ମୁହଁ ମାଡ଼ି ପଡ଼ିଲା ‘ମୁଲାନ୍’

ଚୀନ୍ କନେକ୍ସନ୍ ଲାଗି ୱାଲ୍ଟ ଡିସନୀର ଏହି ବହୁପ୍ରତୀକ୍ଷିତ ଫିଲ୍ମକୁ ତୀବ୍ର ବିରୋଧ

ସାମ୍ପ୍ରତିକ ସମୟରେ ଲାଗୁଛି ଚୀନର ବେଳା ଭଲ ନାହିଁ। ସୀମା ବିବାଦକୁ ନେଇ ଭାରତ ସହ ଏହାର ସମ୍ପର୍କ ତିକ୍ତ ହୋଇଥିବା ବେଳେ ବିଶ୍ବରେ ଅନେକ ରାଷ୍ଟ୍ର ମଧ୍ୟ ଏହାର ଘୋର ବିରୋଧୀ ପାଲଟିଛନ୍ତି। ମହାମାରୀ କୋରୋନାର ଉତ୍ପତ୍ତିସ୍ଥଳ ଭାବେ ସମଗ୍ର ବିଶ୍ବରେ ବଦନାମ ହୋଇଥିବା ଚୀନ୍ ଏବେ ଏହାର ବିସ୍ତାରବାଦୀ ନୀତି ପାଇଁ ମଧ୍ୟ ପଡ଼ୋଶୀ ରାଷ୍ଟ୍ରଙ୍କ ସମେତ ଅନ୍ୟାନ୍ୟ ଦେଶର ସମାଲୋଚନାର ଶରବ୍ୟ ହୋଇଛି। ଏହା ସାଙ୍ଗକୁ ଉଇଘର୍ ମୁସଲିମଙ୍କୁ ନିର୍ଯାତନା ପ୍ରସଙ୍ଗରେ ମଧ୍ୟ ଚୀନର ମୁଖା ଖୋଲିଯାଇଛି। ଏଭଳି ସମୟରେ ହଲିଉଡର ନାମୀ ଫିଲ୍ମ ନିର୍ମାତା ଷ୍ଟୁଡିଓ ୱାଲ୍ଟ ଡିସନୀର ବହୁପ୍ରତୀକ୍ଷିତ ଫିଲ୍ମ ‘ମୁଲାନ୍’କୁ ଚୀନ୍ କନେକ୍ସନ୍ ଲାଗି ସୋସାଲ୍ ମିଡିଆରେ ନାପସନ୍ଦ କରାଯାଇଛି। କୋରୋନା ପରବର୍ତ୍ତୀ ସମୟରେ ବହୁ ପ୍ରତୀକ୍ଷା ପରେ ଫିଲ୍ମଟିକୁ ରିଲିଜ୍ କରିବା ପାଇଁ ନିର୍ମାଣ ସଂସ୍ଥା ଆଶା ବାନ୍ଧିଥିବା ବେଳେ ଏଭଳି ପ୍ରତିକ୍ରିୟା ଚିନ୍ତାକୁ ବହୁଗୁଣିତ କରିଦେଇଛି। ଏଣୁ ରିଲିଜ୍ ପୂର୍ବରୁ ‘ମୁଲାନ୍’ ମୁହଁ ମାଡ଼ି ପଡ଼ିଛି କହିଲେ ଭୁଲ୍ ହେବ ନାହିଁ।

ୱାଲ୍ଟ ଡିସନୀର ଏହି ନୂଆ ଫିଲ୍ମ ‘ମୁଲାନ୍’ ଚୀନ୍‌ ପୃଷ୍ଠଭୂମିରେ ଆଧାରିତ ହୋଇଛି। ଏହାର ଶୁଟିଂର କେତେକ ଅଂଶ ଉତ୍ତର-ପଶ୍ଚିମ ଚୀନରେ ରହୁଥିବା ନିର୍ଯାତିତ ଉଇଘର୍ ମୁସଲିମ୍‌ଙ୍କ ଅଞ୍ଚଳ ଭାବେ ଜଣାଶୁଣା ଜିନ୍‌ଜିଆଙ୍ଗରେ ହୋଇଥିବା ବେଳେ  ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଲିଉ ଇଫେୟି ହଂକଂ ପୋଲିସକୁ ସମର୍ଥନ କରିଥିବାରୁ ସୋସାଲ୍ ମିଡିଆରେ ଫିଲ୍ମଟିକୁ ଭଲ ପ୍ରତିକ୍ରିୟା ତ ଦୂରର କଥା, ବରଂ ନକାରାତ୍ମକ ପ୍ରତିକ୍ରିୟା ମିଳିଛି। ଅଧିକନ୍ତୁ ହଂକଂର ଗଣତାନ୍ତ୍ରିକ କର୍ମୀ ଜୋଶୁଆ ୱଙ୍ଗ୍‌ଙ୍କ ସମେତ ତାଇୱାନ୍ ଓ ଥାଇଲାଣ୍ଡରେ ଇଣ୍ଟରନେଟ୍ ୟୁଜରମାନେ ଫିଲ୍ମଟିକୁ ବ୍ୟାନ୍ କରିବାକୁ ମଧ୍ୟ ସ୍ବର ଉତ୍ତୋଳନ କରିଛନ୍ତି। ଖାସ୍ ଏଥିପାଇଁ ସେମାନେ ହ୍ୟାଶଟ୍ୟାଗ୍‌ବୟକଟମୁଲାନ୍ ଓ ହ୍ୟାଶଟ୍ୟାଗ୍‌ବ୍ୟାନ୍‌ମୁଲାନ୍ ଆଦିର ପ୍ରଚଳନ ମଧ୍ୟ କରିଛନ୍ତି। ଡିସନୀ ଷ୍ଟୁଡିଓ ତରଫରୁ ପ୍ରଥମ କରି ଆରମ୍ଭ କରାଯାଇଥିବା ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ ଲଞ୍ଚ୍ ଅବସରରେ ଏହା ସାମ୍ନାକୁ ଆସିଛି।

ଫିଲ୍ମ ନିର୍ମାଣ ସଂସ୍ଥା ତରଫରୁ ପ୍ରାପ୍ତ ସୂଚନାନୁଯାୟୀ, ମୁଲାନ୍ ଷ୍ଟ୍ରିମିଂ ପ୍ଲାଟଫର୍ମରେ ରିଲିଜ୍ ହେବା ସହ ଆସନ୍ତା ସେପ୍ଟେମ୍ବର ୧୧ରେ ଚୀନର ପ୍ରେକ୍ଷାଳୟରେ ମଧ୍ୟ ରିଲିଜ୍ ହେବାକୁ ଯାଉଛି। ହଲିଉଡ୍ ପାଇଁ ଚୀନ୍ ଏକ ବଡ଼ ବଜାର ହୋଇଥିବାରୁ ଫିଲ୍ମ ନିର୍ମାଣ ସଂସ୍ଥା ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଫିଲ୍ମଟି ୧୯୯୮ର ଆନିମେଟେଡ୍ ସଂସ୍କରଣର ଲାଇଭ୍ ଆକ୍ସନ୍ ରିମେକ୍ ହୋଇଥିବା ବେଳେ ଗତବର୍ଷ ଏହାର ଶୁଟିଂ ଆରମ୍ଭ ବେଳଠାରୁ ଏହାର ଚୀନ୍ କନେକ୍ସନ୍ ନେଇ ବିବାଦ ରହି ଆସିଛି। ଫିଲ୍ମର ଅଭିନେତ୍ରୀ ଲିଉ ଇଫେୟିଙ୍କ ହଂକଂ ପୋଲିସକୁ ସମର୍ଥନ ଏହି ବିବାଦକୁ ଆହୁରି ତେଜୀୟାନ୍ କରିଦେଇଥିଲା। କାରଣ ହଂକଂବାସୀଙ୍କ ଇଚ୍ଛା ବିରୋଧରେ ଚୀନ୍ ସେଠାରେ ଜାତୀୟ ସୁରକ୍ଷା ଆଇନକୁ ଜୋରଜବରଦସ୍ତ ଲାଗୁ କରିବାକୁ ପ୍ରୟାସ କରିଥିଲା। ଏପରିକି ଏଥିପାଇଁ ହଂକଂରେ ବହୁ ବଡ଼ ଧରଣର ବିକ୍ଷୋଭ ହୋଇଥିବା ବେଳେ ପୋଲିସର ଆକ୍ରମଣରେ ଅନେକ ବିକ୍ଷୋଭକାରୀ ଆହତ ମଧ୍ୟ ହୋଇଥିଲେ।

ଏବେ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ଅନେକ ଦେଶ ମଧ୍ୟ ଯୁକ୍ତି ବାଢ଼ିଛନ୍ତି। ନିର୍ଯାତିତ ଉଇଘର୍ ମୁସଲିମଙ୍କ ଅଞ୍ଚଳ ଜିନଜିଆଙ୍ଗରେ ଫିଲ୍ମର ଶୁଟିଂ କରାଯିବା ସହ ଏହି ଅଞ୍ଚଳର ଅନେକ ସ୍ଥାନକୁ ମଧ୍ୟ ଫିଲ୍ମରେ କ୍ରେଡିଟ୍ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ହଂକଂର ଗଣତାନ୍ତ୍ରିକ କର୍ମୀ ୱଙ୍ଗ୍ କହିଛନ୍ତି ଯେ ଚୀନ୍ ସରକାର ଆଗରେ ଡିସନୀ ଭଳି ନାମକରା ଫିଲ୍ମ ଷ୍ଟୁଡିଓ ମୁଣ୍ଡ ନୁଆଁଇଦେଇଛି। ଏଣୁ ବିଶ୍ବବାସୀ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨ ଶହ ମିଲିୟନ୍ ଡଲାର୍‌ର ବିଗ୍ ବଜେଟରେ ନିର୍ମିତ ଏହି ଫିଲ୍ମଟି ଗତ ମାର୍ଚ୍ଚରେ ରିଲିଜ୍ ହେବାକୁ ଥିଲେ ହେଁ କୋରୋନା କାରଣରୁ ଏହା ବିଳମ୍ବିତ ହୋଇଛି। ଗତ ମାସରେ ଡିସନୀ ତରଫରୁ କୁହାଯାଇଥିଲା ଯେ ‘ମୁଲାନ୍’ ଆଉ ଥିଏଟରରେ ରିଲିଜ୍ ନ କରି ସିଧାସଳଖ ଡିସନୀ ପ୍ଲାଟଫର୍ମରେ ରିଲିଜ୍ କରାଯିବ। ତେବେ ଚୀନରେ ହଲିଉଡ୍ ଫିଲ୍ମର ଲୋକପ୍ରିୟତାକୁ ଆଖି ଆଗରେ ରଖି ପ୍ରଯୋଜନା ସଂସ୍ଥା ଫିଲ୍ମଟିକୁ ଏଠାରେ  ମଧ୍ୟ ରିଲିଜ୍ କରାଇବା ପାଇଁ ନିଷ୍ପତ୍ତି ନେଇଛି।

ପ୍ରାୟ ୨୦ ବର୍ଷ ପୂର୍ବେ ନିର୍ମିତ ହୋଇଥିବା ଏହି ଫିଲ୍ମର ମୂଳ ଆନିମେଟେଡ୍ ଭର୍ସନଠାରୁ ଏହା ଅଧିକ ଭଲ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଇଛି। ଚୀନରେ ଏହି ଫିଲ୍ମଟିକୁ ରିଲିଜ୍ କରାଯିବାରେ ବିଳମ୍ବ ହେବାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ୧୯୯୭ରେ ନିର୍ବାସିତ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଉପରେ ଆଧାରିତ ‘କୁନଦୁନ’ ନାମକ ଏକ ଫିଲ୍ମକୁ ନେଇ ଡିସନୀ ଓ ଚୀନ୍ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। କାରଣ ଦଲାଇ ଲାମାଙ୍କୁ ଚୀନ୍ ଜଣେ ବିପଜ୍ଜନକ ବିଚ୍ଛିନ୍ନତାବାଦୀ ଭାବେ ଅଭିହିତ କରିଆସିଛି। ତେବେ ଗତ ଫେବ୍ରୁଆରୀରେ ଫିଲ୍ମର ନିର୍ଦେଶକ ନିକି କ୍ୟାରୋ ଚୀନର ସିନେପ୍ରେମୀ ଦର୍ଶକଙ୍କ ଗହଣରେ ‘ମୁଲାନ୍’ ଫିଲ୍ମର ଏକ ଝଲକ୍ ଦେଖାଇ ଏହାର ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ। ତେବେ ଏହି ସମୟରେ ସେ ଫିଲ୍ମର ମୁଖ୍ୟ ଚରିତ୍ର ମୁଲାନ୍ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ରହିଥିବା ଏକ ଚୁମ୍ବନ ଦୃଶ୍ୟର ପ୍ରଦର୍ଶନକୁ ବାଦ୍ ଦିଆଯାଇଥିଲା। ଏହାପରେ ସ୍ଥିତି ସ୍ବାଭାବିକ ହେବାରୁ ଚୀନରେ ‘ମୁଲାନ୍’କୁ ରିଲିଜ୍ କରାଇବା ପାଇଁ ଡିସନୀ ସ୍ଥିର କରିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ