କୋରୋନା କାଳରେ ଅନଲାଇନ ହେଲେ ଗଣପତି ବପ୍ପା

ଜୁମ, ଫେସବୁକ ଓ ଗୁଗଲରେ ହେବ ଆରତୀ ଦର୍ଶନ

କୋରୋନା ଭାଇରସ ମହାମାରୀ କାରଣରୁ ଚଳିତ ବର୍ଷ ଗଣପତି ଉତ୍ସବ ସମୟରେ ବପ୍ପା ଅନଲାଇନ ଦର୍ଶନ ଦେବେ। ଅଧିକାଂଶ ପୂଜା ପେଣ୍ଡାଲ ପକ୍ଷରୁ ଜୁମ, ଫେସବୁକ ଓ ଗୁଗଲ ଜରିଆରେ ଗଣପତି ଦର୍ଶନ ଓ ପୂଜନର ଅନଲାଇନ ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ ଅଧିକାଂଶ ସ୍ଥାନରେ ୧୦ ଦିନ ବଦଳରେ କେବଳ ଦେଢ଼ ଦିନ ଗଣପତି ବପ୍ପା ବିରାଜମାନ କରିବେ ବୋଲି ଜଣାପଡ଼ିଛି।

ମହାରାଷ୍ଟ୍ରର ସବୁଠାରୁ ବଡ଼ ପର୍ବ ମଧ୍ୟରେ ସାମିଲ ଗଣପତି ଉତ୍ସବ ଦିଲ୍ଲୀରେ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଇଥାଏ। ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହେଉଥିବା ଏହି ଦଶ ଦିନିଆ ଉତ୍ସବ ସମୟରେ ଲୋକେ ଘର, ମନ୍ଦିର କିମ୍ବା ପେଣ୍ଡାଲରେ ଗଣପତି ସ୍ଥାପନା କରି ପୂରା ଧୁମଧାମରେ ଏହି ପର୍ବ ପାଳନ କରନ୍ତି। ଚଳିତ ବର୍ଷ ୨୨ ଅଗଷ୍ଟରେ ଗଣେଶ ପୂଜା ପଡ଼ୁଛି। ସାଧାରଣତଃ ସାଜସଜ୍ଜା, କାର୍ଯ୍ୟକ୍ରମ, ପେଣ୍ଡାଲ ବ୍ୟବସ୍ଥାରେ ବ୍ୟସ୍ତ ରହୁଥିବା ଆୟୋଜକମାନେ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ଲାଗି ପଡ଼ିଛନ୍ତି।

ଫେସବୁକ ଲାଇଭରେ ଆରତୀ ଦର୍ଶନ
ଦିଲ୍ଲୀର ସବୁଠାରୁ ପୁରୁଣା ମଣ୍ଡଳ ମଧ୍ୟରେ ଅନ୍ୟତମ ଅଳକାନନ୍ଦାର ମରାଠୀ ମିତ୍ର ମଣ୍ଡଳ ଫେସବୁକ ଲାଇଭ ଜରିଆରେ ଗଣପତିଙ୍କ ଆରତୀ ଦର୍ଶନ କରିବା ବ୍ୟବସ୍ଥା କରିଛି। ସମିତିର ସଦସ୍ୟା ନିବେଦିତା ପାଣ୍ଡେଙ୍କ କହିବାନୁସାରେ ଗତ ୩୫ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଦେଢ଼ ଦିନ ବପ୍ପାଙ୍କୁ ବିରାଜମାନ କରିବେ। କୋରୋନା କାଳରେ ସମାରୋହର ଆୟୋଜନ କରିବା ମୁସ୍କିଲ। କିନ୍ତୁ ପରମ୍ପରାକୁ ଭାଙ୍ଗିବା ମଧ୍ୟ ଅଶୁଭ ହୋଇଥାଏ ବୋଲି ନିବେଦିତା କହିଛନ୍ତି।

ଦିଲ୍ଲୀର ସାର୍ବଜନିକ ଉତ୍ସବ ସମିତି ଦିଲ୍ଲୀ ପର୍ଯ୍ୟଟନ ବିଭାଗ ସହ ମିଶି ମାଭଲଙ୍କର ହଲ, କାମାନୀ ଅଡିଟୋରିଅମ କିମ୍ବା ଦିଲ୍ଲୀ ହାଟରେ ଗଣପତି ଉତ୍ସବ ଆୟୋଜନ କରିଥାଏ। ମାତ୍ର ଗତ ୨୫ ବର୍ଷରେ ପ୍ରଥମ ଥର ପାଇଁ ଜଣେ ସଦସ୍ୟଙ୍କ ଘରେ ଗଣପତି ମୂର୍ତ୍ତି ସ୍ଥାପନା କରିବାକୁ ନିଷ୍ପତ୍ତି ନିଆଯାଇଛି। ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷା ନୀନା ହେଜିବ କହିଛନ୍ତି କରୋଲବାଗରେ ଜଣେ ସଦସ୍ୟଙ୍କ ଘରେ ଗଣପତି ସ୍ଥାପନା କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ଏଠାକୁ ଦର୍ଶନାର୍ଥୀ ଦର୍ଶନ କରିବାକୁ ଆସିପାରିବେ ନାହିଁ। କେବଳ ଜୁମରେ ଆରତୀ ଓ ଦର୍ଶନ କରାଯିବ ଓ ପରଦିନ ଗଣପତି ବିସର୍ଜନ କରାଯିବ ବୋଲି ନୀନା କହିଛନ୍ତି।

ଗୁରୁଗାଓଁରେ ସପ୍ତାହେ ଯାଏ ହେବ ଅନଲାଇନ କାର୍ଯ୍ୟକ୍ରମ
ଗୁରୁଗାଓଁରେ ସାର୍ବଜନୀନ ଗଣେଶ ଉତ୍ସବ ସମିତିର ଏହା ୨୮ତମ ବର୍ଷ। ଆୟୋଜକ ସମିତିର ଜୀବନ ତଲେଗାଓକର କହଛନ୍ତି ଯେ ସେମାନେ ସମସ୍ତ କାର୍ଯ୍ୟକ୍ରମ ଏକ ସପ୍ତାହ ଯାଏ ଅନଲାଇନରେ କରିବେ। ଯେଉଁ ସ୍ଥାନରେ ମୂର୍ତ୍ତିସ୍ଥାପନା କରାଯିବ, ସେ ସ୍ଥାନ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦିଆଯିବ ନାହିଁ। କଳାକାର ନିଜ ରେକର୍ଡିଂ ଆମକୁ ପଠାଇଦେବେ, ଯାହାକୁ ଆମେ ପ୍ରସାରିତ କରିବୁ କିମ୍ବା ଲାଇଭ କରିବୁ ବୋଲି ଜୀବନ କହିଛନ୍ତି।

ମହାରାଷ୍ଟ୍ର ସଦନରେ ସୀମିତ ହେବ ଦର୍ଶନାର୍ଥୀଙ୍କ ସଂଖ୍ୟା
ମହାରାଷ୍ଟ୍ର ସଦନର ସମ୍ପର୍କ ଅଧିକାରୀ ପ୍ରମୋଦ କୋଲାପ୍ତେ କହିଛନ୍ତି ଦୁଇ ଫୁଟର ମୂର୍ତ୍ତି ସ୍ଥାପନା କରାଯିବ। ସକାଳ ଓ ସନ୍ଧ୍ୟାରେ ଆରତୀ କରାଯିବ। ଦର୍ଶନାର୍ଥୀଙ୍କ ସଂଖ୍ୟା ସୀମିତ ରହିବ। ପ୍ରବେଶ ଦ୍ବାରରେ ତାପମାତ୍ରା ଯାଞ୍ଚ କରାଯିବା ସହିତ ହ୍ୟାଣ୍ଡ ସାନିଟାଇଜର ବି ରଖାଯିବ ବୋଲି ସେ କହିଛନ୍ତି।

ଲକ୍ଷ୍ମୀ ନଗର ଗଣେଶ ସେବା ମଣ୍ଡଳ ନିଜ ପେଣ୍ଡାଲର ସାଜସଜ୍ଜା ପାଇଁ ଲୋକପ୍ରିୟ। କିନ୍ତୁ ଚଳିତବର୍ଷ କାର୍ଯ୍ୟକ୍ରମ ପୂରାପୂରି ନିରାଡ଼ମ୍ବର ଭାବେ କରାଯିବ। ସମିତିର ସଂସ୍ଥାପକ ଅଧ୍ୟକ୍ଷ ମହେନ୍ଦ୍ର ଲଡଢ଼ା କହିଛନ୍ତି ଯେ ଲଭଲି ପବ୍ଲିକ ସ୍କୁଲରେ ଗଣପତି ବପ୍ପାଙ୍କ ଦର୍ଶନ ପାଇଁ ଅଧ ଘଣ୍ଟା ସମୟ ରଖାଯାଇଛି। ଥରକେ ମାତ୍ର ୨୦ ଜଣ ଲୋକ ପ୍ରବେଶ କରି ଗଣପତିଙ୍କ ଦର୍ଶନ କରିପାରିବେ ବୋଲି ମହେନ୍ଦ୍ର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ