କେବେ ଥିଲା ଭୂତଙ୍କ ବାସସ୍ଥଳୀ, ଏବେ ବୃନ୍ଦାବନର ପ୍ରସିଦ୍ଧ ମନ୍ଦିର


ମନ୍ଦିରରେ ଭଗବାନ ରହନ୍ତି, ଏହା ତ ସମସ୍ତଙ୍କୁ ଜଣାଅଛି। ମାତ୍ର କେବେ ଶୁଣିଛନ୍ତି କି ମନ୍ଦିରକୁ ଭୂତ ଜଗୁଛନ୍ତି। ହଁ ଆଜ୍ଞା, ଉତ୍ତର ପ୍ରଦେଶର ବୃନ୍ଦାବନରେ ଏମିତି ଏକ ମନ୍ଦିର ରହିଛି, ଯାହାକୁ ଭୂତ ମନ୍ଦିର କୁହାଯାଏ। ମୋଗଲଙ୍କ ସମୟରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ ନେଇ ଅନେକ କଥା ଶୁଣିବାକୁ ମିଳେ। କେତେକ ଏହାକୁ ଅନ୍ଧବିଶ୍ବାସ କହନ୍ତି ତ ଆଉ କେତେକ ସତ ବୋଲି କହନ୍ତି। ଚାଲନ୍ତୁ ଜାଣିବା ମନ୍ଦିର ସହିତ ଜଡ଼ିତ ଥିବା କେତେକ ଜଣା ଅଜଣା କଥା।

  • ଭଗବାନ ଶ୍ରୀକୃଷ୍ଣଙ୍କ ଏହି  ଶ୍ରୀ ଗୋବିନ୍ଦ ଦେବ ମନ୍ଦିର ବୃନ୍ଦାବନର ସବୁଠୁ ପୁରୁଣା ମନ୍ଦିର ଭିତରୁ ଗୋଟିଏ। ଜୟପୁରର ରାଜା ମାନ ସିଂ ୧୫୯୦ରେ ଏହାର ନିର୍ମାଣ କରିଥିଲେ।
  • ଏହି ମନ୍ଦିର ୭ ମହଲା ବିଶିଷ୍ଟ ଥିଲା। ସବୁଠାରୁ ଉପର ମହଲାରେ ଏକ ବଡ଼ ଦୀପ ଜଳାଯାଉଥିଲା। ଲୋକେ କହନ୍ତି, ଏହି ମନ୍ଦିରରେ ପ୍ରତ୍ୟେକ ଦିନ ୫୦ କିଲୋ ଦେଶୀ ଘିଅ ଜଳାଯାଉଥିଲା, ଯାହା ଆଗ୍ରା ପର୍ଯ୍ୟନ୍ତ ଦେଖାଯାଉଥିଲା।
  • ମୋଗଲ ଶାସକ ଔରଙ୍ଗଜେବଙ୍କ ନଜର ଏହି ମନ୍ଦିର ଉପରେ ପଡ଼ିବା ପରେ ସେ ଏହାକୁ ଭାଙ୍ଗି ମସ୍‌ଜିଦ କରିବା ଲାଗି ଆଦେଶ ଦେଲେ। ସେ ମନ୍ଦିରର ଉପର ୪ ମହଲା ଭାଙ୍ଗି ଦେଇଥିଲେ।
  • କେତେକ ସ୍ଥାନୀୟ ଲୋକେ କହନ୍ତି, ତାଙ୍କର ସମସ୍ତ ମୂର୍ତ୍ତିକୁ ମନ୍ଦିରରୁ ନେଇଯାଇ ଅନ୍ୟ କେଉଁଠି ସ୍ଥାପନା କରିବାକୁ ଭଗବାନ ଶ୍ରୀକୃଷ୍ଣ ପୂଜାରୀଙ୍କୁ ସ୍ବପ୍ନରେ କହିଥିଲେ। ଯାହାଫଳରେ ଭଗବାନ ଶ୍ରୀକୃଷ୍ଣଙ୍କ ସମସ୍ତ ମୂର୍ତ୍ତି ରାଜସ୍ଥାନ ଜୟପୁରରେ ଅନ୍ୟ ଏକ ମନ୍ଦିରରେ ସ୍ଥାପନା କରାଯାଇଥିଲା। ଏବେ ତାହା ଗୋବିନ୍ଦ ବଲ୍ଲଭ ମନ୍ଦିର ଭାବେ ବେଶ୍‌ ଜଣାଶୁଣା।
  • ବୃନ୍ଦାବନରେ ରହୁଥିବା ସାଧୁଙ୍କ କହିବାନୁସାରେ ଏବେ କୌଣସି ଭଗବାନଙ୍କ ମୂର୍ତ୍ତି ପୂଜା କରାଯାଉନାହିଁ। ତେଣୁ ଦୀର୍ଘ ଦିନ ହେଲାଣି ବନ୍ଦ ପଡ଼ିଥିଲା। ତେଣୁ ସ୍ଥାନୀୟ ଲୋକେ ଏଠାରେ ଭୂତ ରହୁଥିବା ଗୁଜବ ସୃଷ୍ଟି କରିଥିଲେ।
  • ମନ୍ଦିର ବାହାରର କାରୁକାର୍ଯ୍ୟ ଏତେ ସୌନ୍ଦର୍ଯ୍ୟପୂର୍ଣ୍ଣ ଯେ ନ ଦେଖିଲେ ବିଶ୍ବାସ କରି ହେବନି।
  • ମୋଗଲ ଶାସନ କାଳ ପରେ ଏଠାରେ ପୁନର୍ବାର ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ମୂର୍ତ୍ତି ଜୟପୁରରେ ଶ୍ରୀ ଗୋବିନ୍ଦ ଦେବ ମନ୍ଦିରରେ ପୂଜା ପାଉଥିବା ଶ୍ରୀକୃଷ୍ଣଙ୍କ ମୂର୍ତ୍ତିର ଅବିକଳ ପ୍ରତିମୂର୍ତ୍ତି ବୋଲି କୁହାଯାଉଛି। ଏବେ ଏହି ମନ୍ଦିରରେ ପୂଜାପାଠ ସହ ଲୋକଙ୍କ ଯିବା ଆସିବା ମଧ୍ୟ ଲାଗି ରହିଛି।

କିମ୍ବଦନ୍ତୀ ଅନୁସାରେ ୨୧୦୦ ବର୍ଷ ପୂର୍ବରୁ ଏହି ମନ୍ଦିରକୁ ଭୂତମାନେ ତିଆରି କରିଥିଲେ।  କାହାରି ଚକି ପେଶିବା ଶବ୍ଦ ଶୁଣି ଭୂତମାନେ ସେଠାରୁ ପଳାଇଯାଇଥିଲେ। ଏବେ ବି ସ୍ଥାନୀୟ ଲୋକଙ୍କ ଭିତରେ ଏହା ଭୂତ ମନ୍ଦିର ଭାବେ ଜଣାଶୁଣା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ