ଯୁବପିଢ଼ିଙ୍କୁ ଆଶ୍ବସ୍ତି: ପବ୍‌ଜୀର ସ୍ଥାନ ନେବ ଫୌ-ଜୀ

ଜାଣନ୍ତୁ ଏଥିରେ କ’ଣ ରହିଛି ବିଶେଷତ୍ବ, କିଭଳି ଭାରତ ପାଇବ ଲାଭ

ଏକ ଭାରତୀୟ କମ୍ପାନୀ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ଏକାଠି ମିଶି ପବ୍‌ଜୀ ଭଳି ମୋବାଇଲ ଗେମ ବଜାରକୁ ଆଣିବାର ଘୋଷଣା କରିଛି। ଯାହାର ଉଦ୍ଦେଶ୍ୟ ସ୍ପଷ୍ଟ ଯେ ବଜାରରେ ସ୍‌ଷ୍ଟି ହୋଇଥିବା ପବ୍‌ଜୀର ଖାଲିସ୍ଥାନ ଭରଣା କରିବା। ଦକ୍ଷିଣ କୋରିଆର ମୂଳ କମ୍ପାନୀ ବ୍ଲୁ ହେଲ ଦ୍ବାରା ନିର୍ମିତ ପବ୍‌ଜୀ ସାରା ବିଶ୍ବରେ ଉପଭୋକ୍ତାଙ୍କ ଏକ ବିଶାଳ ବଜାର ଠିଆ କରାଇଥିଲା। ଏହାର ମୋଟ ଉପଭୋକ୍ତାଙ୍କ ମଧ୍ୟରୁ କେବଳ ଭାରତର ୨୫ ପ୍ରତିଶତ ଏହି ଖେଳରେ ମାତିଥିଲେ। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆପ ଉପରେ କଟକଣା ଲଗାଇବା ପରେ ପବ୍‌ଜୀ ଆଉ ମୋବାଇଲରେ ଉପଲବ୍ଧ ହେଉନାହିଁ। ଲକ୍ଷ ଲକ୍ଷ ଭାରତୀୟ ଯୁବାବର୍ଗଙ୍କ ଏଭଳି ରୋମାଞ୍ଚ ଭରା ୱାର ଗେମର କ୍ଷୁଧା ମେଣ୍ଟାଇବା ପାଇଁ ଫୌ-ଜୀ ନାମକ ଗେମ ଖୁବ ଶୀଘ୍ର ବଜାରକୁ ଆସୁଛି ବୋଲି ଅଭିନେତା ଅକ୍ଷୟ କୁମାର ନିଜ ଟ୍ବିଟରରେ ସୂଚନା ଦେବା ପରେ ଏହାକୁ ନେଇ ଯୁବ ଖେଳାଳିଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

ବେଙ୍ଗାଳୁରୁ ଠାରେ ଥିବା ‘ଏନକୋର ଗେମସ’ ନାମକ ଏକ କମ୍ପାନୀ ଏହି ମୋବାଇଲ ଗେମକୁ ତିଆରି କରିଛି। ଯାହାକୁ କି ପବ୍‌ଜୀର ପ୍ରତିଦ୍ବନ୍ଦ୍ବୀ ବୋଲି କୁହାଯାଉଛି। କମ୍ପାନୀର ସହ ପ୍ରତିଷ୍ଠାତା ବିଶାଳ ଗୋଡଲ ସମ୍ବାଦ ସରବରାହ ସଂସ୍ଥା ରଏଟରର୍ସକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ ଫିଅରଲେସ ଆଣ୍ଡ ୟୁନାଇଟେଡ ଗାର୍ଡସ ଏହି ଗେମର ପୂରା ନାମ ରହିଛି। ବିଗତ କିଛି ମାସ ଧରି ଏହାର ବିକାଶ ଦିଗରେ କାମ ଚାଲିଥିଲା। ଆମେ ଏହି ଗେମର ପ୍ରଥମ ପର୍ଯ୍ୟାୟ ବା ସ୍ତରକୁ ଗଲୱାନ ଘାଟି ଉପରେ କେନ୍ଦ୍ରିତ କରାଇଛୁ। ସେହି ଗଲୱାନ ଘାଟି ଯେଉଁଠି ଚୀନ ଏବଂ ଭାରତର ସୈନିକଙ୍କ ମଧ୍ୟରେ ଗତ ଜୁନ ମାସରେ ସଂଘର୍ଷ ଘଟିଛି। ଏଥିରେ ଅନ୍ୟୁନ ୨୦ ଜଣ ଭାରତୀୟ ସୈନ୍ୟ ଶହୀଦ ହୋଇଛନ୍ତି। ତା ପରଠାରୁ ବାସ୍ତବିକ ନିୟନ୍ତ୍ରଣ ରେଖାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଏଭଳି ଗତିରୋଧ ମଧ୍ୟରେ ଭାରତ ସରକାର ଲୋକପ୍ରିୟ ଗେମିଂ ଆପ ପବ୍‌ଜୀ ସମେତ ଚୀନର କମ୍ପାନୀ ମାନଙ୍କ ଦ୍ବାରା ନିର୍ମିତ ୧୧୮ଟି ଆପ ଉପରେ କଟକଣା ଲଗାଇଛନ୍ତି।

ପବ୍‌ଜୀ ଅର୍ଥାତ ‘ପ୍ଲେୟର୍ସ ଅନ ଜୋନ ବ୍ୟାଟଲ ଗ୍ରାଉଣ୍ଡ’ ପବ୍‌ଜୀ ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ବହୁତ ଲୋକପ୍ରିୟ ମୋବାଇଲ ଗେମ ଭାବେ ପରିଚିତ ହୋଇଥିଲା। ଯୁବବର୍ଗ ଏହାର ଦୀୱାନା ସାଜିଥିଲେ। ବ୍ୟାନ ହେବା ପରେ ସାମାଜିକ ମିଡିଆରେ ସରକାରଙ୍କ ଉପରକୁ କୁଦି ପଡ଼ିଛନ୍ତି ଏହି ମିଛିମିଛିକା ଯୁଦ୍ଧ ପଡ଼ିଆର ଖେଳାଳି।

ସମୀକ୍ଷକମାନେ କହନ୍ତି ‘ଫୌ-ଜୀ' ଜରିଆରେ ଭାରତୀୟ କମ୍ପାନୀ ଏନକୋର ଗେମ୍ସ ଲୋକଙ୍କ ଦେଶଭକ୍ତି ଭାବନାକୁ ଜାଗ୍ରତ କରାଇବାର ପ୍ରୟାସ କରିବ। କମ୍ପାନୀର ସହ ପ୍ରତିଷ୍ଠାତା ବିଶାଳ ଗୋଡଲ ଘୋଷଣା କରିଛନ୍ତି ଯେ ଏହାଦ୍ବାରା ମିଳିବାକୁ ଥିବା ଆୟର ୨୦ ପ୍ରତିଶତ ଭାରତ ପାଇଁ ଶହୀଦ ହୋଇଥିବା ସୈନିକଙ୍କ ପରିବାରକୁ ଦିଆଯିବ। ବୁଧବାର ଏହି ଆପକୁ ନେଇ ଅଭିନେତା ଅକ୍ଷୟ କୁମାର ଟ୍ବିଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ କରିବା ସହ ଏହି ଆକ୍ସନ ଗେମ ଫିଅରଲେସ ଆଣ୍ଡ ୟୁନାଇଟେଡ ଗାର୍ଡସ ଫୌ-ଜୀ ଉପସ୍ଥାପନା କରି ମୁଁ ଗର୍ବ ଅନୁଭବ କରୁଛି। ମନୋରଞ୍ଜନ ବ୍ୟତୀତ ଖେଳାଳି ଆମର ବୀର ସୈନିକମାନଙ୍କ ବଳିଦାନ ବାବଦରେ ମଧ୍ୟ ଜାଣିପାରିବେ। ଏହି ଗେମର ୨୦ ପ୍ରତିଶତ ଲାଭାଂଶ ଭାରତର ବୀର ଟ୍ରଷ୍ଟକୁ ଦାନ କରାଯିବ। ଏହି ଗେମର ଶୁଭାରମ୍ଭ ହେବାର କିଛିଦିନ ମଧ୍ୟରେ ୨୦ କୋଟି ମୋବାଇଲ ବ୍ୟବହାରକାରୀ ଡାଉନଲୋଡ କରିନେବେ ବୋଲି କମ୍ପାନୀ ଆଶା ରଖିଛି।

ସୂଚନାଯୋଗ୍ୟ ଯେ ଏହି ଗେମ ଭାରତରେ ବ୍ୟାନ ହେବା ପରେ ପବ୍‌ଜୀର ପୋଷ୍ଟରବୟ ନମନ ମାଥୁର ୟୁଟ୍ୟୁବରେ କରିଥିବା ଏକ ଲାଇଭକୁ ଏକସଙ୍ଗେ ୮୦ ହଜାର ଦର୍ଶକ ଦେଖିଥିଲେ। ଟ୍ବିଟ କରି ନମନ କହିଥିଲେ ଯେ ‘ଝଡ଼ ଆସିଗଲା।’ ବ୍ୟାନ ପରେ ଏହାର ଭିଡିଓ ୮୦ ଲକ୍ଷ ଲୋକ ଦେଖିଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ଅନଲାଇନ ଗେମିଂ ବଜାର ନିଜର ଜାଲକୁ ଏଭଳି ପ୍ରସାରିତ କରାଇଛି ଯେ ଏହା ସବୁଠୁ ବଡ଼ ବ୍ୟବସାୟର ଉତ୍ସ ପାଲଟିଯାଇଛି। ଯେଉଁମାନେ ପ୍ରଥମେ ପ୍ରଥମେ ଏଭଳି ଖେଳ ଖେଳୁଛନ୍ତି, ସେମାନେ ମାଗଣା ଖେଳିବାର ସୁଯୋଗ ପାଉଛନ୍ତି। ପରେ ଟିକିଏ ଅଭ୍ୟସ୍ତ ହୋଇଗଲେ ଦର୍ଶକ ଠାରୁ ଟଙ୍କା ଅସୁଲର ଯୋଜନା ଜାରି ହେଉଛି। ଜାପାନର ଥ୍ରିଲର ଫିଲ୍ମ ବ୍ୟାଟଲ ରୟାଲରୁ ପ୍ରଭାବିତ ହୋଇ ତିଆରି ହୋଇଥିବା ପବ୍‌ଜୀକୁ ଏକ ସମୟରେ ୧୦୦ ଜଣ ଖେଳିପାରିବେ। ୨୦୧୯ରେ ବିଶ୍ବ ଗେମିଂ ବଜାର ୧୬.୯ ଅରବ ଡଲାର ବିଶିଷ୍ଟ ଥିଲା। ଏଥିରୁ ୪.୨ ଅରବ ଡଲାରର ଭାଗିଦାରି ସହିତ ଚୀନ ବିଶ୍ବର ସବୁଠୁ ଆଗରେ। ଭାରତର ଯୁବବର୍ଗମାନଙ୍କ ମଧ୍ୟରୁ ୭୫ ମିଲିଅନ ସକ୍ରିୟ ବ୍ୟବହାରକାରୀ। ୧୭୫ ମିଲିଅନ ଡାଉନଲୋଡ କେବଳ ଭାରତରେ ହୋଇଛି। ଏହା ଡାଉନଲୋଡ ପାଇଁ ବ୍ୟକ୍ତିଗତ ତଥ୍ୟ ସୂଚନା ଯାହା ଦିଆଯାଇଛି, ତାହା ଏବେ ଚୀନ କବଜାରେ। ମୋଟାମୋଟି କହିବାକୁ ଗଲେ ଚୀନର ଏହି ଖେଳ ଭାରତର ତଥ୍ୟ ଓ ସୂଚନା ନିରାପତ୍ତା ଏବଂ ସୁରକ୍ଷା ପାଇଁ କାଳ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ