ଆକାଶ ପାତାଳ ପ୍ରଭେଦ: ଓଡ଼ିଶାରେ ୭୭.୩ ପ୍ରତିଶତ ସାକ୍ଷର, ୩୧.୪ ପ୍ରତିଶତ ଶିକ୍ଷିତ


ଜାତୀୟ ସାକ୍ଷରତା ହାର ଠାରୁ ମାତ୍ର ୦.୪ ପ୍ରତିଶତ କମରେ ଥିବା ଓଡ଼ିଶାରେ ଉଚ୍ଚଶିକ୍ଷିତ ଓ ଶିକ୍ଷିତଙ୍କ ସଂଖ୍ୟାରେ ଏବେ ବି ଉନ୍ନତି ଅଣାଯାଇ ପାରୁନି। ଓଡ଼ିଶାରେ ସାକ୍ଷରତା ହାର ୭୭.୩ ପ୍ରତିଶତ ଥିବାବେଳେ ମାତ୍ର ୩୧.୪ ପ୍ରତିଶତ ଶିକ୍ଷିତ ଲୋକ ଥିବା ସଦ୍ୟ ପ୍ରକାଶିତ ଜାତୀୟ ନମୁନା ସର୍ଭେରୁ ଜଣାପଡ଼ିଛି।

ଆମ ଦେଶରେ ଏବେ ମୋଟ ସାକ୍ଷରତା ହାର ୭୭.୭ ପ୍ରତିଶତ। ରାଜ୍ୟରେ ଏହା ୭୭.୩ ପ୍ରତିଶତ। ଜାତୀୟ ହାର ତୁଳନାରେ ୦.୪ ପ୍ରତିଶତ କମ ଥିବା ବେଳେ ପୁରୁଷ ଓ ନାରୀ ଶିକ୍ଷା ମଧ୍ୟରେ ମଧ୍ୟ ୧୪ ପ୍ରତିଶତ ଊଣା ଅଧିକ ରହିଛି। ପୁରୁଷ ସାକ୍ଷରତା ହାର ରାଜ୍ୟରେ ୮୪ ପ୍ରତିଶତ ଥିବା ବେଳେ ମହିଳା ସାକ୍ଷରତା ହାର ୭୦.୩ ପ୍ରତିଶତ ରହିଛି। ନଗରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଧ୍ୟ ଏହି ବ୍ୟବଧାନ ସ୍ପଷ୍ଟ ବାରି ହୋଇଥାଏ। ନଗରାଞ୍ଚଳରେ ସାକ୍ଷରତା ହାର ୯୦.୨ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୭୪.୯ ପ୍ରତିଶତ। ଓଡ଼ିଶାର ସାକ୍ଷରତା ହାର ତାର ପଡ଼ୋଶୀ ଆନ୍ଧ୍ର ପ୍ରଦେଶ (୬୬.୪ପ୍ରତିଶତ) ଏବଂ ଝାଡ଼ଖଣ୍ଡ (୭୪.୩ପ୍ରତିଶତ) ଠାରୁ ଅଧିକ ଥିବା ବେଳେ ପଶ୍ଚିମବଙ୍ଗ (୮୦.୫ପ୍ରତିଶତ) ଠାରୁ କମ। ଛତିଶଗଡ଼ ଓ ଓଡ଼ିଶାର ସାକ୍ଷରତା ହାର ସମାନ ଥିବା ବେଳେ କେରଳ ସାକ୍ଷରତା ହାରରେ ଦେଶରେ ସବୁଠୁ ଶୀର୍ଷରେ (୯୬.୨ପ୍ରତିଶତ)। ଅନ୍ୟପକ୍ଷରେ ରାଜ୍ୟରେ ଶିକ୍ଷିତ ଲୋକଙ୍କ ସଂଖ୍ୟା ତୁଳନାରେ ଓଡ଼ିଶା ତାର ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଠାରୁ ପଛରେ। ଆନ୍ଧ୍ରରେ ଶିକ୍ଷିତ ଲୋକଙ୍କ ସଂଖ୍ୟା ୩୩.୯ ପ୍ରତିଶତ ଓ ଛତିଶଗଡ଼ରେ ୩୨ ପ୍ରତିଶତ ଥିବାବେଳେ ଓଡ଼ିଶା ଏ କ୍ଷେତ୍ରରେ ମାତ୍ର ୩୧.୪ ପ୍ରତିଶତରେ ରହିଛି।

ଖୋର୍ଦ୍ଧା ଆଗରେ
ସାକ୍ଷରତା ହାରରେ ଖୋର୍ଦ୍ଧା ଜିଲା ସବୁଠୁ ଆଗରେ। ଜିଲାରେ ୮୬.୮୮ ପ୍ରତିଶତ ସାକ୍ଷରତା ଥିବା ବେଳେ ଜଗତସିଂହପୁର ତ୍‌ତୀୟ ସ୍ଥାନରେ ରହିଛି। ପଛୁଆ ଜିଲା ଭାବେ ଗଣାଯାଉଥିବା ନବରଙ୍ଗପୁର ଜିଲା ଏ କ୍ଷେତ୍ରରେ ସବୁଠୁ ପଛରେ ପଡ଼ିଛି। ନବରଙ୍ଗପୁର ଜିଲାରେ ମୋଟ ୪୬.୪୩ ପ୍ରତିଶତ ସାକ୍ଷର। ସେହିପରି ମାଲକାନଗିରି ୪୮.୫୪, କୋରାପୁଟ ୪୯.୦୫ ପ୍ରତିଶତ ଏବଂ ରାୟଗଡ଼ା ୪୯.୭୬ ପ୍ରତିଶତ ରଖି ତଳେ ରହିଛନ୍ତି।

୧୯୬୬ରୁ ଉଦ୍ୟମ, ଫଳ ଆଶାଜନକ ନୁହେଁ
ଜାତିସଂଘ ପକ୍ଷରୁ ୧୯୬୬ ପରଠାରୁ ଆନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ ଭାବେ ସେପ୍ଟେମ୍ବର ୮କୁ ପାଳନ କରାଯାଇ ଆସୁଛି। ୫୪ ବର୍ଷ ଧରି ପାଳିତ ଏହି ଦିବସ ସାକ୍ଷାରତାର ବାର୍ତ୍ତା ଓ ମହତ୍ତ୍ବକୁ ଜାଗରୁକତା କରିବା ଦିଗରେ ପ୍ରୟାସ କରିଆସୁଛି। ଭାରତରେ ପୁରୁଷ ଓ ମହିଳା ସାକ୍ଷରତା ମଧ୍ୟରେ ପାଖାପାଖି ୧୪ ପ୍ରତିଶତ ବ୍ୟବଧାନ ଏବେ ବି ଲିଙ୍ଗୀୟ ଅସମାନତାର ଏକ ସୂଚକ ଭାବେ ଠିଆହୋଇଛି। କେରଳ, ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଆସାମ ସାକ୍ଷରତାରେ ଟପ ଫାଇପ ଷ୍ଟେଟର ସୁନାମ ପାଇଥିବା ବେଳେ ଉତ୍ତର ପ୍ରଦେଶ (୭୩ ପ୍ରତିଶତ), ତେଲେଙ୍ଗାନା (୭୨.୮ ପ୍ରତିଶତ), ବିହାର (୭୦.୯ ପ୍ରତିଶତ), ରାଜସ୍ଥାନ (୬୯.୭ ପ୍ରତିଶତ) ଏବଂ ଆନ୍ଧ୍ର ପ୍ରଦେଶ (୬୬.୪) ତଳ ଆଡ଼ୁ ପ୍ରଥମରୁ ପଞ୍ଚମର ମାନ୍ୟତା ପାଇଛନ୍ତି।

ଭାରତର ଡିଜିଟାଲ ଅଭିଯାନ ସଫଳ ହେବ କେବେ?
ଡିଜିଟାଲ ଏମପାୱାରମେଣ୍ଟ ଫାଉଣ୍ଡେସନ ୨୦୧୮ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ମଧ୍ୟରୁ ଏବେ ବି ୯୦ ପ୍ରତିଶତ ଡିଜିଟାଲ ଦୁନିଆରେ ନିରକ୍ଷର। ଯେଉଁମାନଙ୍କ ହାତରେ ଆଣ୍ଡ୍ରଏଡ ଫୋନ ପଡ଼ିଗଲା ଓ ଯେଉଁମାନେ ଟିକଟକ, ଶେୟାରଚାଟ, ପବଜୀ ଖେଳିପାରିଲେ ସେମାନଙ୍କୁ ପୂର୍ଣ୍ଣ ସାକ୍ଷର କୁହାଯାଇ ପାରିବ ନାହିଁ। ସୂଚନା ଓ ପ୍ରଯୁକ୍ତି ସେବା ଏବେ ବି ଅନେକଙ୍କ ପାଇଁ ଅପହଞ୍ଚ। କେଉଁଠି ବିଜୁଳି ନାହିଁ ତ କେଉଁଠି ଇଣ୍ଟରନେଟ ନାହିଁ। କୋରୋନା କାଳରେ ସମଗ୍ର ବିଶ୍ବରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଯେଉଁଠି ଲୋକେ ଡିଜିଟାଲି ସାଉଣ୍ଡ, ସେଠାରେ କିଛିଟା ସ୍ଥିତି ନିଆରା ହୋଇଛି। ଦେଶ ତଥା ରାଜ୍ୟରେ ଉପକୂଳ ଅଞ୍ଚଳ ଗୁଡ଼ିକରେ ସାକ୍ଷରତାର ହାର ବହୁତ ଭଲ ଥିବା ବେଳେ ଦୁର୍ଗମ ଜଙ୍ଗଲ ଅଞ୍ଚଳ ଗୁଡ଼ିକରେ ନିରକ୍ଷରତା ଅଧିକ। ସେହିପରି ଶିକ୍ଷା, ଅର୍ଥନୈତିକ ବିକାଶ, ରାଜନୈତିକ ସହଭାଗିତା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ର ଗୁଡ଼ିକରେ ବ୍ୟକ୍ତିର ଉନ୍ନତି ପାଇଁ ଡିଜିଟାଲ ସାକ୍ଷରତାର ମହତ୍ତ୍ବ ଅଧିକ। କିନ୍ତୁ ବିଡ଼ମ୍ବନାର କଥା ଯେ ଏବେ ବି ସବୁ ଅଞ୍ଚଳରେ ଭିତ୍ତିଭୂମି ନାହିଁ। ଅପହଞ୍ଚ ହୋଇ ରହିଛି ଇଣ୍ଟରନେଟ ସେବା।

ସଦ୍ୟ ସର୍ଭେ ଅନୁଯାୟୀ ବିଶ୍ବର ୭୭.୫ କୋଟି ବୟସ୍କ ବ୍ୟକ୍ତି ନିରକ୍ଷର ଅଟନ୍ତି। କୋରୋନା ମହାମାରୀ ପାଇଁ ସାକ୍ଷରତା କାର୍ଯ୍ୟକ୍ରମ ଠପ ହୋଇଯାଇଛି। ଟିଭି, ରେଡିଓ ଏବଂ ଇଣ୍ଟରନେଟ ଶିକ୍ଷାଦାନର ମାଧ୍ୟମ ପାଲଟିଛି। ଜାତିସଂଘ ପକ୍ଷରୁ ମଧ୍ୟ ଅନଲାଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୨.୩ ପ୍ରତିଶତ ଭାରତୀୟ  ପଢ଼ିପାରନ୍ତିନି, ଲେଖିପାରନ୍ତିନି। ସେମାନଙ୍କୁ ସକ୍ଷମ କରାଇବା ଦିଗରେ ଦେଶ ଓ ରାଜ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଭୌଗୋଳିକ ଅବସ୍ଥିତି, ପିତାମାତାଙ୍କ ଦାରିଦ୍ୟ୍ର ଓ ଶିକ୍ଷା ପ୍ରତି ଦ୍‌ଷ୍ଟିଭଙ୍ଗୀ ଆଦି ଅନେକ କାରଣ ଯୋଗୁ ସାକ୍ଷରତା ସ୍ଥିତିରେ ପରିବର୍ତ୍ତନ ଅଣାଯାଇ ପାରୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ