଣ ଛାତ୍ର କହୁଛନ୍ତି ଯେ କୋରୋନା ମହାମାରୀ ପରବର୍ତ୍ତୀ ବିଶ୍ବରେ ନିଯୁକ୍ତି ସମ୍ଭାବନା ଆଉ ପୂର୍ବସ୍ଥିତିରେ ନ ରହିପାରେ। ଆଗାମୀ ସମୟରେ ରୋଜଗାର ସମ୍ଭାବନା ସୀମିତ ହୋଇଯିବ। ୩୮ ପ୍ରତିଶତ ଛାତ୍ରଙ୍କ ମତରେ ସେମାନଙ୍କ ଚିନ୍ତା ଓ ମାନସିକ ଅବସାଦ ସ୍ତରରେ ସେମାନେ କଷ୍ଟ ଭୋଗୁଛନ୍ତି। ଏହି ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଭଳି ମନେହେଉଛି। ୮୮ ପ୍ରତିଶତ ଅଭିଭାବକଙ୍କ କହିବା କଥା ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ଉପରେ କୋରୋନାର ପ୍ରଭାବ ନେଇ ସେମାନେ ଚିନ୍ତିତ। ଘରର ରୋଜଗାରରେ ଅନିଶ୍ଚିତତା, ବାରମ୍ବାର ଜାରି ହେଉଥିବା ଲକଡାଉନରେ ବିଗୁଡ଼ୁଥିବା ଅର୍ଥବ୍ୟବସ୍ଥାକୁ ନେଇ ପରିବାରରେ ଚର୍ଚ୍ଚା ପିଲାଙ୍କ ମନକୁ ମଧ୍ୟ ଆନ୍ଦୋଳିତ କରୁଛି। ଅନେକ ଲୋକଙ୍କ ଚାକିରି ଚାଲିଯାଇଛି। କେତେକଙ୍କ ଦରମା କଟା ହୋଇଛି ଏବଂ ଆହୁରି କେତେକଙ୍କ କାମ ନାହିଁ ତ ଦରମା ନାହିଁ ଭଳି ସ୍ଥିତିକୁ ସାମ୍ନା କରୁଛନ୍ତି। ଏଭଳି ପରିପ୍ରେକ୍ଷୀରେ ୬୮ ପ୍ରତିଶତ ଛାତ୍ର ଉଚ୍ଚଶିକ୍ଷା କ୍ଷେତ୍ରରେ କରିଥିବା ଯୋଜନାକୁ ବଦଳାଇବା ଚାହୁଁଥିବା ନେଇ ମତପୋଷଣ କରିଛନ୍ତି। କେତେକ ଛାତ୍ର ଉଚ୍ଚଶିକ୍ଷା ପରିବର୍ତ୍ତେ ଚାକିରି କରି ନିଜ ପରିବାର ପାଇଁ ସହାୟତା କରିବା କଥା ଭାବୁଛନ୍ତି। ଆମେରିକା ଯିବାର ଆକାଙ୍‌କ୍ଷାକୁ ଛାଡ଼ି ଏଣିକି ଅନ୍ୟକିଛି କରିବାକୁ ହେବ ବୋଲି ସର୍ଭେରେ କହିଛନ୍ତି ମେଟ୍ରୋର ବିଦ୍ୟାର୍ଥୀ।

ପ୍ରତିବର୍ଷ ଉଚ୍ଚଶିକ୍ଷା ପାଇଁ ଆମ ଦେଶରୁ ଲକ୍ଷ ଲକ୍ଷ ଛାତ୍ର ବିଦେଶ ଯାଇଥାନ୍ତି। ଚଳିତ ବର୍ଷ ଏହାର ପ୍ରଭାବ ନାର୍ହି। ୭୭ ପ୍ରତିଶତ ଛାତ୍ର କହିଛନ୍ତି ଯେ କୋଭିଡ ୧୯ ବିଦେଶରେ ପାଠ ପଢ଼ିବା ସ୍ବପ୍ନକୁ ମାରିଦେଲା। ତେଣୁ ସେମାନେ ଦେଶରେ ପଢ଼ିବାର ଯୋଜନା କରୁଛନ୍ତି। ଏହାର ଚାପ ଘରୋଇ ଶିକ୍ଷାନୁଷ୍ଠାନ ଉପରେ ପଡ଼ିବ। ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଚଳିତ ବର୍ଷ ସିଟ ସଂଖ୍ୟା ମଧ୍ୟ ବଢ଼ାଯାଇଛି। ୬୬ ପ୍ରତିଶତ ଛାତ୍ର ଚଳିତ ବର୍ଷ କୋରୋନା କାରଣରୁ ଗୁଣାତ୍ମକ ଶିକ୍ଷା ମିଳି ନ ପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ୮୧ ପ୍ରତିଶତ ଅଭିଭାବକ ସ୍ବୀକାର କରିଛନ୍ତି ଯେ ଶିକ୍ଷାନୁଷ୍ଠାନରେ ଫିସ ଦେବାକୁ ନେଇ ସେମାନେ ଚିନ୍ତିତ। ୭୮ ପ୍ରତିଶତଙ୍କ ଆଶଙ୍କା ଯେ ଫିସ ଦେବା ପାଇଁ ସେମାନଙ୍କ ନିଜର ପୁରୁଣା ସଞ୍ଚୟକୁ ଶେଷ କରିବାକୁ ବାଧ୍ୟ ହେବେ।

ଅଧିକାଂଶ ଛାତ୍ର ଅନଲାଇନ ଶିକ୍ଷାର ନୂଆ ବ୍ୟବସ୍ଥାରେ ନିଜକୁ ନିୟୋଜିତ କରିଛନ୍ତି। ସେମାନଙ୍କ ନିକଟରେ ବିକଳ୍ପ କିଛି ନାହିଁ। ମେଟ୍ରୋର ପ୍ରତି ୪ ଜଣରୁ ୩ ଜଣ ଛାତ୍ର ଡିଜିଟାଲ ହେବାରେ ସମସ୍ୟା ଅନୁଭବ କରି ନ ଥାନ୍ତି। କିନ୍ତ ଅନଲାଇନ କ୍ଲାସରେ ଚାପ ବଢ଼ୁଛି। କୋରୋନା କମିବା ପରେ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଖୋଲିଯିବା ଦରକାର। ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ନିରନ୍ତର ବାର୍ତ୍ତାଳାପ ଅନଲାଇନରେ ହୋଇପାରୁ ନାହିଁ। ୮୧ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲର ଅଭାବ ଅନୁଭବ କରୁଛନ୍ତି। ଅନଲାଇନ କ୍ଲାସରେ ପାଠପଢ଼ା ଠିକରେ ହୋଇପାରୁ ନାହିଁ। ସର୍ଭେରେ ସାମିଲ ୫୮ ପ୍ରତିଶତ ବିଦ୍ୟାର୍ଥୀଙ୍କ କହିବା କଥା ସେମାନଙ୍କ ଘରେ କମ୍ପ୍ୟୁଟର, ଇଣ୍ଟରନେଟ, କନେକ୍ସନ ଏବଂ ପ୍ରିଣ୍ଟର ନାହିଁ। ୮୦ ପ୍ରତିଶତ ଛାତ୍ର କହିଥିଲେ ଯେ ପୂରାଦିନ ଫୋନ ବା କମ୍ପ୍ୟୁଟର ପରଦା ଉପରେ ଆଖି ପକାଇ ରଖିଲେ ଅଧିକ ଉତ୍ତେଜନା ଅନୁଭବ କରିହେଉଛି। ୨୯ ପ୍ରତିଶତ ବିଦ୍ୟାର୍ଥୀ ଇଣ୍ଟରନେଟ ସଂଯୋଗରେ ସମସ୍ୟା ହେଉଥିବା ସୂଚାଇଥିଲେ। ପଠନ ସାମଗ୍ରୀ ଡାଉନଲୋଡ଼ କରିହେଉ ନ ଥିବା କହିଥିଲେ। ଅନଲାଇନ ବ୍ୟବସ୍ଥାରେ ୭୦ ପ୍ରତିଶତ ଛାତ୍ର ନିଜକୁ ଏକାକୀ ଅନୁଭବ କରୁଥିବା କହିଥିଲେ। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଲମ୍ବା ସମୟ ଧରି ବନ୍ଦ ଥିବା ବେଳେ ଓ ସେମାନେ ଅନଲାଇନ ଶିକ୍ଷାକୁ ଏବେ ପ୍ରାଥମିକତା ଦେଉଥିବା ବେଳେ ୬୯ ପ୍ରତିଶତଙ୍କ ମତ ଏହା ବ୍ୟକ୍ତିତ୍ବ ବିକାଶର ପରିପନ୍ଥୀ।

ପୁନେର କେମିଷ୍ଟ୍ରି ଟିଚର ମଧୁମିତା ବି ଇଣ୍ଟରନେଟରେ ଯଥେଷ୍ଟ ଲୋକପ୍ରିୟ। ସେ ଲୁଗା ଟଙ୍ଗା ଯାଉଥିବା ହ୍ୟାଙ୍ଗରରେ ନିଜର ମୋବାଇଲ ଫୋନର ଟ୍ରାଇପଡ ତିଆରି କରିଥିଲେ। ସେ ବ୍ଲାକବୋର୍ଡରେ ଯାହା ଲେଖନ୍ତି ଏହି ଘରୋଇ ଟ୍ରାଇପଡ ସହାୟତାରେ ସେଗୁଡ଼ିକର ଭଲ ଭିଡିଓ ତିଆରି ହୋଇଯାଏ। ହେଲେ ଦେଶର ଅନଲାଇନ କ୍ଲାସର ଦାୟିତ୍ବ ନେଇଥିବା ସବୁ ଶିକ୍ଷକ ମଧୁମିତାଙ୍କ ପରି ଅଭିଜ୍ଞ ଓ ପ୍ରଶିକ୍ଷିତ ନୁହନ୍ତି। ପୂର୍ବରୁ ଲେଖାପଢ଼ା ସାମଗ୍ରୀର ପ୍ରସ୍ତୁତି ଏତେମାତ୍ରାରେ କରାଯାଇ ପାରିନି। ସବୁ ଅଞ୍ଚଳରେ ବିଜୁଳି ଓ ଇଣ୍ଟରନେଟ ସେବା ଉପଲବ୍ଧ ହେଉନି। ତେଣୁ ଅନଲାଇନ ଶିକ୍ଷା ମଜାଦାର ନ ହୋଇ ଅନେକଙ୍କ ପାଇଁ ବୋରିଂ ଓ ଅପହଞ୍ଚ ହୋଇରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ