ନିଦ ଉପରେ ଭାରୀ ପଡ଼ୁଛି ୱାର୍କ ଫ୍ରମ ହୋମ


କୋରୋନା କାଳରେ ଲୋକଙ୍କ ଦିନଚର୍ଯ୍ୟା ପୂରାପୂରି ବଦଳି ଯାଇଛି। ଏହି ପରିବର୍ତ୍ତନର ପ୍ରଭାବ ନିଦ ଉପରେ ମଧ୍ୟ ପଡ଼ୁଛି। ଲୋକେ ଏବେ ଅନିଦ୍ରା ସମସ୍ୟା ସମ୍ପର୍କରେ ଅଭିଯୋଗ କରୁଥିବା ଦେଖିବାକୁ ମିଳୁଛି। ଘରୁ କାମ କରିବା ଆଳରେ ପୂରା ସମୟ ଏଭଳି ବିଗିଡ଼ି ଯାଇଛି ଯେ ଏହା ନିଦକୁ ପ୍ରଭାବିତ କରୁଛି। କାମ କରିବା ପରେ ଯେତେବେଳେ ଆପଣ ଆଖି ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ କୋରୋନା ସହିତ ଜଡ଼ିତ ଭୟ, ଏହାର  ଖବର, ନିଜ ଲୋକଙ୍କ ସୁରକ୍ଷା ଭଳି ନାନା କଥା ମସ୍ତିଷ୍କରେ ଆନ୍ଦୋଳିତ ହେବାରେ ଲାଗିଛି, ଯାହା ନିଦକୁ ବାଧାପ୍ରାପ୍ତ କରୁଛି।

ଜର୍ଣ୍ଣାଲ ଅଫ ଟ୍ରାନ୍ସଲେସନାଲ ମେଡିସିନରେ ପ୍ରକାଶିତ ଏକ ସର୍ଭେର ଫଳାଫଳରୁ ଜଣାପଡ଼ିଛି ଯେ କୋରୋନା ମହାମାରୀ କାରଣରୁ ଆମ ଜୀବନଶୈଳୀରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିବାରୁ ଏହା ଆମ ନିଦର ଗୁଣବତ୍ତାକୁ ପ୍ରବଳ ମାତ୍ରାରେ ପ୍ରଭାବିତ କରୁଛି। ଗବେଷକମାନେ ନିଦର କାର୍ଯ୍ୟକ୍ଷମତା ଉପରେ ପ୍ରତିକୂଳ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି। ଏହି ସର୍ଭେରେ ୧୮ରୁ ୬୫ ବର୍ଷ ବୟସ ମଧ୍ୟରେ ୧୨୧ ଜଣ ପୁରୁଷ ଓ ମହିଳା ସାମିଲ ହୋଇଥିଲେ। ତଥ୍ୟ ଏକତ୍ର କରିବା ପରେ ପିଟସବର୍ଗ ସ୍ଲିପ କ୍ବାଲିଟି ଇଣ୍ଡେକ୍ସ (ପିଏସକ୍ୟୁଆଇ)ର ଉପଯୋଗ କରି ସେମାନଙ୍କ ନିଦର ଗୁଣବତ୍ତା ଯାଞ୍ଚ କରାଯାଇଥିଲା। ଏଥିସହିତ ସେମାନଙ୍କ ବଡ଼ି ମାସ ଇଣ୍ଡେକ୍ସ (ବିଏମଆଇ)କୁ ମଧ୍ୟ ନୋଟ କରାଯାଇଥିଲା।

ଏହି ସର୍ଭେରୁ ଜଣାପଡ଼ିଥିଲା ଯେ ଏହି ଲୋକଙ୍କ ପିଏସକ୍ୟୁଆଇ ସ୍କୋରରେ ବୃଦ୍ଧି ଘଟିଥିବା ଦେଖାଯାଇଥିଲା। ବାସ୍ତବରେ କ୍ବାରେଣ୍ଟାଇନ ପରେ ନିଦର ଗୁଣବତ୍ତା ଖରାପ ହୋଇଯାଇଛି। ବିଏମଆଇ ଉପରେ କ୍ବାରେଣ୍ଟାଇନର ଗଭୀର ପ୍ରଭାବ ପଡ଼ିଛି। ଲୋକଙ୍କ ଉତ୍ତମ ନିଦ ଏବେ ଖରାପ ନିଦରେ ପରିବର୍ତ୍ତନ ହୋଇଯାଇଛି।

ଘରୁ କାମ କରୁଥିବା ଲୋକଙ୍କ ଉପରେ ପଡ଼ିଛି ଅଧିକ ପ୍ରଭାବ
ଏହି ସର୍ଭେରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନେ ୱାର୍କ ଫ୍ରମ ହୋମ ବା ଘରୁ କାମ କରୁଛନ୍ତି, ସେମାନଙ୍କ ନିଦର ଗୁଣବତ୍ତା ଆହୁରି ଅଧିକ ଖରାପ ହୋଇଛି। ଗବେଷକଙ୍କ କହିବାନୁସାରେ ଦୀର୍ଘ ସମୟ ଯାଏ କମ୍ପ୍ୟୁଟର, ଲାପଟପ ଓ ମୋବାଇଲରେ କାମ କରିବା ଦ୍ବାରା ଲୋକଙ୍କ ନିଦର ଗୁଣବତ୍ତା ଅଧିକ ଖରାପ ହୋଇଯାଇଛି।

ଭୋଜନ ଚୟନ ଓ ଶାରୀରିକ ସ୍ଥିରତା ଉପରେ ପ୍ରଭାବ
ଲକଡାଉନରେ ଘରେ ରହି କାମ କରିବା ଦ୍ବାରା ଲୋକଙ୍କ ଦିନଚର୍ଯ୍ୟାରେ ପରିବର୍ତ୍ତନ ଦେଖାଯାଇଛି। ଲୋକେ ଏବେ କୋରୋନା ଡରରେ ବାହାରକୁ ଯିବା ଆସିବା କରିବା ବନ୍ଦ କରି ଦେଇଛନ୍ତି। ଏହାଦ୍ବାରା ସେମାନଙ୍କ ଶରୀର ସୋଫା, ବେଡ ଆଦିର ଅଧିକ ଅଭ୍ୟସ୍ତ ହୋଇଯାଇଛି। ଏହାର ପ୍ରଭାବ ମଧ୍ୟ ନିଦ ଉପରେ ପଡ଼ୁଥିବା ଗବେଷକମାନେ କହିଛନ୍ତି। ଏଥିସହିତ ଖାଦ୍ୟପେୟର ପ୍ରଭାବ ମଧ୍ୟ ଲୋକଙ୍କ ଉପରେ ପଡ଼ୁଛି। ଲୋକଙ୍କ ଖାଦ୍ୟପେୟ ପୂରାପୂରି ବଦଳି ଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ